ବାଲେଶ୍ବରରେ ୧୧ କୋଟିର ବ୍ରାଉନ୍‌ସୁଗାର ଜବତ

କିଙ୍ଗ୍‌ପିନ୍‌ ସହ ୫ ମାଫିଆ ଗିରଫ, ରାଜ୍ୟ ପୁଲିସ ଇତିହାସରେ ବଡ଼ ସଫଳତା: ପୂର୍ବାଞ୍ଚଳ ଆଇଜି

ବାଲେଶ୍ବର : କେବେ କେଜିଏ ତ କେବେ ୨ କେଜି ଧରାପଡ଼ୁଥିବା ବେଳେ ଏଥର ବାଲେଶ୍ବର ସହରରୁ ରେକର୍ଡ ୧୦ କେଜିରୁ ଅଧିକ ପରିମାଣର ବ୍ରାଉନ୍‌ସୁଗାର ଜବତ ହୋଇଛି। ଯାହାର ମୂଲ୍ୟ ପାଖାପାଖି ୧୧ କୋଟି ଟଙ୍କା ହେବ। ବାଲେଶ୍ବର ସହଦେବଖୁଣ୍ଟା ଥାନା ଅଞ୍ଚଳରୁ ପୁଲିସ ଏହି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଥିବା ବେଳେ ଏଥିରେ କିଙ୍ଗ୍‌ପିନ୍‌ ସାଜିଥିବା ମଧ୍ୟପ୍ରଦେଶର ଆୟୁବକୁ ଗିରଫ କରିଛି। ଆୟୁବର ସହଯୋଗୀ ଅରଡ଼ବଜାର ଅଞ୍ଚଳର ସେକ୍‌ ହୁସେନ୍‌, ସେକ୍‌ ସଫିକ୍‌ ଓରଫ୍‌ ଲାଡେନ୍‌, ସେକ୍‌ ରାଜୁ, ବଡ଼ୁ ଓରଫ୍‌ ସେକ୍‌ ସମୀର ଓ ରିଣ୍ଟୁ ତରେଇକୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କଠାରୁ ୬ଟି ପଲିଥିନ୍‌ ପ୍ୟାକେଟ୍‌ରେ ଭର୍ତ୍ତି ହୋଇଥିବା ବ୍ରାଉନ୍‌ସୁଗାର ସହିତ ନଗଦ ୨୧ ହଜାର ଟଙ୍କା ଜବତ କରାଯାଇଛି ବୋଲି ଆଜି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ସୂଚନା ଦେଇଛନ୍ତି।

