୧.୨ ଲକ୍ଷ କୋଟିର ଖର୍ଚ୍ଚ ଯୋଜନା

ମନ୍ତ୍ରୀ ପରିଷଦରେ ଚିଠା ବଜେଟ୍‌କୁ ମଞ୍ଜୁରି
୨୦୧୮-୧୯ ଲାଗି କାର୍ଯ୍ୟକ୍ରମ ଖର୍ଚ୍ଚ ୬୨ ହଜାର କୋଟି
ଟାର୍ଗେଟରେ ଚାଷୀ, ଜଳସେଚନ, ଗୃହ ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ
୨୩ରେ ବଜେଟ୍‌ ଆଗତ ହେବ

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଚିଠା ବଜେଟ୍‌କୁ ଅନୁମୋଦନ ମିଳିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ପ୍ରାୟ ୧ଲକ୍ଷ ୨୦ ହଜାର କୋଟିର ଚିଠା ବଜେଟ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ କାର୍ଯ୍ୟକ୍ରମ ଖର୍ଚ୍ଚ ବାବଦରେ ପ୍ରାୟ ୬୨ହଜାର କୋଟି ବିନିଯୋଗ ଲାଗି ଯୋଜନା ହୋଇଛି। ମୁଖ୍ୟତଃ ଗ୍ରାମାଞ୍ଚଳର ବିକାଶ, ଗୃହନିର୍ମାଣ, ଚାଷୀଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି ଓ ଜଳସେଚନକୁ ବଜେଟ୍‌ରେ ଗୁରୁତ୍ୱ ଦିଆଯାଇଛି। ସମସ୍ତଙ୍କୁ ଖୁସି କରିବା ଲାଗି ବଜେଟ୍‌ରେ ଏକାଧିକ ନୂଆ ଘୋଷଣା କରାଯିବ।

ଅନ୍ୟପକ୍ଷରେ, ବଳକା ଯୋଗ୍ୟ ବିବେଚିତ ବ୍ୟକ୍ତିଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିବା ଲାଗି ଆଜି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ଯୋଜନାରେ (୨୦୧୧ ପରେ ଯୋଗ୍ୟ ବ୍ୟକ୍ତି) ଏମାନଙ୍କୁ ସାମିଲ କରିବା ଲାଗି ଅମଙ୍ଗ ହୋଇଥିବାରୁ ସରକାର ନିଜ ଟଙ୍କାରେ ଚାଉଳ ଯୋଗାଇବାକୁ ଶ୍ରୀ ପାତ୍ର ଆଜି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମ୍ଭବତଃ ସରକାର ଏହାକୁ ବଜେଟ୍‌ରେ ସାମିଲ କରିପାରନ୍ତି।

ଏହାବ୍ୟତୀତ ମନ୍ତ୍ରୀମାନେ ଦେଇଥିବା ଏକାଧିକ ପ୍ରସ୍ତାବ ଉପରେ ଅର୍ଥ ବିଭାଗ ଅନୁକୂଳ ମନ୍ତବ୍ୟ ରଖିଥିବାରୁ ବଜେଟ୍‌ ଆକାର ସାମାନ୍ୟ ଏପଟସେପଟ ହୋଇପାରେ ବୋଲି କୁହାଯାଇଛି। କେନ୍ଦ୍ରୀୟ ଢାଞ୍ଚାରେ ଏଥର ମଧ୍ୟ ସମୁଦାୟ ବଜେଟ୍‌କୁ ପ୍ରଶାସନିକ ଖର୍ଚ୍ଚ, କାର୍ଯ୍ୟକ୍ରମ ଖର୍ଚ୍ଚ, ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ଓ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହେଉଥିବା ଅର୍ଥରୁ ଖର୍ଚ୍ଚ ଏହିଭଳି ମୋଟ ୪ ଭାଗରେ ବିଭକ୍ତ କରାଯାଇ ବଜେଟ୍‌ ପ୍ରସ୍ତୁତ ହୋଇଛି। ମୁଖ୍ୟମନ୍ତ୍ରୀ ନିର୍ଧାରିତ ସମୟରେ ଅର୍ଥ ଖର୍ଚ୍ଚ ଉପରେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ. ଏଥର ବଜେଟ୍‌ରେ ଅନୁଦାନ କ୍ଷେତ୍ରରେ କେନ୍ଦ୍ର ସରକାର ପୂର୍ବାପେକ୍ଷା କମ୍‌ ଅର୍ଥ ଦେବେ। ଅଳ୍ପ କିଛି ଯୋଜନା ଉପରେ ବି ଅର୍ଥ କାଟ୍‌ କରାଯାଉଛି। କିନ୍ତୁ ଗୃହ ନିର୍ମାଣ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ଅଧିକ ଅର୍ଥ ଦେଉଛନ୍ତି। ଏଣୁ ଏ କ୍ଷେତ୍ରରେ ବଜେଟ୍‌ରେ ଏକ ବଡ଼ ଅର୍ଥ ବରାଦ କରାଯାଉଛି। ବିଭିନ୍ନ ସରକାରୀ କର୍ମଚାରୀଙ୍କୁ ସନ୍ତୁଷ୍ଟ କରିବା ଲାଗି ଯେଉଁ ପ୍ରତିଶ୍ରୁତି ଦିଆଯାଇଛି, ସେ ବାବଦରେ ଅର୍ଥ ବରାଦ କରିଛନ୍ତି ସରକାର। କର୍ମଚାରୀଙ୍କ ବକେୟା ପ୍ରାପ୍ୟ, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ଘୋଷଣା ହୋଇଥିବା ନୂଆ ଯୋଜନା ପାଇଁ ବଜେଟ୍‌ରେ ଅର୍ଥ ବରାଦ ହୋଇଛି। ଚାଷୀଙ୍କୁ ପେନସନ୍‌ ବା ଋଣ ଛାଡ଼ ଭଳି ଏକ ବଡ଼ ନିଷ୍ପତ୍ତି ନିଆଯାଇପାରେ। କଳାକାର ଭତ୍ତା ଆଦି ବାବଦରେ ଅର୍ଥ ବରାଦ କରାଯାଇଛି। ଘୋଷଣା ହୋଇଥିବା ଜଳସେଚନ ପ୍ରକଳ୍ପ ପାଇଁ ଅର୍ଥ ଦିଆଯିବା ନେଇ ପ୍ରସ୍ତାବ ରହିଛି। ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଅଧିକାଂଶ ପୁରୁଣା ଯୋଜନା ଲାଗି ବ୍ୟାପକ ଅର୍ଥ ବ୍ୟବସ୍ଥା କରିଛନ୍ତି।

ଆସନ୍ତା ୨୦ ତାରିଖରୁ ବିଧାନସଭା ଅଧିବେଶନ ଆରମ୍ଭ ହେଉଥିଲେ ହେଁ, ୨୩ ତାରିଖ ଦିନ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ବଜେଟ୍‌ ଉପସ୍ଥାପନ କରିବେ। ମାର୍ଚ୍ଚ ୩୧ ତାରିଖରେ ୧ମାସର ବ୍ୟୟ ବରାଦ ଅନୁମୋଦନ କରାଯିବ ଓ ବଳକା ଏପ୍ରିଲ ମାସରେ।

୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୧ଲକ୍ଷ ୬ ହଜାର ୯୧୦ କୋଟି ଟଙ୍କାର ବଜେଟ୍‌ ଉପସ୍ଥାପନ କରିଥିଲେ। ପୂର୍ବ ଆର୍ଥିକ ବର୍ଷ ତୁଳନାରେ ଏହାର ଆକାର ପ୍ରାୟ ୧୩.୭ ପ୍ରତିଶତ ଅଧିକ ଥିଲା। ଏହାବ୍ୟତୀତ ଏହି ବର୍ଷ ପାଇଁ ୯୮୨୮ କୋଟି ୫୭ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ୍‌କୁ ବିଧାନସଭା ଅନୁମୋଦନ ଦେଇଥିଲେ। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ସୁଦ୍ଧା ରାଜ୍ୟର ଖର୍ଚ୍ଚର୍ ଏବଂ ରାଜସ୍ୱ ଆଦାୟ ପରିମାଣରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି। ରାଜସ୍ୱ ଆଦାୟ ୨୫ ପ୍ରତିଶତ ବଢିଛି।

ଓଡ଼ିଶା ଷ୍ଟାର୍ଟ ଅପ୍‌ ନୀତି ସଂଶୋଧନ ହେବ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ୍‌ ଆଜି ଓଡ଼ିଶା ଷ୍ଟାର୍ଟ ଅପ୍‌ ନୀତି, ୨୦୧୬ରେ କେତେକ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି। ୨୦୨୦ ସୁଦ୍ଧା ଭାରତର ତିନୋଟି ପ୍ରମୁଖ ଷ୍ଟାର୍ଟ ଅପ୍‌ ହବ୍‌ ମଧ୍ୟରେ ଓଡ଼ିଶାକୁ ସାମିଲ କରିବା ପାଇଁ ଷ୍ଟାଟ୍‌ ଅପ୍‌ ନୀତିରେ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କେବଳ ସେତିକି ନୁହେଁ, ମହିଳା, ତୃତୀୟ ଲିଙ୍ଗୀ, ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ବର୍ଗ ଏବଂ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ସୁବିଧା ଦେବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ଷ୍ଟାର୍ଟ ଅପ୍‌ର ପ୍ରତିଷ୍ଠାତା ବା ସହ ପ୍ରତିଷ୍ଠାତା ମହିଳା ହୋଇଥିଲେ, ସେମାନଙ୍କ କ୍ଷେତ୍ରରେ ୩୩ ପ୍ରତିଶତ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦିଆଯିବ।

ଷ୍ଟାଟ୍‌ ଅପ୍‌ ଆରମ୍ଭ କରୁଥିବା କୌଣସି ମହିଳା, ତୃତୀୟ ଲିଙ୍ଗୀ, ସାମାଜିକ ଅନଗ୍ରସର ବର୍ଗ, ଅନୁସୂଚିତ ଜାତି ଓ ଜନଜାତି, ଭିନ୍ନକ୍ଷମ ମହିଳା ଉଦ୍ୟୋଗୀଙ୍କୁ ମାସିକ ୨୨ହଜାର ଟଙ୍କାର ଭତ୍ତା ଯୋଗାଇବା ପାଇଁ କ୍ୟାବିନେଟ୍‌ରେ ସ୍ଥିର ହୋଇଛି। ସେହି ପର୍ଯ୍ୟାୟର ଉଦ୍ୟୋଗୀଙ୍କୁ ମଧ୍ୟ ଉତ୍ପାଦିତ ସାମଗ୍ରୀର ବିକାଶ, ବିପଣନ ଓ ପ୍ରଚାର ପାଇଁ ସହାୟତା ରାଶି ୧୬ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସହାୟତା ପାଇବା ଲାଗି ଷ୍ଟାର୍ଟ ଅପ୍‌ ଉଦ୍ୟୋଗର ମାସିକ ରାଜସ୍ୱ ୧୦ଲକ୍ଷରୁ ଅଢେଇ ଲକ୍ଷ ଟଙ୍କାକୁ ସରକାର ହ୍ରାସ କରିଛନ୍ତି। ଏହା ୬ମାସ ପର୍ଯ୍ୟନ୍ତ ବଳବତ୍ତର ରହିଲେ ସହାୟତା ପାଇଁ ଉଦ୍ୟୋଗୀମାନେ ଯୋଗ୍ୟ ବିବେଚିତ ହେବେ।

ସେହିଭଳି ସ୍ୱୀକୃତିପ୍ରାପ୍ତ ଇନ୍‌କ୍ୟୁବେଟରମାନଙ୍କରେ ଇନ୍‌କ୍ୟୁବେଟ୍‌ ହେଉଥିବା ସ୍ୱୀକୃତ ଷ୍ଟାର୍ଟ ଅଫ୍‌କୁ ସବ୍‌ସିଡି ପ୍ରଦାନ ପାଇଁ ନିଷ୍ପତ୍ତି ହୋଇଛି। ଇନକ୍ୟୁବେସନ୍‌ ଅବଧିରେ ଦିଆଯାଉଥିବା ମାସିକ ଭଡାର ୫୦ ପ୍ରତିଶତ କିମ୍ବା ସର୍ବୋଚ୍ଚ ୫ହଜାର ଟଙ୍କା ସର୍ବାଧିକ ବର୍ଷକ ପାଇଁ ସବ୍‌ସିଡି ଆକାରରେ ଦିଆଯିବ। ଏହାଭିନ୍ନ ଖ୍ୟାତ ସମ୍ପନ୍ନ ଜାତୀୟ ତଥା ଅନ୍ତର୍ଜାତୀୟ ମେଳା ମାନଙ୍କରେ ଅଂଶଗ୍ରହଣ କରିବା ପାଇଁ ସ୍ୱୀକୃତ ଷ୍ଟାର୍ଟ ଅପ୍‌କୁ ଯାତ୍ରା ଓ ସ୍ଥାନ ସହାୟତା ଯୋଗାଇଦେବାକୁ ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର