ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ ୧୦୦୦ କୋଟି

ଆଶଙ୍କା ଭିତରେ ନୂଆ ଆଶା, ଜମି ଅଧିଗ୍ରହଣ ସହ କାମ ଆଗଉଛି

ବଲାଙ୍ଗୀର : ଖୋର୍ଦ୍ଧା- ବଲାଙ୍ଗୀର ରେଳ ପ୍ରକଳ୍ପ। ପ୍ରାକ୍‌ ସ୍ୱାଧୀନତା କାଳର ପରିକଳ୍ପନା। ବାରମ୍ବାର ସର୍ଭେ ପରେ ୧୯୯୪-୯୫ ମସିହାରେ ମଂଜୁରି ପାଇଥିଲା। ୨୮୯ କିମିର ରେଳ ପ୍ରକଳ୍ପ ପାଇଁ ବ୍ୟୟ ଅଟକଳ ଥିଲା ୪୦୦କୋଟି। କିନ୍ତୁ ୨୫ ବର୍ଷ ପରେ ବ୍ୟୟ ଅଟକଳ ବଢ଼ି ବଢ଼ି ୪ହଜାର କୋଟି ପାଖାପାଖି ପହଞ୍ଚିଲାଣି। କାମ ବିଳମ୍ବ ହୋଇ ଚାଲିଥିବାବେଳେ ଏଥର ବଜେଟରେ ପ୍ରକଳ୍ପ ପାଇଁ ୧୦୦୦କୋଟି ଟଙ୍କା ଦିଆଯାଇଛି। ଗତ ବର୍ଷ ୫୨୦କୋଟି ଟଙ୍କା ବଜେଟରେ ଦିଆଯାଇଥିଲେ ବି କାମ ସେତେଟା ଆଗେଇନଥିଲା। ସମସ୍ୟା କରୁଥିଲା ଜମି ଅଧିଗ୍ରହଣ। ହେଲେ ଏଥର ଜମି ଅଧିଗ୍ରହଣ କାମ ଆଗେଇଥିବାରୁ ପ୍ରକଳ୍ପକୁ ନେଇ ନୂଆ ଆଶା ସଂଚାର ହୋଇଛି।

ସୂଚନାଯୋଗ୍ୟ ଯେ, ୨୦୧୯ ମସିହା ଜାନୁଆରି ୧୫ ତାରିଖ ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଗସ୍ତରେ ଆସି ବଲାଙ୍ଗୀରରୁ ବିଛୁପାଲି ପର୍ଯ୍ୟନ୍ତ ୧୯କିମି ରେଳପଥ ସହିତ ଏକ ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିଥିଲେ। ଖୁବ୍‌ଶୀଘ୍ର ରେଳ ଲାଇନ ନିର୍ମାଣ ନେଇ ଲୋକଙ୍କ ଭିତରେ ଆଶା ସଂଚାର ହୋଇଥିଲା। ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ୫୦-୫୦ ପ୍ରତିଶତର ଚୁକ୍ତିନାମା ବି ହୋଇଥିଲା। ଚୁକ୍ତି ମୁତାବକ ମାଗଣାରେ ରେଳ ବିଭାଗକୁ ରାଜ୍ୟ ସରକାର ଜମି ଯୋଗାଇଦେବେ। ୨୦୨୧ ବର୍ଷରେ ପ୍ରକଳ୍ପ କାମ ଶେଷ ପାଇଁ ଚୁକ୍ତିନାମା ଗତ ୨୦୧୫ ମସିହାରେ ହୋଇଥିଲା। ଚୁକ୍ତି ଅନୁସାରେ ପ୍ରକଳ୍ପ କାମ ଯେତେ ଆଗେଇବା କଥା ତାହା ଆଗେଇ ନାହିଁ। ବିଳମ୍ବିତ ହୋଇଛି। ହେଲେ ଅନ୍ୟବର୍ଷ ଅପେକ୍ଷା ଏ ବର୍ଷ ଜମିଅଧିଗ୍ରହଣକୁ ଦେଖିଲେ କାମ ତ୍ୱରାନ୍ୱିତ ହେବ ବୋଲି ଆଶା ସଂଚାର ହୋଇଛି। ମିଳିଥିବା ସୂଚନା ମୁତାବକ, ସୁବର୍ଣ୍ଣପୁର ଜିଲ୍ଲା ଦେଇ ୩୦କିମି ରେଳପଥ ନିର୍ମାଣ ହେବ। ଏଥିପାଇଁ ୫୩୯ ଏକର ଘରୋଇ ଜମି ଓ ୧୦୬ ଏକର ସରକାରୀ ଜମି ଅଧିଗ୍ରହଣ କରାଯାଇ ରେଳ ବିଭାଗକୁ ହସ୍ତାନ୍ତର କରାଯାଇଛି। କାମ ବି ଆରମ୍ଭ ହୋଇସାରିଛି। ସବୁଠୁ ଲମ୍ବା ରେଳ ଲାଇନ ବୌଦ୍ଧ ଜିଲ୍ଲାରେ ପଡ଼ିବ। ୨୮୯ କିମି ରେଳପଥରୁ ୧୧୦ କିମି କେବଳ ବୌଦ୍ଧ ଜିଲ୍ଲାରେ ପଡ଼ିବ। ୪୨୨୮ ଏକର ଜମି ବୌଦ୍ଧ ଜିଲ୍ଲାରେ ଅଧିଗ୍ରହଣ କରାଯିବ। ଗତ ଜାନୁଆରି ସୁଦ୍ଧା ୧୨୬୮ ଏକର ଜମି ଅଧିଗ୍ରହଣ ହୋଇସାରିଥିବା ଜଣାଯାଇଛି। ହେଲେ ବୌଦ୍ଧ ଜିଲ୍ଲାର ସର୍ବମୋଟ ଜମିରୁ ୩୧.୨ହେକ୍ଟର ଜଙ୍ଗଲ ଜମି ରହିଛି। ବିଗତ ବର୍ଷ ତୁଳନାରେ ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଦେଖିଲେ ତାହା ତ୍ୱରାନ୍ୱିତ ହୋଇଛି।

ସୂଚନାଯୋଗ୍ୟ ଯେ, ସ୍ୱାଧୀନତା ପୂର୍ବରୁ ୧୯୪୫ ମସିହାରେ ଖୋର୍ଦ୍ଧା- ବଲାଙ୍ଗୀର ରେଳପଥର ପରିକଳ୍ପନା ହୋଇଥିଲା। ଅନେକଥର ସର୍ଭେ ପରେ ୧୯୯୪-୯୫ ମସିହାରେ ପ୍ରକଳ୍ପ ମଂଜୁରି ପାଇଥିଲା। ରେଳ ବିଭାଗର ସୂଚନା ଅନୁସାରେ, ୨୦୧୮-୧୯ରେ ପ୍ରକଳ୍ପର ଅଟକଳ ୩ହଜାର ୭ଶହ ୯୧କୋଟି ୬୬ ଲକ୍ଷ ଟଙ୍କା। ଗତ ବର୍ଷ ଓ ଏ ବର୍ଷର ବଜେଟକୁ ଦେଖିଲେ ପ୍ରକଳ୍ପ କାମ ଆଗେଇବ ବୋଲି ବୁଦ୍ଧିଜୀବୀ ମହଲରେ ଆଶା ସଂଚାର ହୋଇଛି।

ସମ୍ବନ୍ଧିତ ଖବର