ଆଇଜି ଶ୍ରୀ ଲାଲଙ୍କ କହିବା ମୁତାବକ, ଉତ୍କଟ ନିଶାଦ୍ରବ୍ୟ ଜବତ କରିବା କ୍ଷେତ୍ରରେ ଓଡ଼ିଶା ପୁଲିସ ଇତିହାସରେ ଏତେ ବଡ଼ ସଫଳତା କେବେ ମିଳିନଥିଲା। ଏହି ବଡ଼ଧରଣର କାରବାର ଓ ନିଶା ମାଫିଆ ଗ୍ୟାଙ୍ଗ୍‌କୁ ଧରିବା ପୁଲିସ ପାଇଁ ଏକ ବିରାଟ ଚ୍ୟାଲେଞ୍ଜ ଥିଲା। ସେମାନଙ୍କ ବାବଦରେ ଖବର ପାଇବା ପରେ ଏସ୍‌ପି ସୁଧାଂଶୁ ଶେଖର ମିଶ୍ରଙ୍କ ନେତୃତ୍ବରେ ସିଟି ଡିଏସ୍‌ପି ଗାୟତ୍ରୀ ପ୍ରଧାନ, ସଦର ଏସ୍‌ଡିପିଓ ଶଶାଙ୍କ ବେଉରିଆ, ସହଦେବଖୁଣ୍ଟା ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ନାୟକ ଓ ଅନ୍ୟ ପୁଲିସ ଅଧିକାରୀଙ୍କୁ ନେଇ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ଅପରେସନ୍‌ ପାଇଁ ବ୍ଲୁ-ପ୍ରିଣ୍ଟ୍‌ ତିଆରି ହୋଇଥିଲା। ଗତକାଲି ବାଲେଶ୍ବର ସହର ଉପକଣ୍ଠ ଫୁଲାଡ଼ି ଅଞ୍ଚଳର ଏକ ନିଛାଟିଆ ସ୍ଥାନରେ ‌ବ୍ରାଉନସୁଗାର୍‌ ପ୍ୟାକେଟ୍‌ ଧରି ଆୟୁବ, ଅନ୍ୟ ୫ ନିଶା ବେପାରୀ ଏବଂ କିଛି ଯୁବକଙ୍କ ମଧ୍ୟରେ ଡିଲ୍‌ ଚାଲିଥିବା ବେଳେ ପୁଲିସ୍‌ର ଏହି ସ୍ବତନ୍ତ୍ର ଟିମ୍‌ ଚଢ଼ଉ କରି ସେମାନଙ୍କୁ କାବୁ କରିଥିଲା। ଥାନାରେ ପଚରାଉଚୁରା ପରେ ଅଭିଯୁକ୍ତମାନେ ବହୁ ଦିନ ଧରି ବାଲେଶ୍ବର ଜିଲ୍ଲାରୁ ସାରାରାଜ୍ୟକୁ ବ୍ରାଉନସୁଗାର ଚାଲାଣ କରୁଥିଲେ ବୋଲି ମାନିଛନ୍ତି।

ମୁଖ୍ୟ ଅଭିଯୁକ୍ତ ଆୟୁବର ଘର ମଧ୍ୟପ୍ରଦେ‌ଶରେ ହୋଇଥିବା ବେଳେ ସେକ୍‌ ହୁସେନ୍‌, ସେକ୍‌ ସଫିକ୍‌ ଓରଫ୍‌ ଲାଡେନ୍, ସେକ୍‌ ରାଜୁ, ବଡ଼ୁ ଓରଫ୍‌ ସେକ୍‌ ସମୀର ଓ ରିଣ୍ଟୁ ତରେଇର ଘର ଅରଡ଼ବଜାର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୂର୍ବରୁ ବ୍ରାଉନ୍‌ସୁଗାର ମାମଲାରେ ଏମାନେ ଅନେକ ଥର ଜେଲ୍‌ ଯାଇଛନ୍ତି। ସମସ୍ତଙ୍କ ନାଁରେ ଥାନାରେ ଏକାଧିକ ମାମଲା ମଧ୍ୟ ରହିଛି। ତେବେ ଅଭିଯୁକ୍ତମାନେ କେବେଠାରୁ ଏହି ନିଶା କାରବାରରେ ଲିପ୍ତ ଅଛନ୍ତି, ଏତେ ପରିମାଣର ବ୍ରାଉନ୍‌ସୁଗାର ସେମାନେ କେଉଁଠୁ ଆଣୁଥିଲେ, ଏଠାରୁ ବ୍ରାଉନସୁଗାର କେଉଁଠିକୁ ଯାଉଥିଲା ଓ ଏଥିରେ ଆଉ କାହାର ସଂପୃକ୍ତି ରହିଛି, ସେ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ଗୁଡ଼େଇତୁଡ଼େଇ ପଚାରିବାରୁ ସେ ସବୁର ତଦନ୍ତ ଚାଲିଥିବା ଏସ୍‌ପି ଶ୍ରୀ ମିଶ୍ର କହିଥିଲେ।

ସୂଚନାଯୋଗ୍ୟ ଯେ ଗତ୧୮ତାରିଖରେ ବାଲେଶ୍ବର ରେଳ ଷ୍ଟେସନ ନିକଟରେ ଦୁଇ ନିଶା ମାଫିଆଙ୍କୁ କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ କାବୁ କରିବା ସହ ସେମାନଙ୍କଠାରୁ ୧ କେଜି ୬୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରିଥିଲା।

ସମ୍ବନ୍ଧିତ ଖବର