ଧନତେରସ୍‌ରେ ୧୧୦ କୋଟି ବେପାର : ୨ କ୍ୱିଣ୍ଟାଲ ସୁନା ବିକ୍ରି

ଭୁବନେଶ୍ୱର : ଗହଣା ବଜାରରେ ଉତ୍ସାହ ଫେରାଇ ଆଣିଛି ଧନତେରସ୍‌। ତୋରଣ ଓ ଆଲୋକମାଳାରେ ସୁସଜ୍ଜିତ ଗହଣା ଦୋକାନଗୁଡ଼ିକରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏଥିଯୋଗୁ ରାଜ୍ୟରେ ଆଜି ଗୋଟିଏ ଦିନରେ ଲୋକମାନେ ୧୧୦ କୋଟିରୁ ଅଧିକ ମୂଲ୍ୟର ଗହଣା କିଣିଛନ୍ତି। ପରିମାଣ ଆକାରରେ ଦେଖିଲେ ପ୍ରାୟ ୨ କ୍ବିଣାଲ ସୁନା ଆଜି ଗୋଟିଏ ଦିନରେ ବିକ୍ରି ହୋଇଛି। ରାଜ୍ୟରେ ହୋଇଥିବା ସମୁଦାୟ ଗହଣା ବିକ୍ରିରୁ ଅଧିକାଂଶ ରାଜଧାନୀ ଭୁବନେଶ୍ବର ଏବଂ କଟକରେ ହୋଇଛି। ରାଜ୍ୟର ଏହି ଦୁଇଟି ସହରରେ ଆଜି ଗ୍ରାହକମାନେ ପାଖାପାଖି ୮୦ କୋଟି ଟଙ୍କାର ଗହଣା କିଣିଛନ୍ତି। ଛୋଟ ବଡ଼ ଦୋକାନୀ ସମସ୍ତେ ଭଲ ବ୍ୟବସାୟ କରିଛନ୍ତି। କରୋନାକୁ ଦେଖିଲେ ଗତବର୍ଷ ତୁଳନାରେ ଚଳିତବର୍ଷ ବହୁତ ଭଲ କାରବାର ହୋଇଛି।

ବିକ୍ରିରେ ଉତ୍ସାହ ଫେରିବାର ଅନେକ କାରଣ ରହିଛି ବୋଲି ବଜାର ବିଶ୍ଳେଷକମାନେ ମତ ଦେଇଛନ୍ତି। ସେମାନଙ୍କ କହିବାନୁଯାୟୀ, ଦୀର୍ଘଦିନ ‌ଲୋକମାନେ କିଣାକିଣି ନକରି ଘରେ ରହିଥିଲେ। ଏଥିସହିତ ଲକଡାଉନ୍ ଓ ସଟଡାଉନ ସମୟରେ ଅଟକି ରହିଥିବା ବିବାହ ଗୁଡ଼ିକ ଚଳିତ ନଭେମ୍ବର ଏବଂ ଡିସେମ୍ବରରେ ହେବାକୁ ଯାଉଛି। ଗତ କିଛି ତୁଳନାରେ ଏବେ ସୁନା ଦର କିଛିଟା ହ୍ରାସ ପାଇଛି। ସେହିଭଳି ସରକାରୀ ଚାକିରିଆ ଏବଂ ଅନ୍ୟ ବେତନଭୋଗୀମାନଙ୍କ ଖର୍ଚ୍ଚ କରୋନା ସମୟରେ କମିଥିବାରୁ ସେମାନଙ୍କ ସଞ୍ଚୟ ରାଶି ବଢ଼ିଛି। ସେହିଭଳି ସୁନାରେ ନିବେଶ କରିବା ଗତ କିଛିବର୍ଷ ଭିତରେ ଲାଭଦାୟକ ପ୍ରମାଣିତ ହୋଇଛି। ସୋ’ରୁମ୍ ଗୁଡ଼ିକ ଗ୍ରାହକଙ୍କ ପାଇଁ ଲୋଭନୀୟ ଅଫର ମାନ ମଧ୍ୟ ଆଣିଛନ୍ତି। ଏସବୁ କାରଣରୁ ଗ୍ରାହକମାନେ ଚଳିତବର୍ଷ ଧନତେରସରେ ସୁନା, ରୁପା ଓ ଅନ୍ୟ ମୂଲ୍ୟବାନ ଧାତୁରେ ନିର୍ମିତ ଗହଣା କିଣିବାକୁ ମନ ବଳାଇଛନ୍ତି।

