ଭୁବନେଶ୍ବର: ମୁମ୍ବାଇର ନେସ୍କୋ ପଡ଼ିଆରେ ଅନୁଷ୍ଠିତ ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ରେ ଜାତୀୟ ଜଳପଥ-୫ (ଏନ୍‌ଡବ୍ଲୁ-୫) ଏବଂ ଜାତୀୟ ଜଳପଥ-୬୪ (ଏନ୍‌ଡବ୍ଲୁ-୬୪)ର ବିକାଶ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ଭାରତୀୟ ଆଭ୍ୟନ୍ତରୀଣ ଜଳପଥ ପ୍ରାଧିକରଣ(ଆଇଡବ୍ଲୁଏଆଇ), ଓଡ଼ିଶା ସରକାର, ପାରାଦୀପ ବନ୍ଦର ଓ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍( ଏମ୍‌ସିଏଲ) ମଧ୍ୟରେ ଏହି ଚୁକ୍ତି ହୋଇଛି। ଏହି ଜାତୀୟ ଜଳପଥରେ ପାରାଦୀପ ଓ ଧମରା  ବନ୍ଦର ସହିତ ମହାନଦୀ ଓ ବ୍ରାହ୍ମଣୀ ନଦୀକୁ ଉପଯୋଗ କରି ମାଲ ପରିବହନ ଏବଂ ଆଞ୍ଚଳିକ ଆର୍ଥିକ ଅଭିବୃଦ୍ଧି ପାଇଁ ନଦୀପ୍ରଣାଳୀକୁ ଉପଯୋଗ କରାଯିବ। ଏଥିରେ ୧୨,୨୦୦ କୋଟି ଟଙ୍କା ନିବେଶ ହେବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁରଙ୍କ ଉପସ୍ଥିତିରେ ଏହି ବୁଝାମଣାପତ୍ର ହୋଇଥିଲା। ଓଡିଶା ସରକାରଙ୍କ ପକ୍ଷରୁପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ। ଆଭ୍ୟନ୍ତରୀଣ ଜଳପଥ ମାଧ୍ୟମରେ ତାଳଚେର କୋଇଲାକ୍ଷେତ୍ରରୁ ପାରାଦୀପ ଏବଂ ଧାମରା ବନ୍ଦରକୁ କୋଇଲା ଏବଂ ଅନ୍ୟାନ୍ୟ ସାମଗ୍ରୀ ପରିବହନ ହୋଇପାରିବ। ଏହା ଲଜିଷ୍ଟିକ୍ସ୍‌ ଖର୍ଚ୍ଚ ହ୍ରାସ କରିବା ସହ ରାସ୍ତା ଓ ରେଳପଥ ଉପରେ ଥିବା ଟ୍ରାଫିକ୍ ଚାପ କମ୍ କରିବ ଏବଂ ଦୁର୍ଘଟଣା ମଧ୍ୟ ହ୍ରାସ କରିବାରେ ସହାୟକ ହେବ। ଏଥି ସହିତ ପରିବେଶ ଅନୁକୂଳ ପରିବହନକୁ ପ୍ରୋତ୍ସାହିତ କରିବ।

Advertisment

ଭାରତ ସରକାରଙ୍କ ବିକଶିତ ଭାରତ-୨୦୪୭ ଦୃଷ୍ଟିକୋଣ ସହିତ ଏହି ପ୍ରକଳ୍ପ ସମନ୍ବିତ ‌ରହିଛି।  ଏହି ପ୍ରକଳ୍ପ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ଯାନ ଓଡ଼ିଶା ଲିମଟେଡ୍ (ଇଡବ୍ଲୁସିଓଏଲ୍) ମାଧ୍ୟମରେ କାର୍ଯ୍ୟକାରୀ କରାଯିବ। ଆଇଡବ୍ଲୁଏଆଇ ପକ୍ଷରୁ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତି, ବୈଧାନିକ ମଞ୍ଜୁରି ହାସଲ ଏବଂ ଟର୍ମିନାଲ, ବ୍ୟାରେଜ୍ ଓ ନାଭିଗେସନ୍ ବ୍ୟବସ୍ଥା ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ବିକାଶ କରାଯିବ। ଓଡ଼ିଶା ସରକାର ଜବରଦଖଲମୁକ୍ତ ଜମି ଯୋଗାଇବା, ମଞ୍ଜୁରିକୁ ସହଜ କରିବ ଏବଂ ପ୍ରଶାସନିକ ସହାୟତା ପ୍ରଦାନ କରିବେ। ଏମସିଏଲ୍‌ ନିଶ୍ଚିତ ସାମଗ୍ରୀ ପରିବହନ ଏବଂ ପ୍ରଥମ ମାଇଲ୍ ସଂଯୋଗ ପ୍ରଦାନ କରିବ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ସାମଗ୍ରୀ ପରିଚାଳନା ଜଳପଥ ପରିବହନକୁ ପ୍ରୋତ୍ସାହିତ କରିବ।