ସ୍କ୍ରାପ୍ ଦରରେ ବିକ୍ରି ହେବ ସିଗନାଲ୍ ଟାୱାର
୨୦୧୫ରେ ଅପରାଧ ନିୟନ୍ତ୍ରଣ ପାଇଁ ହୋଇଥିଲା ନବକଳେବର
ପୁରୀ : ଶ୍ରୀକ୍ଷେତ୍ର ପୁରୀକୁ ବିଶ୍ବସ୍ତରୀୟ କରି ଗଢ଼ିତୋଳିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଅନେକ ବିକାଶମୂଳକ କାର୍ଯ୍ୟର ମଞ୍ଜି ବୁଣିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡର ସାଙ୍ଗକୁ ଶ୍ରୀସେତୁ, ବଡ଼ ବଡ଼ ମାର୍କେଟ୍ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଶ୍ରୀକ୍ଷେତ୍ର ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବାର ଭିତ୍ତିଭୂମି ପ୍ରସ୍ତୁତି ଚାଲିଛି। କିନ୍ତୁ ଶ୍ରୀକ୍ଷେତ୍ରକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଅବହେଳା କରାଯାଇଛି। ଦେଶ ବିଦେଶରୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କ ସୁରକ୍ଷା ତଥା ଅପରାଧ ନିୟନ୍ତ୍ରଣ ପାଇଁ ସ୍ଥାପିତ କଣ୍ଟ୍ରୋଲ୍ ରୁମ୍ ଆଉ ଆଗଭଳି କାମ କରୁନଥିବା ବେଳେ ସହର ଓ ସହର ଉପକଣ୍ଠରେ ଲାଗିଥିବା ସିସି କ୍ୟାମେରା ବର୍ଷ ବର୍ଷ ଧରି ଅଚଳ ହୋଇପଡ଼ିଛି। ଫନି ପରଠୁ ୧୨ କୋଟି ଟଙ୍କାର ଏହି ସିସି କ୍ୟାମେରା ଭିତ୍ତିଭୂମି ଅସଜଡ଼ା ଅବସ୍ଥାରେ ପଡ଼ି ରହିଥିଲେ ବି ଏହାର ପୁନରୁଦ୍ଧାର କଥା ଚିନ୍ତା କରାଯାଉନି।
/sambad/media/post_attachments/wp-content/uploads/2021/06/a5b4f3f6-377f-4755-89cb-9ca9e67bf31a.jpg)
ବିଶ୍ବ ପର୍ଯ୍ୟଟନର ସହର ପୁରୀକୁ ଅପରାଧମୁକ୍ତ ରଖିବା ତଥା ଅପରାଧୀ ଓ ଅପରାଧର ଗତିବିଧି ଉପରେ ଟିକିନିଖି ନଜର ରଖିବା ପାଇଁ ୨୦୧୫ ମସିହା ମହାପ୍ରଭୁଙ୍କ ନବକଳେବର ସମୟରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ସିସି କ୍ୟାମେରା ଭିତ୍ତିଭୂମି ନିର୍ମାଣ ହୋଇଥିଲା। ଏଥିପାଇଁ ବଡ଼ଦାଣ୍ଡରେ ଥିବା ଟାଉନ୍ ଥାନା ପରିସରରେ ଉଚ୍ଚ କ୍ଷମତାସମ୍ପନ୍ନ କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଥିଲା। ବଡ଼ ବଡ଼ ଏଲ୍ଇଡି ସ୍କ୍ରିନ୍ ସାଙ୍ଗକୁ ସିଗ୍ନାଲ୍ ଦେବା ପାଇଁ ଥାନା ପଛପାର୍ଶ୍ବରେ ୪୦ ମିଟର ଉଚ୍ଚତାର ଏକ ଟାୱାର ସ୍ଥାପନ କରାଯାଇଥିଲା। ସେହିଭଳି ପୁରୀ ମେଡିକାଲ୍ ଛକ, ବଡ଼ଦାଣ୍ଡର ବିଭିନ୍ନ ସମ୍ବେଦନଶୀଳ ସ୍ଥାନ, ଝାଡ଼େଶ୍ବରୀ ଛକ, ରେଳ ଷ୍ଟେସନ୍, ବେଳାମାର୍ଗ, ଅଠରନଳା, ଭୂଦାନ ଛକ, ମାଳତୀପାଟପୁର ଛକରେ ସମସ୍ତଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ସିସି କ୍ୟାମେରା ବି ଲାଗିଥଇଲା। ବକ୍ସ ଫିଟିଂ ପାଇଁ ଲୁହାର ବଡ଼ ବଡ଼ ପୋଲ୍ ବି ଲଗାଗଲା। ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ୍ ଏକ ଠିକା ସଂସ୍ଥା ଜରିଆରେ ଏହି କାମ କରିଥିଲା। ୧୨ କୋଟି ଟଙ୍କା ଭିତରେ ୫ ବର୍ଷର ରକ୍ଷଣାବେକ୍ଷଣ ଖର୍ଚ୍ଚ ବି ଅନ୍ତର୍ଭୁକ୍ତ ରହିଥିଲା। କିନ୍ତୁ ୨୦୧୯ ପ୍ରଳୟଙ୍କରୀ ବାତ୍ୟା ‘ଫନି’ରେ ଏହାର ଅନେକ ଯନ୍ତ୍ରାଂଶ ଭାଙ୍ଗି ପଡ଼ିଥିଲା। କଣ୍ଟ୍ରୋଲ ରୁମ୍ ଅକ୍ଷତ ଥିଲେ ବି ଥାନା ପଛପାର୍ଶ୍ବରେ ଲାଗିଥିବା ଟାୱାର ଭାଙ୍ଗି ଗଳି ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଲାଗିଥିବା ଦାମୀ ସିସି କ୍ୟାମେରାର ସଂଯୋଗ କଟି ଯାଇଥିଲା। ଏ ଭିତରେ ଦୁଇବର୍ଷ ବିତିଗଲାଣି, ତଥାପି ୧୨ କୋଟିର ଏହି ଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ସଜଡ଼ା ଯାଇନି। ଫଳସ୍ବରୂପ ମାଳତୀପାଟପୁର, ଭୂଦାନ ଛକ ଓ ସହର ଭିତରେ ଲାଗିଥିବା ଅନେକ ସିସି କ୍ୟାମେରା ଚୋରି ହୋଇଗଲାଣି।
/sambad/media/post_attachments/wp-content/uploads/2021/06/f7073dcc-9b04-4186-ac91-ebf1e608ba7f.jpg)
ଯେଉଁ ସିସି କ୍ୟାମେରା ସବୁ ଲାଗିଛି, ତାହା ବର୍ଷ ବର୍ଷ ଧରି ଅଚଳ ଅବସ୍ଥାରେ ଝୁଲି ରହି କଳିଙ୍କି ଲାଗିଗଲାଣି। ଥାନା ପଛପାର୍ଶ୍ବରେ ଲାଗିଥିବା ଟାୱାର ଭାଙ୍ଗି ପଡ଼ିବା ପରେ ସଜଡ଼ା ନ ଯିବାରୁ ଏହା ପଡ଼ି ରହି କଳଙ୍କି ଧରିଗଲାଣି। ସ୍ଥିତି ଏମିତି ଯେ ସେକୁଡ଼ିକ ଏବେ ସ୍କ୍ରାପ୍ ଦରରେ ହିଁ କେବଳ ବିକ୍ରି ହେବ। ଫଳସ୍ବରୂପ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ଏହି ମେଗା ଯୋଜନା ଅଚଳ ହୋଇପଡ଼ିଛି। ଏ ସମ୍ପର୍କରେ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ବର୍ଷକ ତଳେ ଏହାର ପୁନରୁଦ୍ଧାର ପାଇଁ ଏକ ସର୍ଭିସ୍ ପ୍ରୋଭାଇଡର୍କୁ ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ମଗାଯାଇଥିଲା। ସମ୍ପୃକ୍ତ ସର୍ଭିସ୍ ପ୍ରୋଭାଇଡ ସଂସ୍ଥା ୧୨ କୋଟି ଟଙ୍କାର ଏହି ମେଗା ପ୍ରକଳ୍ପର ପୁନଃ କାର୍ଯ୍ୟକ୍ଷମ ପାଇଁ ୩.୬୭ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲା। ଏହା ପରଠୁ ଆଉ କାମ ଆଗେଇନି। ଡିଟେଲ୍ ପ୍ରୋଜେକ୍ଟ ରିପୋର୍ଟ ତା’ ବାଟରେ, ସିସି କ୍ୟାମେରା ଭିତ୍ତିଭୂମି ତା’ବାଟରେ ବୋଲି ବରିଷ୍ଠ ଅଧିକାରୀ ଜଣକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/98616299-0087-4eea-b4f7-9b2c42b4d9b5.jpg)