ରାଜଧାନୀର ଜଣେ ପ୍ରମୁଖ ଗହଣା ବ୍ୟବସାୟୀଙ୍କ କହିବାନୁଯାୟୀ, ଦୀର୍ଘ ପ୍ରାୟ ୭ରୁ ୮ ମାସ ପରେ ଗହଣା ସୋରୁମ୍‌ ଗୁଡ଼ିକରେ ବିକ୍ରି ଉତ୍ସାହଜନକ ରହିଛି। ବ୍ୟବସାୟୀଙ୍କ ପାଇଁ ଏହା ନିଶ୍ଚିତଭାବେ ଭଲ ଖବର। ସୋ’ରୁମ୍‌ଗୁଡ଼ିକୁ ପୂର୍ବଭଳି ଗ୍ରାହକ ଆସିଛନ୍ତି। ଏହା ଦେଖି ଉତ୍ସାହିତ ଲାଗୁଛି। ସରକାର ଓ ପ୍ରଶାସନ ମଧ୍ୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇଛନ୍ତି। କର୍ମଚାରୀ ଓ ଗ୍ରାହକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସୋ’ରୁମ୍‌ ଭିତରେ ଭିଡ଼କୁ ଅନୁମତି ଦିଆଯାଇଛି। ଅନେକ ବଡ଼ ସୋ’ରୁମ୍ ପକ୍ଷରୁ ବାହାରେ ଗ୍ରାହକଙ୍କ ବସିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଟୋକନ୍‌ ମାଧ୍ୟମରେ ଗ୍ରାହକଙ୍କୁ କିଣାକିଣି ପାଇଁ ପ୍ରବେଶ ଅନୁମତି ଦିଆଯାଉଥିବା ଦେଖିବାକୁ ମିଳିଛି।

ସେହିଭଳି ଅନ୍ୟ ଜଣେ ବ୍ୟବସାୟୀଙ୍କ ମତରେ ଚଳିତବର୍ଷ ଆଶାଠାରୁ ଅଧିକ କାରବାର ହୋଇଛି। କିନ୍ତୁ ଗ୍ରାହକଙ୍କ ମଧ୍ୟରେ କୋଭିଡ୍‌ ଭୟ ଥିବାରୁ ବିକ୍ରି ଗତବର୍ଷର ଧନତେରସ୍‌ ଦିନ ଭଳି ହୋଇପାରି ନାହିଁ। ଗ୍ରାହକମାନେ ଏଥର ଚେନ୍‌, ହାର, ମୁଦି, କାନଫୁଲ ଆଦି ଅଧିକ ମାତ୍ରାରେ କିଣିଛନ୍ତି। ଅଧିକାଂଶ ଗ୍ରାହକ ୧୫ରୁ ୨୦ ଗ୍ରାମ ଲେଖାଏଁ ସୁନା ଗହଣା କିଣିଛନ୍ତି। ଯୁବବର୍ଗ ଓ କର୍ମଜୀବୀ ମହିଳାମାନେ ହୀରା, ପ୍ଲାଟିନମ୍ ଏବଂ ହାଲୁକା ଓଜନର ସୁନା ଗହଣା କିଣିଛନ୍ତି। ଗହଣା ଦରକାର କରୁ ନଥିବା ଗ୍ରାହକମାନେ ସୁନା କଏନ୍‌ କିଣିଥିବା ଦେଖିବାକୁ ମିଳିଛି। ଭୁବନେଶ୍ବରରେ ଆଜି ସୁନାର ୧୦ ଗ୍ରାମ ପିଛା ଦାମ ପାଖାପାଖି ୫୧ ହଜାର ଟଙ୍କା ରହିଛି, ଯାହା ଗତବର୍ଷର ଧନତେରସ ତୁଳନାରେ ଅଧିକ।

ସମ୍ବନ୍ଧିତ ଖବର