ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ ଥମୁନି ଜିଏସ୍ଟି ଠକେଇ। ଏହାର କେନ୍ଦ୍ରରେ ରହିଛି ରାଉରକେଲା ସହର। ଗୋଟିଏ ବିଭାଗ ୪୪ ମାସରେ ୪୨୧ କୋଟି ଟଙ୍କା ଜିଏସ୍ଟି ଠକେଇ ପର୍ଦ୍ଦାଫାସ କରି ପାରିଛି, ଅନ୍ୟ ଦୁଇଟି ବିଭାଗ ଧରିଥିବା ଠକେଇ ପରିମାଣ ପାଖାପାଖି ୮୦୦ କୋଟିରୁ ଅଧିକ ହୋଇପାରେ। ଏମିତି ଭାବେ ୪୪ ମାସରେ ରାଉରକେଲାରୁ ପାଖାପାଖି ୧୨୦୦ କୋଟି ଟଙ୍କାରୁ ଅଧିକ ଜିଏସ୍ଟି ଠକେଇ ହୋଇଛି।
ସୁନ୍ଦରଗଡ ଜିଲ୍ଲାରେ କେନ୍ଦ୍ରୀୟ ଜିଏସ୍ଟି, ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ୱିଙ୍ଗ ଓ କେନ୍ଦ୍ରୀୟ ଜିଏସଟି ଏସ୍ଫୋର୍ସମେଣ୍ଟ ୱିଙ୍ଗ୍ ଏଭଳି ଜାଲ୍ କାରବାର କରୁଥିବା ବ୍ୟବସାୟୀଙ୍କ ଉପରେ ନଜର ରଖିଛନ୍ତି। ତଥାପି କରିତ୍କର୍ମା ବ୍ୟବସାୟୀମାନେ ଏମାନଙ୍କୁ ଚକ୍ମା ଦେଇ ଜାଲ୍ ବିଲ୍ ଜରିଆରେ କୋଟି କୋଟି ଟଙ୍କାର ଜାଲ୍ ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ହାତେଇବାରେ ସକ୍ଷମ ହେଉଛନ୍ତି। ଯାହାର କାଣିଚାଏ ଟେର୍ ମଧ୍ୟ ପାଉନାହାନ୍ତି ବିଭାଗୀୟ ଅଧିକାରୀ। ପ୍ରତିବର୍ଷ ୮ରୁ ୧୦ ବ୍ୟବସାୟୀ ତିନିଟି ବିଭାଗ ଅଧିକାରୀଙ୍କ ପଞ୍ଝାରେ ପଢ଼ୁଛନ୍ତି। ଜେଲ୍ ଯାଉଛନ୍ତି। ଏମାନଙ୍କ ଜାଲ୍ ଫାର୍ମକୁ କଳା ତାଲିକାଭୁକ୍ତ କରାଯାଉଛି। ତଥାପି ଜିଲ୍ଲାରେ ଜିଏସଟି ଜାଲ୍ କାରବାର କମିବା ପରିବର୍ତ୍ତେ ବଢ଼ି ବଢ଼ି ଚାଲିଛି।
କେନ୍ଦ୍ରୀୟ ଜିଏସ୍ଟି ରାଉରକେଲା ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ୪୪ ମାସରେ କେବଳ ରାଉରକେଲା ସହରରେ ୪୨୧ କୋଟି ୭୩ ଲକ୍ଷ ୭୬୦ ହଜାର ଜିଏସ୍ଟି ଠକେଇ ହୋଇଛି। ଜାଲ୍ ଫାର୍ମ ଖୋଲି ଦୁଇ ଚକିଆ ଯାନ, ସ୍କୁଟି, କାର ଓ ତିକି ଚକିଆ ଜାନ ଜରିଆରେ ଟନ୍ ଟନ୍ ପରିମାଣରେ ମାଲ ପରିବହନ କରିଥିବା କାଗଜପତ୍ରରେ ଦର୍ଶାଇଛନ୍ତି। ବାସ୍ତବରେ ଏମିତି କିଛି ହୋଇ ନାହିଁ, ସବୁ କିଛି କାଗଜପତ୍ରରେ କରାଯାଇଛି। ୨୦୧୮-୧୯ରେ ରାଉରକେଲାରେ କେବଳ କୋଟିଏ ବିଭାଗ ସର୍ବାଧିକ ୩୮୨ କୋଟି ୨ ଲକ୍ଷ ୬୦ ହଜାର ଠକେଇ କରିଛନ୍ତି। ୨୦୧୯-୨୦ରେ ୧୬ କୋଟି ୭୨ ଲକ୍ଷ , ୨୦୨୦-୨୧ରେ ୨୧ କୋଟି ୯୯ ଲକ୍ଷ ୮୪ ହଜାର, ୨୦୨୧-୨୨ ଅଗଷ୍ଟ ମାସ ସୁଦ୍ଧା ୯୯ କୋଟି ୩୨ ହଜାର ଟଙ୍କା ଠକେଇ ହୋଇଛି। କେନ୍ଦ୍ରୀୟ ଜିଏସ୍ଟି ଟିମ୍ ପାୱାର ହାଉସ୍ ରୋଡର କମଲ ପସାରୀ ନାମକ ଜଣେ ବ୍ୟବସାୟୀଙ୍କୁ ଗିରଫ କରି ଜେଲ୍ ହାତକୁ ପଠାଇଛି। କମଲ ୧୬ କୋଟି ୭୨ ଲକ୍ଷ ଟଙ୍କା ଜିଏସ୍ଟି ଠକେଇ କରିଛନ୍ତି। ଏହି ପରିମାଣ ଆହୁରି ବଢ଼ିପାରେ। ଯଦି ଗୋଟିଏ ବିଭାଗ ୪୪ ମାସରେ ୪୨୧ କୋଟି ଟଙ୍କା ଜିଏସ୍ଟି ଠକେଇ ପର୍ଦ୍ଦାଫାସ କରି ପାରିଛି, ଅନ୍ୟ ଦୁଇଟି ବିଭାଗ ଠକେଇ ପରିମାଣ ପାଖାପାଖି ୮୦୦ କୋଟିରୁ ଅଧିକ ହୋଇପାରେ। ଏମିତି ଭାବେ ୪୪ ମାସରେ ରାଉରକେଲାରୁ ପାଖାପାଖି ୧୨୦୦ କୋଟି ଟଙ୍କାରୁ ଅଧିକ ଜିଏସ୍ଠି ଠକେଇ ହୋଇଥିବା ଅାକଳନ କରାଯାଇଛି।