ଭର୍ଚୁଆଲ ହେବ ରାଜ୍ୟ ସଂଗ୍ରହାଳୟ ଓ ଆନନ୍ଦଭବନ
ପ୍ରତ୍ନତତ୍ତ୍ବ ବିଭାଗ ଏବଂ ସଂଗ୍ରହାଳୟ ପାଇଁ ସ୍ବତନ୍ତ୍ର ନିର୍ଦେଶାଳୟ
ଭୁବନେଶ୍ବର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଆଜି ସାଢ଼େ ଏଗାର କୋଟି ଟଙ୍କା ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ଐତିହ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବରେ ମୋହର ଲାଗିଛି। ଏହାବ୍ୟତୀତ ରାଜ୍ୟ ସଂଗ୍ରହାଳୟ ଓ ବିଜୁବାବୁଙ୍କ ଆନନ୍ଦ ଭବନ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବା ପ୍ରସ୍ତାବକୁ ବି ଅନୁମୋଦନ ମିଳିଛି। ସେହିଭଳି ପ୍ରତ୍ନତତ୍ତ୍ବ ବିଭାଗ ଏବଂ ରାଜ୍ୟ ସଂଗ୍ରହାଳୟର ସୁପରିଚାଳନା ପାଇଁ ସ୍ବତନ୍ତ୍ର ନିର୍ଦେଶାଳୟ ସୃଷ୍ଟି କରାଯିବ।
ଏସଂପର୍କରେ ସୂଚନା ଦେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଲେ, ଓଡ଼ିଶା ଓ ଭାରତର ମୁକ୍ତି ସଂଗ୍ରାମର ଅନ୍ୟତମ ଅଗ୍ରଣୀ ସୈନିକ ଥିଲେ ଗୋପବନ୍ଧୁ ଦାସ। ସେ ନବ ଉତ୍କଳର ସ୍ଥପତି ମଧ୍ୟ। ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ଓ ସମ୍ବାଦପତ୍ର ସମାଜର ପ୍ରତିଷ୍ଠାତା ଥିଲେ। ଶିକ୍ଷା, ରାଜନୀତି, ସାହିତ୍ୟ, ସଂସ୍କୃତି ଓ ଅଧ୍ୟାତ୍ମବୋଧକୁ ସମୀକୃତ କରିବାରେ ତାଙ୍କ ସାଧନା ଅନନ୍ୟ। ତାଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ ଓ ଉନ୍ନତୀକରଣ କରାଯିବ। ଏହାର ଆନୁମାନିକ ମୂଲ୍ୟ ସାଢେ ଏଗାର କୋଟି ଟଙ୍କା ହେବ ବୋଲି କୁହାଯାଇଛି।
/sambad/media/post_attachments/wp-content/uploads/2020/09/sundo-300x225.jpg)
ଅନ୍ୟ ନିଷ୍ପତ୍ତି ସଂପର୍କରେ ସେ କହିଲେ ଯେ ରାଜ୍ୟ ସଂଗ୍ରହାଳୟ ଅଧୀନରେ ୧୫ଟି ଗୁରୁତ୍ବପୂର୍ଣ୍ଣ ଉପବିଭାଗ ସମେତ ରାଜ୍ୟର ସମସ୍ତ ଜିଲ୍ଲାରେ ଜିଲ୍ଲା ସଂଗ୍ରହାଳୟ ପରିଚାଳିତ ହେଉଛି। ରାଜ୍ୟ ସଂଗ୍ରହାଳୟରେ ଥିବା ପ୍ରାଚୀନ ସାମଗ୍ରୀ ବିଶ୍ବରେ ଅନନ୍ୟ। ଏଗୁଡିକର ରକ୍ଷଣାବେକ୍ଷଣ ସମେତ ପ୍ରାଚୀନ ପୋଥିଗୁଡିକର ଡିଜିଟାଇଜେସନ୍, ପଞ୍ଜୀକରଣ, ସଂରକ୍ଷଣ, ପ୍ରକାଶନ ଦିଗରେ ଏହି ସଂସ୍ଥା କାର୍ଯ୍ୟ କରୁଛି। ରାଜ୍ୟ ସଂଗ୍ରହାଳୟ ଅଧୀନରେ କଟକ ଆନନ୍ଦଭବନ ସଂଗ୍ରହାଳୟ, କେନ୍ଦୁବିଲ୍ବସ୍ଥିତ ଜୟଦେବ ସଂଗ୍ରହାଳୟର ପରିଚାଳନା ବି କରାଯାଉଛି। ଏ ସମସ୍ତ କାର୍ଯ୍ୟକୁ ତଦାରଖ ପାଇଁ ବିଭାଗରେ ଜଣେ ମାତ୍ର ନିର୍ଦେଶକ ଅଛନ୍ତି, ଯିଏ ବିଭାଗର ମୂଳ କଥା ବି ଦେଖୁଛନ୍ତି। ଏଣୁ ଏସବୁର ପରିଚାଳନା କଷ୍ଟସାଧ୍ୟ ହେଉଛି। ଏପରି ପରିପ୍ରେକ୍ଷୀରେ ରାଜ୍ୟ ସଂଗ୍ରହାଳୟ ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ନିର୍ଦେଶାଳୟ ସୃଷ୍ଟି କରାଯିବ। ଜଣେ ସ୍ବତନ୍ତ୍ର ନିର୍ଦେଶକ ମଧ୍ୟ ରହିବେ।
ସେହିଭଳି ରାଜ୍ୟ ସଂଗ୍ରହାଳୟରେ ଗଚ୍ଛିତ ପୁରାତନ କୀର୍ତିରାଜି, ପ୍ରାଚୀନ ମୁଦ୍ରା ଓ ଅଭିଲେଖ, ତାଳପତ୍ର ପୋଥି, ନୃତତ୍ତ୍ବ, ଖଣି ଓ ଭୂତତ୍ତ୍ବ ଆଦି ଅମୂଲ୍ୟ ସଂପଦ, ନୌବାଣିଜ୍ୟ ପରମ୍ପରା, ହାତୀଦାନ୍ତ ଓ କାରୁକଳା, ଅସ୍ତ୍ରଶସ୍ତ୍ର, େବ୍ରାଞ୍ଜ ମୂର୍ତି, ପାରମ୍ପରିକ ଚିତ୍ର ପୃଥିବୀର କୋଣ ଅନୁକୋଣରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ରାଜ୍ୟ ସଂଗ୍ରହାଳୟକୁ ଭର୍ଚୁଆଲ କରାଯିବ। ଏହା ସହିତ ଅନୁରୂପ ଢାଞ୍ଚାରେ ବିଜୁ ବାବୁଙ୍କ ଆନନ୍ଦଭବନ ସଂଗ୍ରହାଳୟ ମଧ୍ୟ ଭର୍ଚୁଆଲ କରାଯିବ।
ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି ରାଜ୍ୟର ଐତିହ୍ୟ ଓ କୀର୍ତିରାଜି, ପ୍ରାଚୀନ ମନ୍ଦିର, ସ୍ତୂପ, ଭାସ୍କର୍ଯ୍ୟଗୁଡିକର ରକ୍ଷଣାବେକ୍ଷଣ ଏବଂ ଅନ୍ୟ ସମସ୍ତ କାର୍ଯ୍ୟ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ବାରା କରାଯାଉଛି। ବିଭାଗରେ ଜଣେ ମାତ୍ର ନିର୍ଦେଶକ ଥିବା ପରିପ୍ରେକ୍ଷୀରେ ଏତେ ସବୁ ଉପ ବିଭାଗକୁ ନ୍ୟାୟ ଦେବା କଷ୍ଟକର ହୋଇପଡୁଛି। ପ୍ରତ୍ନତତ୍ତ୍ବ ବିଭାଗର ସୁପରିଚାଳନା ପାଇଁ ଏକ ସ୍ବତନ୍ତ୍ର ନିର୍ଦେଶାଳୟ ଗଠନ କରାଯିବ ଓ ଏକ ସ୍ବତନ୍ତ୍ର ନିର୍ଦେଶକ ପଦବି ବି ସରକାର ସୃଷ୍ଟି କରିବେ।