ଶ୍ରୀମନ୍ଦିରର ୧୧୫ କୋଟି ବ୍ୟାଙ୍କ୍‌ରେ ଜମାହେଲା

୫.୨୧ ପ୍ରତିଶତ ସୁଧରେ ନେଲା ୟୁନିୟନ୍‌ ବ୍ୟାଙ୍କ, ବିଡ୍‌ରେ ଭାଗନେଲେ ୮ ବ୍ୟାଙ୍କ

ପୁରୀ : ଶ୍ରୀମନ୍ଦିର ମୂଳପାଣ୍ଠି(ଫାଉଣ୍ଡେସନ୍‌ ଫଣ୍ଡ୍‌)କୁ ଆଜି ରାଷ୍ଟ୍ରାୟତ୍ତ ୟୁନିୟନ୍‌ ବ୍ୟାଙ୍କରେ ଜମା ଦିଆଯାଇଛି। ବିଡ୍‌ରେ ସର୍ବାଧିକ ୫.୨୧ ସୁଧ ଦେବାକୁ ୟୁନିୟନ ବ୍ୟାଙ୍କ ପୁରୀ ଶାଖା ସହମତି ଦେବା ପରେ ବୁଧବାର ଦିନ ଶ୍ରୀମନ୍ଦିର ମୂଳପାଣ୍ଠି ବାବଦ ଥିବା ୧୧୫ କୋଟି ୪ଲକ୍ଷ ୮୯ହଜାର ୧୯୪ ‌ଟଙ୍କା ୟୁନିୟନ ବ୍ୟାଙ୍କରେ ବର୍ଷକ ପାଇଁ ଜମା ରଖାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ଗତବର୍ଷ ‌ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ପୁରୀ ଶାଖାରେ ଅଧିକ ସୁଧ ହାରରେ ମୂଳପାଣ୍ଠି ଜମା କରିଥିଲା। ବର୍ଷକ ପାଇଁ ଜମା ରଖାଯାଇଥିବା ଏହି ମୂଳପାଣ୍ଠିର ଜମା ଅବଧି ଶେଷ ପରେ ଆଗାମୀ ବର୍ଷକ ପାଇଁ ମୂଳପାଣ୍ଠି ଜମା ଦେବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ୧୦ଟି ପ୍ରମୁଖ ବ୍ୟାଙ୍କକୁ ଟେଣ୍ଡର ଡକାଯାଇଥିଲା। କିନ୍ତୁ ବୁଧବାର ଦିନ ୮ଟି ବ୍ୟାଙ୍କ ଯଥା, କାନାରା ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ, ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ, ଇଣ୍ଡିଆନ୍‌ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ଟେଣ୍ଡର ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଟେଣ୍ଡର କମିଟି ଉପସ୍ଥିତିରେ ଏହି ଟେଣ୍ଡର ପେପର ଖୋଲାଯାଇଥିଲା। ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଓ ୟୁନିୟନ୍‌ ବ୍ୟାଙ୍କ ସର୍ବାଧିକ ୫.୨୦ ପ୍ରତିଶତ ସୁଧ ହାରରେ ଜମା ରଖିବାକୁ ଟେଣ୍ଡର ପକାଇଥିଲେ। ଦୁଇ ବ୍ୟାଙ୍କର ସୁଧ ହାର ସମାନ ଆସିବାରୁ ସହମତି ଭିତ୍ତିରେ ଜମା ରଖିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏଥିରେ ରାଜି ନ ହେବାରୁ ଓ ୟୁନିୟନ ବ୍ୟାଙ୍କ ୫.୨୧ ପ୍ରତିଶତ ସୁଧ ଦେବାକୁ ସହମତି ପ୍ରକାଶ କରିବାରୁ ଶ୍ରୀମନ୍ଦିରର ସମସ୍ତ ମୂଳପାଣ୍ଠି ୟୁନିୟନ ବ୍ୟାଙ୍କରେ ଜମା ରଖାଯାଇଛି।

ଏହି ଟେଣ୍ଡର ପ୍ରକ୍ରିୟାରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା, ଅର୍ଥ ଉପପ୍ରଶାସକ ସୁଖରଂଜନ ବୋଷ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ଚନ୍ଦ୍ର ପୂଜାପଣ୍ଡା, ଅନନ୍ତ ତିଆଡ଼ି, ମାଧବ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର