ମହିଳାଙ୍କ ସଂରକ୍ଷଣ ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ

ରାୟଗଡାବାସୀଙ୍କୁ ୧୨୫୦ କୋଟିର ପ୍ରକଳ୍ପ ଭେଟି

ରାୟଗଡା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଜିଲ୍ଲା ଗସ୍ତରେ ଆସି ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦାବି ଦୋହରାଇଛନ୍ତି। ଉଭୟ ‌ସଂସଦ ଓ ବିଧାନସଭାରେ ଏହି ବ୍ୟବସ୍ଥା ପାଇଁ ସେ ତାଙ୍କ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି। ଏଥିସହିତ, ମୁଖ୍ୟମନ୍ତ୍ରୀ ରାୟଗଡ଼ାବାସୀଙ୍କ ପାଇଁ ୧୨୫୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାୟଗଡ଼ାର ଖତିଗୁଡ଼ା ପଡ଼ିଆଠାରେ ଆୟୋଜିତ ସ୍ବଂୟସହାୟକ ଗୋଷ୍ଠୀ ମହାସମାବେଶରେ ଯୋଗ ଦେଇଥିଲେ। ସେ କହିଥିଲେ ଯେ, ମିଶନ ଶକ୍ତିର ମା’ ମାନେ ବହୁତ ଭଲ କାମ କରୁଛନ୍ତି। ଏଥିପାଇଁ ସରକାର ସେମାନଙ୍କୁ ବିନା ସୁଧରେ ଋଣ ଦେଉଛନ୍ତି। ମହିଳାଙ୍କ ନେତୃତ୍ବ ଓ ଦକ୍ଷତା ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ଉଭୟ ସଂସଦ ଓ ଲୋକସଭାରେ ୩୩% ସଂରକ୍ଷଣ ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରଖିବେ ବୋଲି ସେ କହିଥିଲେ।

ଏଥିସହିତ, ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ କିଷ‌ାନ-ନିଧି ଯୋଜନା ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ସମ୍ପର୍କରେ ଏକ ତୁଳନାତ୍ମକ ଚିତ୍ର ଦେଇଥିଲେ। କେନ୍ଦ୍ର ସରକାରଙ୍କ କିଷାନ୍ ଯୋଜନାରେ ଚାଷୀଙ୍କୁ ୬ ହଜାର ବଦଳରେ ୧୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ ପାଇଁ ସେ ଦାବି କରିବା ସହ କାଳିଆ ଯୋଜନାରେ ବର୍ତମାନ ସୁଦ୍ଧା ୩୦ ଲକ୍ଷ ଛୋଟ ଚାଷୀ, ଭାଗ ଚାଷୀ, ଜମିହୀନ, କୃଷି ଶ୍ରମିକ ଉପକୃତ ହୋଇଥିବା କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାୟଗଡ଼ାବାସୀଙ୍କ ପାଇଁ ୧୨୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ୫୩୨୫୮.୫୧ ଲକ୍ଷ ବ୍ୟୟରେ ନିର୍ମିତ ହେବାକୁ ଥିବା ୪୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ ୨୦୪୮୪.୩୭ ଲକ୍ଷ ବ୍ୟୟରେ ନିର୍ମିତ ୪୧ଟି ପ୍ରକଳ୍ପର ଲୋକାର୍ପଣ କରିଥିଲେ। ଏଥିସହିତ ୧୫ଶହ ଶ୍ରମିକଙ୍କୁ ସାଇକେଲ୍, ୧୧୮୯ ହିତାଧିକାରୀଙ୍କୁ ମଧୁବାବୁ ଭତ୍ତା, ୧୨୯୭ ହିତାଧିକାରୀଙ୍କୁ ଜଙ୍ଗଲ ଜମି ଅଧିକାର ଯୋଜନାରେ ପଟ୍ଟା, ୬୭୨୯ଟି ନୂତନ ଏବଂ ପୁରାତନ ସ୍ବଂୟ ସହାୟିକା ଗୋଷ୍ଠୀ, ଡିଜିଟାଲ୍ ସଶକ୍ତିକରଣରେ ୬୭୫୩ଟି ଏସଏଚଜିକୁ ସିଡ୍ ମନି ବଣ୍ଟନର ପ୍ରାପ୍ତି ସ୍ବୀକାର ବାର୍ତା ଏବଂ ୧୪୪ଟି ସ୍ବଂୟ ସହାୟକ ଗୋଷ୍ଠୀଙ୍କୁ ମିଶନ୍ ଶକ୍ତି ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ କରିଥିଲେ। ମିଶନ୍ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟାନ୍ ଏହାର ଆଭିମୁଖ୍ୟ ସଂପର୍କରେ ମତ ରଖିଥିବାବେଳେ ମହିଳା ସମବାୟ ବିକାଶ ନିଗମ ଅଧ୍ୟକ୍ଷା ଶ୍ରୀମୟୀ କର ଧନ୍ୟବାଦ ଅର୍ପଣ କରିଥିଲେ।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ୍, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତିକେୟାନ୍ ପାଣ୍ଡିଆନ୍, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ଲୋକସଭା ସାଂସଦ ଝିନ୍ନ ହିକକା, ବିଧାୟକ ସଂଜୟ ଦାସବର୍ମା, ରାୟଗଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲାଲ୍ବିହାରୀ ହିମିରିକା, ଗୁଣପୁର ବିଧାୟକ ତ୍ରିନାଥ ଗମାଙ୍ଗ, ବିଷମକଟକ ବିଧାୟକ ଜଗନ୍ନାଥ ସାରେକା, ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ପୁଲିସ୍‌ ଡିଆଇଜି ହିମାଂଶୁ ଲାଲ୍ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର