କଟକରେ ଘରୋଇ ଋଣ ସଂସ୍ଥାରୁ ଚାଞ୍ଚଲ୍ୟକର ଲୁଟ୍‌ : ଲକର୍‌ରୁ ପୋଛିନେଲେ ୧୨ କୋଟିର ସୁନା

ନଗଦ ୪ ଲକ୍ଷ ଟଙ୍କା ବି ନେଇଗଲେ, ହେଲମେଟ୍‌, ମାସ୍କ ପିନ୍ଧି ଆସିଥିଲେ ୪ ବନ୍ଧୁକଧାରୀ ଦୁର୍ବୃତ୍ତ

କଟକ : କଟକ ନୟାସଡ଼କରେ ଥିବା ଏକ ଋଣ ପ୍ରଦାନକାରୀ ସ˚ସ୍ଥା ‘ଆଇଆଇଏଫ୍‌ଏଲ ଫାଇନାନ୍ସ’ରୁ ଆଜି ୧୨ କୋଟି ଟଙ୍କାର ସୁନା ଲୁଟି ନେଇଛନ୍ତି ମୁଖା ପିନ୍ଧା ଡକାୟତ। ଦିନ ପ୍ରାୟ ୯ଟା ୫୫ରେ ସ˚ସ୍ଥାର କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଲକରରୁ ୧୨ କୋଟି ଟଙ୍କାର ସୁନା ଅଳଙ୍କାର ଓ ନଗଦ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ସଂପର୍କରେ ଅଭିଯୋଗ ହୋଇଛି। ସହରର ମୁଖ୍ୟ ରାସ୍ତା ପାର୍ଶ୍ବରେ ଥିବା ଏହି ସଂସ୍ଥାରୁ ଏଭଳି ଢଙ୍ଗରେ ଡକାୟତି ଏବେ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି। ଏହି ଘଟଣାରେ ଅନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗର ସମ୍ପୃକ୍ତିକୁ ନେଇ ସନ୍ଦେହ କରାଯାଉଥିବା ବେଳେ ମୋବାଇଲ୍‌ ଟ୍ରାକି˚ରୁ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ଜଣେ ଦୁର୍ବୃତ୍ତର ମୋବାଇଲ୍‌ ଲୋକେସନ୍‌ ଠାବ କରାଯାଇଛି। ଏଭଳି ସମାନ ଧରଣର ଘଟଣା କଟକ ସହରରେ ୨୪ ବର୍ଷ ତଳେ ଘଟିଥିବା କୁହାଯାଉଛି। ବଜ୍ରକବାଟି ରୋଡରେ ଥିବା ୟୁକୋ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ପ୍ରାୟ ୧୨ କୋଟି ଟଙ୍କା ଲୁଟି ନେଇଥିଲେ।

ସୂଚନା ଅନୁଯାୟୀ, ଲାଲବାଗ ଥାନା ଅନ୍ତର୍ଗତ ନୟାସଡ଼କସ୍ଥିତ ଋଣ ଓ ନିବେଶ କେନ୍ଦ୍ର ‘ଆଇଆଇଏଫଏଲ ଫାଇନାନ୍ସ’ ସ˚ସ୍ଥାକୁ ଆଜି ଦିନ ପ୍ରାୟ ୯ଟା ୫୫ରେ ଚାରି ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍‌(ୟାମା ଏଫ୍‌ଜେଡ୍‌ ଏବ˚ ପଲସର‌୍‌)ରେ ମୁହଁରେ ମୁଖା ପିନ୍ଧି ଆସିଥିଲେ। ସ˚ସ୍ଥାରେ ସେହି ସମୟରେ ୬ ଜଣ କର୍ମଚାରୀ ଉପସ୍ଥିତ ଥିଲେ। କର୍ମଚାରୀଙ୍କ ମୁଣ୍ତରେ ବନ୍ଧୁକ ଲଗାଇ ଗୋଟିଏ ଘରେ ସେମାନଙ୍କୁ ଦୁର୍ବୃତ୍ତମାନେ ବନ୍ଦ କରିଦେଇଥିଲେ। ଲକର‌୍‌ ଚାବି ଛଡ଼ାଇ ନେଇ ଲକର ଖୋଲିବା ସହିତ ସେଥିରେ ଜମା ଥିବା ଗ୍ରାହକଙ୍କ ୧୨ କୋଟି ଟଙ୍କାର ସୁନା ଅଳଙ୍କାର ସହିତ ନଗଦ ୪ ଲକ୍ଷ ଟଙ୍କା ଏକ ବ୍ୟାଗରେ ଭର୍ତ୍ତି କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଯିବା ପୂର୍ବରୁ ସ˚ସ୍ଥା କର୍ମଚାରୀଙ୍କ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ।

ଦିନ ପ୍ରାୟ ୧୦ଟା ୩୦ ବେଳେ ସ˚ସ୍ଥା କର୍ତ୍ତୃପକ୍ଷ ଏ ସ˚କ୍ରାନ୍ତରେ ପ୍ରଥମେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ନୟାସଡ଼କରେ ସ˚ସ୍ଥାର କାର୍ଯ୍ୟାଳୟ ଥିବା ଅଞ୍ଚଳଟି ଲାଲବାଗ ଥାନା ଅଞ୍ଚଳରେ ଥିବାରୁ ସେମାନେ ପରେ ସେଠାକୁ ଯାଇ ଏତଲା ଦେଇଥିଲେ। ପୁଲିସ କମିସନର ସୁଧା˚ଶୁ ଷଢ଼ଙ୍ଗୀ, ଡିସିପି ପ୍ରତୀକ ସି˚ହଙ୍କ ସମେତ ଲାଲବାଗ ଥାନା ଆଇଆଇସି ଆଶୁତୋଷ ମିଶ୍ର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସାଇଣ୍ଟିଫିକ୍‌ ଟିମ୍ ଫିଙ୍ଗରପ୍ରିଣ୍ଟ୍‌ ସ˚ଗ୍ରହ କରିଥିବା ବେଳେ ସନ୍ଧାନୀ କୁକୁରକୁ ମଧ୍ୟ ନିୟୋଜନ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ୪ ଜଣ ଦୁର୍ବୃତ୍ତ ଆସିଥିବା କୁହାଯାଉଥିବା ବେଳେ ବାହାରେ ସେଭଳି କେହି ଛକି ରହିଥିଲେ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ପୁଲିସ ହାତରେ ଲାଗିପାରି ନାହିଁ। ଦୁର୍ବୃତ୍ତମାନେ ମୁଖା ପିନ୍ଧିବା ସହିତ ହେଲମେଟ୍‌ ପିନ୍ଧିଥିଲେ। ଏମାନେ ଉଭୟ ଓଡ଼ିଆ ଓ ହିନ୍ଦୀ ଭାଷାରେ କଥା ହେଉଥିଲେ।

ଏହି ଗ୍ୟାଙ୍ଗରେ ଉତ୍ତରପ୍ରଦେଶର ଡକାୟତି ଦଳ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଅନ୍ୟପଟେ ପୁଲିସ ମୋବାଇଲ୍‌ ଟ୍ରାକି˚ କରିବା ପରେ ସେମାନଙ୍କ ମଧ୍ୟରୁ ଜଣେ ସାଲେପୁର ଆଡ଼କୁ ଯାଉଥିବା ବେଳେ ଏଥିରେ କେନ୍ଦ୍ରାପଡ଼ା ଅଞ୍ଚଳର ନିର୍ଦ୍ଦିଷ୍ଟ କିଛି ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ସ˚ସ୍ଥା ପରିସରରେ ଲାଗିଥିବା ସିସି କ୍ୟାମେରାକୁ ଦୁର୍ବୃତ୍ତମାନେ ବୁଲାଇ ଦେଇଥିବା ବେଳେ ହାର୍ଡ ଡିସ୍କ କରପ୍ଟ ହୋଇଥିବାରୁ ମୁମ୍ବାଇରେ ଥିବା ସେଣ୍ଟ୍ରାଲ୍‌ ଷ୍ଟୋରେଜକୁ ପୁଲିସ ତଥ୍ୟ ମାଗିଛି। ଏବେ ନୟାସଡ଼କ ଅଞ୍ଚଳରେ ଥିବା ଦୋକାନ ଓ ବ୍ୟାଙ୍କର ସିସି କ୍ୟାମେରା ଫୁଟେଜ୍‌ ପୁଲିସ ସ˚ଗ୍ରହ କରୁଛି।

କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଏହି ଋଣ ପ୍ରଦାନକାରୀ ସ˚ସ୍ଥାରେ କୋଟି କୋଟି ଟଙ୍କାର ଅର୍ଥ ଓ ସୁନା ଅଳଙ୍କାର କାରବାର ହେଉଥିବା ବେଳେ କେହି ସଶସ୍ତ୍ର ସୁରକ୍ଷାକର୍ମୀ ସେଠାରେ ନିୟୋଜିତ ହୋଇନଥିଲେ। ନିୟୋଜିତ ହୋଇଥିବା ଜଣେ ସୁରକ୍ଷା କର୍ମୀଙ୍କୁ ମୁଥ ମାରିବା ସହିତ ବନ୍ଧୁକ ଦେଖାଇ ଭିତରେ ପଶିବାରେ ଡକାୟତି ଦଳଙ୍କୁ ସହଜ ହୋଇଥିଲା। ସାଇରନ ବ୍ୟବସ୍ଥା ଥିବାବେଳେ ଦୁର୍ବୃତ୍ତମାନେ ତାର କାଟିଦେଇଥିବା ଦେଖିବାକୁ ମିଳିଛି। କଟକ ସହର ବାହାରକୁ ଯେଭଳି ଦୁର୍ବୃତ୍ତ ଖସି ନପାରନ୍ତି, ସେଥିପାଇଁ ପୁଲିସ ଟିମ୍‌ କଟକ ଗ୍ରାମାଞ୍ଚଳ, କେନ୍ଦ୍ରାପଡ଼ା, ଜଗତସି˚ହପୁର, ଭୁବନେଶ୍ବର ସୀମାକୁ ସିଲ୍‌ କରିଛି। ଦୁର୍ବୃତ୍ତମାନେ ଯେଉଁ ବାଇକରେ ଆସିଥିଲେ, ଉକ୍ତ ବାଇକଗୁଡ଼ିକୁ ଯାଞ୍ଚ କରାଯାଉଛି। ସ˚ସ୍ଥା ନିକଟରେ ଥିବା ଜୁଏଲାରୀ ଦୋକାନର ଜଣେ କର୍ମଚାରୀଙ୍କ କହିବା ଅନୁଯାୟୀ, ପ୍ରାୟ ଅଧଘଣ୍ଟା ଭିତରେ ଡକାୟତି ଘଟିଥିବା ବେଳେ ଦୁର୍ବୃତ୍ତମାନେ ଗଲା ବେଳକୁ ଦୌଡ଼ାଦୌଡ଼ି ହୋଇ ଯାଇଥିଲେ। ଏହି ମାମଲାର ତଦନ୍ତ ପାଇଁ ୩ଟି ପୁଲିସ ଟିମ୍‌ ଗଠନ କରାଯାଇଛି।

ପୁଲିସ କମିସନର ଡକ୍ଟର ସୁଧା˚ଶୁ ଷଡ଼ଙ୍ଗୀ କହିଛନ୍ତି ଯେ ଏଭଳି କାଣ୍ଡ ଯୋଜନାବଦ୍ଧ ଭାବେ କରାଯାଇଛି। ଏହି ଘଟଣାର ତଦନ୍ତ ପାଇଁ ଏକ ଦଳ ଗଠନ କରି ବଛାବଛା ଅଫିସରଙ୍କୁ ରଖାଯାଇଛି। ଡିସିପି କଟକ ଏହି ଦଳର ନେତୃତ୍ବ ନେଉଛନ୍ତି। ଏଥିରେ ଅନ୍ତଃରାଜ୍ୟ ଅପରାଧୀଙ୍କ ହାତ ଥିଲା ଭଳି ସନ୍ଦେହ କରାଯାଉଥିବା ଡକ୍ଟର ଷଡ଼ଙ୍ଗୀ କହିଛନ୍ତି। ଅନ୍ୟପଟେ ନୟାସଡ଼କ ଆଇଆଇଏଫଏଲ ଫାଇନାନ୍ସର ମ୍ୟାନେଜର ସତ୍ୟମ୍‌ ପ୍ରଧାନ କହିଛନ୍ତି ଯେ ଏଭଳି ମାମଲାରେ ସ˚ସ୍ଥାର କୌଣସି କର୍ମଚାରୀଙ୍କ ସମ୍ପୃକ୍ତି ଥିବାର ସମ୍ଭାବନା ନାହିଁ।

ସମ୍ବନ୍ଧିତ ଖବର