କଟକ : ଓଡ଼ିଶା ଡ୍ରାଇଭର ମହାସଂଘର ଧର୍ମଘଟ ଡାକରାର ଗୁରୁତର ପ୍ରଭାବ ପଡ଼ିଛି ମାଲଗୋଦାମ ଉପରେ। ପରିସ୍ଥିତି ଏଭଳି ହୋଇଛି ଯେ ଓଡ଼ିଶା ବାହାରୁ ମାଲଗୋଦାମକୁ ଆସୁଥିବା ପାଖାପାଖି ୧୦୦ କୋଟି ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ବୋଝେଇ ଟ୍ରକ୍ ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ଅଟକି ରହିଛି। ବୁଧବାରଠାରୁ ମାଲଗୋଦାମ ଭିତରକୁ ଅଟୋ ଖଣ୍ଡେ ବି ପଶିପାରି ନାହିଁ। ଦୈନିକ ଯେଉଁଠି ମାଲଗୋଦାମରେ ୩୦ରୁ ୪୦ କୋଟି ଟଙ୍କାର କାରବାର ହେଉଥିଲା, ଦୁଇ ଦିନ ଭିତରେ ମାତ୍ର ୧୦ କୋଟି ଟଙ୍କାର କାରବାର ହୋଇଛି।
ମାଲଗୋଦାମକୁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମବଙ୍ଗରୁ ଚିନି, ହଳଦିଆ, ମାଣ୍ଡେଲାରୁ ଖାଇବା ତେଲ, ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶରୁ ଡାଲି, ଛତିଶଗଡ଼, ଆନ୍ଧ୍ର, କର୍ଣ୍ଣାଟକ, ତେଲେଙ୍ଗାନାରୁ ଚାଉଳ, ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ସୋରିଷ ଆମଦାନୀ ହେଉଛି। ଦୈନିକ ଏହି ରାଜ୍ୟରୁ ୫୦ କୋଟି ଟଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନୀ ହୋଇଥାଏ। କିନ୍ତୁ ବୁଧବାର ଓ ଗୁରୁବାର ଦୈନିକ କାରବାର ଏଠି ୫ କୋଟି ବି ଟପିନାହିଁ। କଟକ ସହର ଉପକଣ୍ଠର ବ୍ୟବସାୟୀମାନେ ଭୟରେ ଚାରି ଚକିଆ ଗାଡ଼ି ମାଲଗୋଦାମକୁ ଆଣୁନାହାନ୍ତି। ବାଇକରେ ଅତ୍ୟାବଶ୍ୟକ ସାମଗ୍ରୀ ନେଉଥିବା ଦେଖିବାକୁ ମିଳୁଛି।
/sambad/media/post_attachments/wp-content/uploads/2020/07/malgodwan.jpg)
ଆଖପାଖର ବ୍ୟବସାୟୀ ଏଭଳି ପରିସ୍ଥିତିରେ ଆସୁଥିବା ବେଳେ ଦୈନିକ ମାଲଗୋଦାମ ଉପରେ ନିର୍ଭର କରୁଥିବା ଭଦ୍ରକ, ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଢେଙ୍କାନାଳ, ପୁରୀ, ଖୋର୍ଧା ଭଳି ୮ଟି ଜିଲ୍ଲାର ବ୍ୟବସାୟୀ ମାଲଗୋଦାମ ଆସିପାରୁ ନାହାନ୍ତି।
ମାଲଗୋଦାମ ବଣିକ ସଂଘର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇଙ୍କ କହିବା ଅନୁଯାୟୀ, ପୁଲିସ କହୁଛି ମାଲଗୋଦାମକୁ ଆସୁଥିବା ଗାଡ଼ିଗୁଡ଼ିକୁ ସୁରକ୍ଷା ଦିଆଯାଉଛି। କିନ୍ତୁ ଜଗତପୁରରୁ ତ ବ୍ୟବସାୟୀ ମାଲଗୋଦାମକୁ ଆସିପାରୁ ନାହାନ୍ତି। ରାସ୍ତାରେ ସେମାନଙ୍କୁ ଅଟକାଯାଉଛି। କମିସନରେଟ୍ ପୁଲିସ କେବଳ ସହର ଭିତରେ ସୁରକ୍ଷା ଦେଉଥିବା ବେଳେ ସହର ବାହାରେ ଶୋଚନୀୟ ପରିସ୍ଥିତି ହୋଇପଡ଼ିଛି ବୋଲି ଶ୍ରୀ ଛାଟୋଇ କହିଛନ୍ତି।