ରାଜ୍ୟ ବଜେଟ୍‌ ୨୦୧୮-୧୯: ପୁରୁଷ ବିଶ୍ୱ କପ୍‌ ହକି ପାଇଁ ୧୨୫ କୋଟି ଟଙ୍କା

ଭୁବନେଶ୍ୱର: ପୁରୁଷ ବିଶ୍ୱ କପ୍‌ ହକି ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୧୮-୧୯ ବଜେଟ୍‌ରେ ୧୨୫ କୋଟି ଟଙ୍କା ପ୍ରସ୍ତାବ ରଖିଛନ୍ତି। ହକି ବିଶ୍ୱ କପ୍‌ର ୧୪ତମ ସଂସ୍କରଣ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଗାମୀ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୧୬ରେ ଶେଷ ହେବ। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଦ୍ୱାରା ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ରାଜ୍ୟ ସରକାର କ୍ରୀଡ଼ା ଓ କ୍ରୀଡ଼ା ପ୍ରତିଭାଙ୍କୁ ଗୁରୁତ୍ୱ ଦେଇଛନ୍ତି।

ସରକାର ମହିଳା କ୍ରୀଡ଼ାବିଦ୍‌ଙ୍କୁ ମଧ୍ୟ ବିଗତ ବର୍ଷମାନଙ୍କ ତୁଳନାରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସେଥିପାଇଁ ସରକାର ବଜେଟ୍‌ରେ ସ୍ଥାନ ଦେଇଛନ୍ତି। କଳିଙ୍ଗ ଷ୍ଟାଡିୟମର ବିକାଶ ସହିତ ରାଉରକୋଲା ଓ ବ୍ରହ୍ମପୁରରେ କ୍ରୀଡ଼ାର ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଛନ୍ତି। ସେହିଭଳି ବଜେଟ୍‌ରେ କୋଣାର୍କlରେ ସନ୍‌ ଏଣ୍ଡ ସାଣ୍ଡ ମାରାଥନ୍‌ ପାଇଁ ୧୫ କୋଟି ଟଙ୍କା ସ୍ଥାନ ଦେଇଛନ୍ତି। ବିଜୁ ଯୁବବାହିନୀ ପାଇଁ ୧୦୩ କୋଟି ଟଙ୍କା ଉପସ୍ଥାପନ ହୋଇଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହନ ଯୋଗାଇ ସେମାନଙ୍କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାଗ ନେବାକୁ ସକ୍ଷମ କରାଇବାରେ ଉଦ୍ୟମ କରୁଛନ୍ତି ବଜେଟ୍‌ ଭାଷଣରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।

ସୂଚନାଯୋଗ୍ୟ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏଥିରେ କୃଷି, ଜଳସେଚନ, ଶିକ୍ଷା ଓ ଦକ୍ଷତା ବିକାଶକୁ ଗୁରୁତ୍ୱ ଦିଆଯାଇଛି। କୃଷି ପାଇଁ ସରକାର ୧୬, ୭୬୫ କୋଟି ଟଙ୍କାର ବ୍ୟୟ ବରାଦ କରିଥିବାବେଳେ କୃଷକ ବୀମା, ଫସଲ ବୀମା, କୃଷି ଉପକରଣ ଉପରେ ପ୍ରାଥମିକତା ଦେଇଛନ୍ତି।

ସମ୍ବନ୍ଧିତ ଖବର