ଅପହଞ୍ଚ ଇଲାକା ପ୍ରସୂତିଙ୍କୁ ଆଉ ହଜାରେ

ସଂପୂର୍ଣ୍ଣା ଯୋଜନା ଆରମ୍ଭ: ଆଶା କର୍ମୀଙ୍କୁ ମାସିକ ହଜାରେ ଟଙ୍କାର ପ୍ରୋତ୍ସାହନ ରାଶି

ଭୁବନେଶ୍ୱର : ରାଜ୍ୟର ବହୁ ଅପହଞ୍ଚ ଇଲାକାରେ ଯାତାୟତ ସୁବିଧା ନ ଥିବାରୁ ଆମ୍ବୁଲାନ୍ସ କିମ୍ବା ଚାରିଚକିଆ ଯାନ ପହଞ୍ଚି ପାରୁ ନାହିଁ। ଫଳରେ ଗର୍ଭବତୀ ମହିଳାମାନେ ହସ୍ପିଟାଲ୍‌ ଆସିବାରେ ଅସୁବିଧା ଭୋଗୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏହି ଅଞ୍ଚଳର ପ୍ରସୂତିଙ୍କ ପାଇଁ ଯାତାୟତ ଖର୍ଚ୍ଚ ବାବଦକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଅପହଞ୍ଚ ଗ୍ରାମ ଓ ଜନବସତିଗୁଡ଼ିକର ଗର୍ଭବତୀ ମହିଳାମାନଙ୍କୁ ଯାତାୟତ ଖର୍ଚ୍ଚ ବାବଦକୁ ‘ସମ୍ପୂର୍ଣ୍ଣା’(ଶିଶୁ ଓ ମାତୃ ମୃତ୍ୟୁ ହାର ପୂର୍ଣ୍ଣ ନିରାକରଣ ଅଭିଯାନ) ଯୋଜନାରେ ଏକ ହଜାର ଟଙ୍କା ମିଳିବ। ଏହି ଅର୍ଥରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜନନୀ ସୁରକ୍ଷା ଯୋଜନା ସହାୟତା ସହ ସିଧାସଳଖ ଜମା କରାଯିବ। ରାଜ୍ୟର ୩୦ଟି ଜିଲ୍ଲାର ୭,୮୫୩ଟି ଗ୍ରାମ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର ବିଧିବଦ୍ଧ ଭାବେ ଶୁଭାରମ୍ଭ କରିଥିଲେ। ଏହା ସହ ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବହୁ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ। ଏହା ମଧ୍ୟରେ ଅଛି ୨୮ଟି ଜିଲ୍ଲାରେ ୩୦୦ଟି ସ୍ୱାସ୍ଥ୍ୟ ଉପ-କେନ୍ଦ୍ର କୋଠା, ୪ଟି ଜିଲ୍ଲାରେ ୪ଟି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର କୋଠା, ୫ଟି ଜିଲ୍ଲାରେ ୧୧ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୋଠା ଏବଂ ୨ଟି ଜିଲ୍ଲାରେ ୩ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ସହରାଞ୍ଚଳ) କୋଠା।

ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀମାନଙ୍କ ସହ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ବିଭିନ୍ନ କାର୍ଯ୍ୟକ୍ରମକୁ ସମୀକ୍ଷା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଶା କର୍ମୀମାନଙ୍କ ପାଇଁ ‘ଆଶା କଲ୍ୟାଣ ଯୋଜନା’ ଘୋଷଣା କରିଥିଲେ। ଏହି ଯୋଜନାରେ ଆଶାକର୍ମୀମାନେ ମାସିକ ଏକ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପାଇବେ। ସେମାନଙ୍କ ଦ୍ୱାରା କରାଯାଉଥିବା ସ୍ୱତନ୍ତ୍ର କାର୍ଯ୍ୟ ପାଇଁ ପ୍ରୋତ୍ସାହନ ମିଳିବ। ଏହା ସହ ୬୦ ବର୍ଷ ବୟସରେ ଆଶାକର୍ମୀମାନେ ଅବସର ନେବା ସମୟରେ ସେମାନଙ୍କୁ ୧୦ ହଜାର ଟଙ୍କାର ଏକକାଳୀନ ପାରିଶ୍ରମିକ ପ୍ରଦାନ କରାଯିବ।

ଏହା ସହ ମୁଖ୍ୟମନ୍ତ୍ରୀ ‘ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ କର୍ମଚାରୀ କଲ୍ୟାଣ ପାଣ୍ଠି’ ବି ଘୋଷଣା କରିଥିଲେ। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ ଅଧୀନରେ ୧୫ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ଓ ସେମାନଙ୍କ ପରିବାରଙ୍କୁ ଆବଶ୍ୟକ ସମୟରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏହି ପାଣ୍ଠି ସୃଷ୍ଟି କରାଯାଇଛି। ହିମୋଗ୍ଲୋବିନୋପାଥି ରୋଗୀ(ଥାଲାସେମିଆ, ରକ୍ତଶିକୁଳି କିମ୍ବା ହେମଫିଲିଆ ରୋଗରେ ଆକ୍ରାନ୍ତ)ମାନଙ୍କୁ ଦିନବେଳା ଉପଯୁକ୍ତ ସେବା ପ୍ରଦାନ ନିମନ୍ତେ ସବୁ ଜିଲ୍ଲାର ସଦର ଡାକ୍ତରଖାନାରେ ଡେ’ କେୟାର ସେଣ୍ଟର୍‌ ଖୋଲାଯିବ। ପ୍ରଥମ ପର୍ଯ୍ୟାୟରେ ବାଲେଶ୍ୱର, କନ୍ଧମାଳ ଓ ରାଉରକେଲାରେ ୧୦ ଶଯ୍ୟାବିଶିଷ୍ଟ କେନ୍ଦ୍ର ପ୍ରତିଷ୍ଠା କରାଯିବ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର