ଓଟିଏମ୍ ପାଇଁ ୧୧୫ କୋଟି ଜମା କରିବେ ସରକାର

୩୦ ଦିନ ସମୟ ଦେଲେ ହାଇକୋର୍ଟ

କଟକ : ଓଟିଏମ୍ ପାଇଁ ରାଜ୍ୟ ସରକାର ୧୧୫ କୋଟି ଟଙ୍କା ୩୦ ଦିନ ଭିତରେ ଜମା କରିବେ। ଅଫିସିଆଲ ଲିକ୍ବିଡେଟରଙ୍କ ନିକଟରେ ଏହି ଟଙ୍କା ଜମା କରିବାକୁ ଗୁରୁବାର ଦିନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

The New Indian Express

ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଓଟିଏମ୍‌ ମାମଲାର ଶୁଣାଣି ବେଳେ ଅଫିସିଆଲ ଲିକ୍ବଡେଟରଙ୍କ ତରଫରୁ ଦର୍ଶାଯାଇଛି ଯେ ଗତ ଅଗଷ୍ଟ ୪ରେ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ସେ ଓଟିଏମ୍‌ର ନେଣଦେଣ ହିସାବ ନେଇ ରିପୋର୍ଟ ଦାଖଲ କରିଥିଲେ। ଋଣଦାତା, କର୍ମଚାରୀଙ୍କ ପ୍ରାପ୍ୟ ଓ ଅନ୍ୟାନ୍ୟ ଦେୟ ବାବଦରେ ଆଉ ୧୧୫ କୋଟି ଆବଶ୍ୟକ ବୋଲି ରିପୋର୍ଟରେ ଉଲ୍ଲେଖ କରିଥିଲେ। ଏହାପରେ ୨୦୨୨ ଅଗଷ୍ଟ ୨୬ରେ ‌ଋଣଦାତା, ପ୍ରାପ୍ୟ ପାଇବାକୁ ଥିବା ବ୍ୟକ୍ତିଙ୍କ ସଂକ୍ରାନ୍ତରେ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଅଗଷ୍ଟ ୨୬ର ଏହି ପ୍ରମାଣପତ୍ର (ସାର୍ଟିଫିକେଟ)କୁ ଅନୁମୋଦନ କରିବା ପାଇଁ ଅଫିସିଆଲ ଲିକ୍ବିଡେଟରଙ୍କ ତରଫରୁ ନିବେଦନ କରାଯାଇଥିଲା। ଋଣଦାତା ଓ ପ୍ରାପ୍ୟ ପାଇବାକୁ ଥିବା ବ୍ୟକ୍ତିଙ୍କ ଦାବି ଗ୍ରହଣୀୟ ବା ଅଗ୍ରାହ୍ୟ ଯୋଗ୍ୟ ସେ ନେଇ ନିଷ୍ପତ୍ତି ଗ୍ରହଣ କରିବାକୁ ଅନୁମତି ଦେବା ଏବଂ ଅବଶିଷ୍ଟ ୧୧୫ କୋଟି ଟଙ୍କା ୩୦ ଦିନ ଭିତରେ ଜମା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଅଫିସିଆଲ ଲିକ୍ବିଡେଟରଙ୍କ ତରଫରୁ ଦର୍ଶାଯାଇଥିଲା। ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ସରକାରଙ୍କ ତରଫରୁ ଦର୍ଶାଇଥିଲେ, ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ୧୧୫ କୋଟି ଟଙ୍କା ୩୦ ଦିନ ଭିତରେ ସରକାରଙ୍କ ପକ୍ଷରୁ ଜମା କରାଯିବ। ହାଇକୋର୍ଟ ଏହି ଅର୍ଥ ଜମା କରିବାକୁ ସରକାରଙ୍କୁ କହିବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୮କୁ ଧାର୍ଯ୍ୟ କରିଛନ୍ତି। ଅନ୍ୟପଟେ ଦୁଇ ଶହ କୋଟି ଟଙ୍କା ବିନିମୟରେ ଓଟିଏମ୍‌କୁ କିଣିବାକୁ ମେଡିସିନ ସୋସାଇଟି ନାମକ ସଂସ୍ଥା ଦାଖଲ କରିଥିବା ଅନ୍ତରୀଣ ଆବେଦନ ଉପରେ ଆଜି ଶୁଣାଣି ହୋଇନାହିଁ।

Sambad

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨ରେ ହାଇକୋର୍ଟ ଓଟିଏମ୍‌ ପୁନରୁଦ୍ଧାର ସଂପର୍କିତ ମାମଲାର ଶୁଣାଣି କରି କର୍ମଚାରୀଙ୍କ କେତେ ଦରମା ଓ ଅନ୍ୟାନ୍ୟ ବକେୟା ପ୍ରାପ୍ୟ ରହିଛି, ଅନ୍ୟାନ୍ୟ ଦେୟ କେତେ ରହିଛି ତାହା ଆକଳନ କରିବା ପାଇଁ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଦାୟିତ୍ବ ଦେବାକୁ ଅଫିସିଆଲ ଲିକ୍ବିଡେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ତରଫରୁ ଦର୍ଶାଯାଇଥିଲା ଯେ ଓଟିଏମକୁ ରାଜ୍ୟ ସରକାର ହାତକୁ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ୧୫୦ କୋଟି ଟଙ୍କା ସରକାର ଦେବେ। ଏହି ସ୍ଥାନରେ ଏକ ଟେକ୍ସଟାଇଲ ପାର୍କ ନିର୍ମାଣ ପ୍ରସ୍ତାବ ରହିଥିବା ନେଇ ମଧ୍ୟ ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା। ୧୫୦ କୋଟି ଟଙ୍କାରୁ ଇତିମଧ୍ୟରେ ଦୁଇଟି ପର୍ଯ୍ୟାୟରେ ୩୦ କୋଟି ଓ ୫ କୋଟି ଟଙ୍କା ସରକାରଙ୍କ ତରଫରୁ ଅଫିସିଆଲ ଲିକ୍ବିଡେଟରଙ୍କ ନିକଟରେ ଜମା କରାଯାଇଛି ବୋଲି ଅଗଷ୍ଟ ୨ର ଶୁଣାଣି ସମୟରେ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ୧୮୪ କୋଟି ଟଙ୍କା ଓଟିଏମ୍ ଉପରେ କର୍ମଚାରୀଙ୍କ ପ୍ରାପ୍ୟ ଓ ଅନ୍ୟାନ୍ୟ ଦେୟ ବାବଦରେ ରହିଛି ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। ପୂର୍ବତନ କର୍ମଚାରୀଙ୍କ ତରଫରୁ ଆଇନଜୀବୀ ତ୍ରିଲୋଚନ ବାରିକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର