ରେଳ ଟନେଲରେ ମାଟି ତଳେ ଚାପି ହୋଇ ୨ ଶ୍ରମିକ ମୃତ: ୧୧ ଲକ୍ଷ କ୍ଷତିପୂରଣ ମିଳିବା ପରେ ବ୍ୟବଚ୍ଛେଦ ପାଇଁ ଶବ ଛାଡ଼ିଲେ ପରିବାର ଲୋକେ

ଲକ୍ଷ୍ମୀପୁର/କାକିରିଗୁମା: କୋରାପୁଟ-ରାୟଗଡା କେଆର୍ ରେଳ ଲାଇନର ଦୋହରୀକରଣ ଚାଲୁଥିବା ବେଳେ କୁସୁମଗୁଡ଼ା ନିକଟସ୍ଥ ୨-ନମ୍ବର ଟନେଲ ମଧ୍ୟରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ଲୋକେ ୧୧ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବା ପରେ ଶବ ବ୍ୟବଚ୍ଛେଦ ପାଇଁ ରାଜି ହୋଇଛନ୍ତି। ସୂଚନାଯୋଗ୍ୟ, ଟନେଲ୍ ଭିତରେ କାମ କରୁଥିବା ସମୟରେ ହଠାତ୍ ମାଟି ଅତଡ଼ା ଧସି ଜଣେ ୱେଲଡରଙ୍କ ସମେତ ଦୁଇଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମର ରବି ପ୍ରେପେକା ଓ ଆସାମ୍ ରାଜ୍ୟର ବରପେଟା ଜିଲ୍ଲା ମାଜଗାଁ ଗ୍ରାମର ଜୋହରୁଦିନ।

ଏହି ଘଟଣା ପରେ ବୁର୍ଜା ଗାଁର ଶତାଧିକ ଲୋକେ କ୍ଷତିପୁରଣ ଦାବି କରି ଶବକୁ ବ୍ୟବଚ୍ଛେଦ କରାଇବା ସକାଶେ ପ୍ରଦାନ କରିନଥିଲେ। ଦୀର୍ଘ ସମୟର ଆଲୋଚନା ପରେ ଏସଇଡବ୍ୟୁ କମ୍ପାନି ତରଫରୁ ୧୦ ଲକ୍ଷ ଟଙ୍କାର ଚେକ୍ ଓ ନଗଦ ୧ ଲକ୍ଷ ଟଙ୍କା ଉପଜିଲ୍ଲାପାଳ ଭକ୍ତବନ୍ଧୁ ଜନାର୍ଧନ ଦଳାଇ, ତହସିଲଦାର ବନବିହାରି ଦିଣ୍ଡା, ଲକ୍ଷ୍ମୀପୁର ଆଇଆଇସି ଶ୍ବେତପଦ୍ମା ସେଠ୍, କାକିରିଗୁମା ଆଇଆଇସି ଦାମୋଦର ବିହାରୀ ଓ ଗାଁର ମାନ୍ୟଗନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ମୃତ ରବିଙ୍କ ପତ୍ନୀ ଙ୍କୁ ପ୍ରଦାନ କରାଯିବା ପରେ ଶବ ବ୍ୟବଚ୍ଛେଦ ସକାଶେ ଛାଡିଥିଲେ।

ସୂଚନା ମୁତାବକ କୁସୁମଗୁଡା ଗ୍ରାମ ପାଖରେ ଦୁଇ ନମ୍ବର ଟନେଲରେ ଆଜି କାମ ଚାଲୁଥିବା ବେଳେ କାର୍ଯ୍ୟରତ ଦୁଇଜଣ ଶ୍ରମିକଙ୍କ ଉପରେ ମାଟି ଅତଡ଼ା ଧସି ପଡିଥିଲା।ତାଙ୍କ ପଛରେ ଥିବା ୮ଜଣ ଟିକିଏ ପଛରେ ରହିଥିବା କାରଣରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ସଙ୍ଗେ ସଙ୍ଗେ ସେହି ୮ଜଣ କର୍ମୀ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ତାଙ୍କ ନିଜଗାଡିରେ ଆଣୁଥିବା ବେଳେ ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା। ପରେ ସେମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଖାନାରେ ଶୋକାକୁଳ ପରିବେଶ ଶୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଏନେଇ କାକିରିଗୁମା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଦାମୋଦର ବିହାରୀ କହିଛନ୍ତି।

ବର୍ତମାନ କେଆର୍ ରେଳ ଲାଇନ୍ ଦୋହରୀକରଣ କାର୍ଯ୍ୟ ଚାଲୁଥିବା ବେଳେ ଏଠାକାର ଓ ବାହାର ରାଜ୍ୟର ଶତାଧିକ ଶ୍ରମିକ କାମ କରୁଛନ୍ତି। ଟନେଲ୍ କାର୍ଯ୍ୟରେ ଶ୍ରମିକମାନଙ୍କ ଜୀବନ ବିପଦପୂର୍ଣ୍ଣ  ଥିବା ବେଳେ କାର୍ଯ୍ୟ ଚଲାଇଥିବା କମ୍ପାନି କୌଣସି ସୁରକ୍ଷା ପ୍ରଦାନ କରୁନଥିବା ଅଭିଯୋଗ ହେଉଛି। ଶ୍ରମିକମାନଙ୍କର ଜିବନବୀମା ମଧ୍ୟ ନଥିବା ଅଭିଯୋଗ କରିଛନ୍ତି। ଟନେଲ କାର୍ଯ୍ୟରେ ସୁରକ୍ଷା ଯୋଗାଇ କାର୍ଯ୍ୟ କରିବା ସକାଶେ ସାଧାରଣରେ ଦାବି କରାଯାଇଥିଲା।

ସମ୍ବନ୍ଧିତ ଖବର