ସମ୍ବଲପୁର : ପତଞ୍ଜଳି ନାଁ’ରେ ଠକି ‌ନେଲେ ୧୨.୮୬ ଲକ୍ଷ

ସମ୍ବଲପୁର : ପତଞ୍ଜଳି ଷ୍ଟୋର ନାଁରେ ‌ସାଇବର ଅପରାଧୀ ଗ୍ୟାଙ୍ଗ ସମ୍ବଲପୁରର ଜଣେ ବ୍ୟକ୍ତିଙ୍କଠାରୁ ୧୨.୮୬ ଲକ୍ଷ ଟଙ୍କା ଠକି ନେଇଛନ୍ତି। ସମ୍ବଲପୁର ସାଇବର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ବଲପୁର ସହର ଉପକଣ୍ଠ ସରଳା ଅଂଚଳ ବାସିନ୍ଦା ଶୁଭାଶିଷ ସାମଲ ୱେବ୍‌ସାଇଟ୍‌ରେ ଆକର୍ଷଣୀୟ ବିଜ୍ଞାପନ ଦେଖି ପତଞ୍ଜଳି ଷ୍ଟୋର ଖୋଲିବା ପାଇଁ ଯୋଜନା କରିଥିଲେ। ପ୍ରଥମେ ସେ ପତଞ୍ଜଳିର ପ୍ରକୃତ ବିଜ୍ଞପାନରେ ଉପଲବ୍‌ଧ ଫୋନ୍ ନମ୍ବର ସହିତ ଯୋଗାଯୋଗ କରିଥିଲେ। ତେବେ, ପରବର୍ତ୍ତୀ ସମୟରେ ସାଇବର ଠକମାନଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଆକର୍ଷଣୀୟ କମିସନ ବ୍ୟବସ୍ଥା ସଂପର୍କରେ ସୂଚନା ଦେବା ପରେ ସେ ଅଧିକ ଲାଭ ପାଇବା ‌ଆଶାରେ ସେମାନଙ୍କ ସହିତ ବ୍ୟବସାୟିକ ସଂପର୍କରେ ରଖିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସାଇବର ଠକମାନଙ୍କ କହିବା ଅନୁସାରେ, ଗତ ୧୮ ଡିସେମ୍ବର ୨୦୨୦ରୁ ବିଭିନ୍ନ ପର୍ଯ୍ୟାୟରେ ସେ ହରିଦ୍ବାରର ୩ଟି ବ୍ୟାଙ୍କ ଆକାଉଣ୍ଟରେ ୧୨ ଲକ୍ଷ ୮୬ ହଜାର ୯୯୭ ଟଙ୍କା ଜମା କରିଥିଲେ। ସିକ୍ୟୁରିଟି ଡିପୋଜିଟ୍, ସାମଗ୍ରୀ ବାବଦ ଅର୍ଥ ଏବଂ ପରିବହନ ଖର୍ଚ୍ଚ ଆଦି ବାବଦକୁ ଏହି ଅର୍ଥ ନେଇଥିବା କୁହାଯାଇଛି। ଶ୍ରୀ ସାମଲ ସେମାନଙ୍କ କହିବା ଅନୁସାରେ, ବ୍ୟାଙ୍କ ଆକାଉଣ୍ଟଗୁଡ଼ିକରେ ଟଙ୍କା ଜମା କରିଥ‌ିଲେ। ମାତ୍ର ଜିନିଷ ଆସିନଥିଲା। ସେମାନଙ୍କୁ ଫୋନ୍ କରିବା ପରେ ବି ଆଉ ରିସିଭ୍ କରିନଥିଲେ। ଠକେଇର ଶିକାର ହୋଇଥିବା ଜାଣିବା ପରେ ସେ ଏ ସଂକ୍ରାନ୍ତରେ ସମ୍ବଲପୁର ସାଇବର ଥାନାରେ ଅଭିଯୋଗ କରିଛନ୍ତି। ସମ୍ବଲପୁର ସାଇବର ଥାନା ପୁଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର