ଖଣି ଅଂଚଳ ଉନ୍ନୟନ ପାଇଁ ୧୦,୦୨୯ କୋଟି ଟଙ୍କାର ପ୍ରକଳ୍ପ ମଂଜୁର, ଭୂତଳ ଜଳର ନିୟମିତ ପରୀକ୍ଷା ପାଇଁ ନିରୀକ୍ଷଣ କର୍ତ୍ତୃପକ୍ଷଙ୍କ ପରାମର୍ଶ

ଓମ୍ବାଡ୍‌ସିର ୱେବ୍‌ସାଇଟ୍‌ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ଖଣିଜ ଅଂଚଳ ଉନ୍ନୟନ ନିଗମ (ଓମ୍ବାଡ୍‌ସି) ପାଣ୍ଠି ବିନିଯୋଗରେ ପ୍ରାୟ ୧୦୦୨୯.୧୭ କୋଟି ଟଙ୍କାର ପ୍ରକଳ୍ପକୁ ନିରୀକ୍ଷଣ କର୍ତ୍ତୃପକ୍ଷ ଅନୁମୋଦନ କରିଛନ୍ତି। ବିଚାରପତି ଶ୍ରୀ ଏ.କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ତ୍ତୃପକ୍ଷଙ୍କ ବୈଠକରେ ଏହି ପ୍ରକଳ୍ପ ଗୁଡ଼କୁ ମଂଜୁର ମିଳିଛି। ରାଜ୍ୟ ଅତିଥିଭବନ ସଭା ଗୃହରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପାଣ୍ଠି ବିନିଯୋଗ ସମ୍ବନ୍ଧିତ ବିଷୟବସ୍ତୁ  କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରିଥିଲେ।

ପ୍ରକଳ୍ପ ଗୁଡ଼ିକୁ ମଂଜୁରୀ ଦେଇ ଖଣି ଅଂଚଳ ମାନଙ୍କରେ ଭୂତଳ ଜଳର ଗୁଣାତ୍ମକମାନ ନିୟମିତ ବ୍ୟବଧାନରେ ପରୀକ୍ଷା କରିବା ପାଇଁ ବିଚାରପତି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ଓମ୍ବାଡ୍‌ସି ପାଣ୍ଠି ବିନିଯୋଗ ବାବଦରେ ଲୋକମାନଙ୍କୁ ସଦ୍ୟତନ ସୂଚନା ଦେବା ପାଇଁ ଓମ୍ବାଡ୍‌ସି ୱେବ୍‌ସାଇଟ୍‌ ନିର୍ମାଣ କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ି ନିର୍ଦ୍ଦେଶ ଦେଇଥିଲେ। ପନୀୟ ଜଳ ପ୍ରକଳ୍ପ ଗୁଡ଼ିକର ସଦ୍ୟତନ ସ୍ଥିତି ଏବଂ ରକ୍ଷଣାବେକ୍ଷଣ ବାବଦରେ ଲୋକମାନଙ୍କ ମତାମତ ଜାଣିବା ଉଦ୍ଦେଶ୍ୟରେ ଜଳ ବ୍ୟବହାରକାରୀ ମାନଙ୍କର ସଂଘ ଗଢ଼ିବା ପାଇଁ ବୈଠକରେ ସ୍ଥିର ହୋଇଥିଲା।

ଓମ୍ବାଡ୍‌ସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମା ନନ୍ଦୁରୀ ବିଭିନ୍ନ ବିଭାଗ ତରଫରୁ ମିଳିଥିବା ପ୍ରକଳ୍ପ ପ୍ରସ୍ତାବ ଗୁଡ଼ିକ ବିଷୟରେ ବିସ୍ତତ ଉପସ୍ଥାପନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରା ନିର୍ଦ୍ଧାରିତ ଅଗ୍ରାଧିକାର ବିଭାଗ ଆଧାରରେ କର୍ତ୍ତୃପକ୍ଷ ୧୬ଟି ପ୍ରକଳ୍ପ ମଂଜୁର କରିଥିଲେ। ଏଥିରେ ମୁଖ୍ୟତଃ ଜଳ ଯୋଗାଣ, ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାରେ ଗୁଣାତ୍ମକ ବିକାଶ ପାଇଁ ଭିତ୍ତିଭୂମିର ଉନ୍ନତିକରଣ, ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଧିଷ୍ଟ ବିଦ୍ୟାଳୟରେ ଶୈକ୍ଷିକ ଭତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟ ସେବାର ଗୁଣାତ୍ମକ ବିକାଶ ପାଇଁ ଭିତ୍ତିଭୂମି ସୃଷ୍ଟି, ଖଣି ଅଂଚଳରେ ପ୍ରଭାବିତ ଗରିବ ଲୋକମାନଙ୍କ ନିମନ୍ତେ ନୂତନ ଜୀବୀକା ସୃଷ୍ଟି, ଉଦ୍ୟାନ ଚାଷ, ସ୍ୱାସ୍ଥ୍ୟ ସେବା ଯୋଗାଣ ନିମନ୍ତେ ଅସଂଯୋଜିତ ଗ୍ରାମକୁ ସଡ଼କ ଯୋଗାଯୋଗ, ବାୟୁ ଓ ପ୍ରଦୂଷଣ ମାତ୍ରାର ନିୟମିତ ପରୀକ୍ଷା ପାଇଁ ସ୍ୱୟଂକ୍ରିୟ ଯନ୍ତ୍ର ସ୍ଥାପନ, ଜଳଛାୟା ପ୍ରକଳ୍ପ ସାମିଲ ରହିଛି।

 

ସମ୍ବନ୍ଧିତ ଖବର