ଜଙ୍ଗଲ ପାଇଁ ୧୨୪୧ କୋଟିର ବାର୍ଷିକ ଯୋଜନା

‘କାମ୍ପା’ର ଷ୍ଟିୟରିଂ କମିଟି ବୈଠକ
ଅଧିକ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରାଯିବ

ଭୁବନେଶ୍ବର : ୨୦୨୨-୨୩ ବର୍ଷ ପାଇଁ କାମ୍ପା ଅଧୀନରେ ୧୨୪୧ କୋଟି ଟଙ୍କାର ବାର୍ଷିକ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାର ପ୍ରମୁଖ କାର୍ଯ୍ୟଗୁଡ଼ିକ ହେଲା କ୍ଷତିପୂରଣ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ବନ୍ୟଜନ୍ତୁଙ୍କ ବାସସ୍ଥଳୀର ବିକାଶ, ନୂଆ ବୃକ୍ଷରୋପଣ, ପୁରୁଣା ବୃକ୍ଷରୋପଣ ପ୍ରକଳ୍ପର ରକ୍ଷଣାବେକ୍ଷଣ, ମୃତ୍ତିକା ସଂରକ୍ଷଣ, ଅଗ୍ନି ନିରାପତ୍ତା ବ୍ୟବସ୍ଥା, ଆଗଧାଡ଼ିର କର୍ମଚାରୀଙ୍କୁ ଭିତ୍ତିଭୂମି ସହାୟକ ଇତ୍ୟାଦି। ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା କାମ୍ପାର ରାଜ୍ୟସ୍ତରୀୟ ଷ୍ଟିୟରିଂ କମିଟି ବୈଠକରେ ବାର୍ଷିକ ଯୋଜନାକୁ ଅନୁମୋଦନ ଦିଆଯାଇଛି। ଯୋଜନାକୁ କାର୍ଯ୍ୟକାରୀ କଲା ବେଳେ ୧୦ ହଜାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ବନ ସଂରକ୍ଷଣ ସମିତିକୁ ସାମିଲ କରାଯିବାକୁ ନିଷ୍ପତ୍ତି ହୋଇଛି।

ବୈଠକରେ ଜଙ୍ଗଲରେ ନିଆଁ ରୋକିବା ଉପରେ ଶ୍ରୀ ମହାପାତ୍ର ଗୁରୁତ୍ବାରୋପ କରିଥିଲେ। ସେ କହିଥିଲେ ଯେ, ଯେହେତୁ ଜଙ୍ଗଲ ନିଆଁ ବହୁ ପରିମାଣରେ ଗଛ ଓ ବନ୍ୟଜନ୍ତୁଙ୍କ ଜୀବନକୁ ବିପନ୍ନ କରୁଛି, ତେଣୁ କ୍ଷେତ୍ର ଅଧିକାରୀମାନେ ନିଆଁ ଲାଗିବା ଓ ବ୍ୟାପିବା ନେଇ ସତର୍କ ରହିବାକୁ ପଡ଼ିବ। ଡିଏଫ୍‌ଓ ଓ କ୍ଷେତ୍ର ଅଧିକାରୀମାନେ ନିଆଁ ନ ବ୍ୟାପିବା ପାଇଁ ଅଧିକ ଫାୟାର-ବ୍ରେକ୍ ଲାଇନ୍ ରଖିବେ ଓ ସେଗୁଡ଼ିକ ନିୟମିତ ଭାବେ ସଫା ରଖିବେ। ଏହି କାମରେ ସ୍ଥାନୀୟ ଲୋକଙ୍କ ସକ୍ରିୟ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଚାରା ବୃଦ୍ଧି କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଭାରତୀୟ ରାଜ୍ୟ ସମୂହ ଜଙ୍ଗଲ ରିପୋର୍ଟ- ୨୦୨୧ରେ ଓଡ଼ିଶାର ଉଲ୍ଳେଖନୀୟ ସଫଳତା ପାଇଁ ଶ୍ରୀ ମହାପାତ୍ର ବିଭାଗକୁ ପ୍ରଶଂସା କରିଥିଲେ। ‘ଆମ ଜଙ୍ଗଲ ଯୋଜନା’ ଓ ‘ଯୁଗ୍ମ ଜଙ୍ଗଲ ପରିଚାଳନା’ରେ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମର ଏହା ଫଳାଫଳ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ।

ଜଙ୍ଗଲ କ୍ଷେତ୍ରରେ ବିନିଯୋଗ ହେଉଥିବା ଅର୍ଥକୁ ତୃତୀୟ ପକ୍ଷ ଦ୍ବାରା ମୂଲ୍ୟାୟନ କରିବା ଉପରେ ଉନ୍ନୟନ କମିସନର୍‌ ପ୍ରଦୀପ କୁମାର ଜେନା ଗୁରୁତ୍ବାରୋପ କରିଥିଲେ। ଏହାର ଫଳାଫଳ ଉପରେ ଏକ ପୂର୍ଣ୍ଣାଙ୍ଗ ରିପୋର୍ଟ ପ୍ରସ୍ତୁତ କରିବାକୁ ସେ କହିଥିଲେ।

ପ୍ରମୁଖ ବନ ସଂରକ୍ଷକ ଶିଶିର କୁମାର ରଥ କହିଥିଲେ ଯେ ଆମ ଜଙ୍ଗଲ ଯୋଜନାରେ ଅଧୀନରେ ୧୫ ହଜାର ହେକ୍ଟର ବୃକ୍ଷରୋପଣ କରାଯିବ। ୬୯ କୋଟି ଟଙ୍କା ବିନିଯୋଗରେ ୫୦୦ ବନ ସଂରକ୍ଷଣ ସମିତି ଅଧୀନରେ ଏହି ବୃକ୍ଷରୋପଣ କରାଯିବ। ୪୬୦୦ ବନ ସଂରକ୍ଷଣ ସମିତି ବନୀକରଣ ଓ ସଂରକ୍ଷଣ କାର୍ଯ୍ୟରେ ସାମିଲ ହୋଇଛନ୍ତି। ଏହି ବୈଠକରେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ରାଜସ୍ବ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଓ କାମ୍ପାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାର ପ୍ରଦୀପ ରାଜ କରକଟ୍‌ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର