୧୨୭୯୦ କୋଟିର ଅତିରିକ୍ତ ବଜେଟ୍‌କୁ ମଞ୍ଜୁରି

କଂଗ୍ରେସ, ବିଜେପି ସଭ୍ୟଙ୍କ କକ୍ଷତ୍ୟାଗ, ୫ ବର୍ଷ ଧରି ଖୋଲା ବଜାରରୁ ଋଣ କରାଯାଉଛି

ଭୁବନେଶ୍ୱର : ଅତିରିକ୍ତ ବ୍ୟୟମଞ୍ଜୁରି ବିଲ୍‌ ଆଜି ବିଧାନସଭାରେ ପାରିତ ହୋଇଯାଇଛି। ଆଲୋଚନାର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଶଶିଭୂଷଶଣ ବେହେରା କହିଲେ ଯେ ରାଜ୍ୟ ସରକାର ଗତ ୨୦୧୪-୧୫ ଆର୍ଥିକ ବର୍ଷରୁ ଖୋଲା ବଜାରରୁ ଋଣ ଉଠାଉଛନ୍ତି। ଚଳିତ ବର୍ଷ ମଧ୍ୟ ଆହୁରି ଋଣ କରାଯିବ। ତେବେ ଅର୍ଥମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ହୋଇ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ।

ଅର୍ଥମନ୍ତ୍ରୀ ଶ୍ରୀ ବେହେରା କହିଲେ ଯେ ଏହା ମୂଳ ବଜେଟ୍‌ର ପ୍ରାୟ ୧୦.୬ ପ୍ରତିଶତ। ବଜେଟ୍‌ରେ ୭୫ ପ୍ରତିଶତ ଅର୍ଥ କାର୍ଯ୍ୟକ୍ରମ ଖର୍ଚ ପାଇଁ ଉଦ୍ଦିଷ୍ଟ। ପୁଞ୍ଜି ଖର୍ଚ ପାଇଁ ୩୬୦୦ କୋଟିର ବ୍ୟୟ ବରାଦ କରାଯାଇଛି। ପ୍ରାଶାସନିକ ବ୍ୟୟ କ୍ଷେତ୍ରରେ ୧୮୦୦ କୋଟିର ବ୍ୟୟବରାଦ ହୋଇଛି। ଏଥିମଧ୍ୟରୁ ଶିକ୍ଷା ସହାୟକମାନଙ୍କୁ ନିୟମିତ କରିବା ପାଇଁ ୭୫୦ କୋଟି, ସୁଧ ରାଶି ପୈଠ କରିବାକୁ ୩୫୦ କୋଟି, ସଡ଼କ ରକ୍ଷଣାବେକ୍ଷଣ ନିମନ୍ତେ ୧୦୦ କୋଟିର ବରାଦ କରାଯାଇଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି(ଏସ୍‌ଡିଆରଏଫ୍‌)ରେ ବଳକା ଅର୍ଥ ବାବଦକୁ ଏହି ଅତିରିକ୍ତ ବଜେଟ୍‌ରେ ୧୩୬୪ କୋଟିର ବରାଦ ହୋଇଛି। ମନ୍ତ୍ରୀ କହିଲେ ଯେ ଭିତ୍ତିଭୂମି ଓ ଗ୍ରାମ୍ୟ ଉନ୍ନୟନ ପାଇଁ ୬୦୯୭ କୋଟିର ବ୍ୟବସ୍ଥା ହୋଇଛି। ବସୁଧା ଯୋଜନାରେ ୪୦୦ କୋଟି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)- ବିଜୁ ପକ୍କାଘର ପାଇଁ ୧୫୦୦ କୋଟି, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ନିମନ୍ତେ ୨୦୬୫ କୋଟି, ସ୍ୱଚ୍ଛ ଭାରତ ମିସନ ପାଇଁ ୧୦୦୦ କୋଟି, ଜାତୀୟ ଗ୍ରାମୀଣ ମିସନ ପାଇଁ ୨୧୧ କୋଟିର ବ୍ୟୟବରାଦ କରାଯାଇଛି। ରାଜ୍ୟର ସହରାଞ୍ଚଳଗୁଡ଼ିକର ଉନ୍ନୟନ ପାଇଁ ଅତିରିକ୍ତ ବଜେଟ୍‌ରେ ହୋଇଛି ୫୮୯ କୋଟିର ବ୍ୟବସ୍ଥା। ସାମାଜିକ କ୍ଷେତ୍ରରେ ମୋଟ ୧୩୫୦ କୋଟି, ସ୍ୱାସ୍ଥ୍ୟ ସହାୟ ନିମନ୍ତେ ୮୨ କୋଟି, ସେତୁ ଯୋଜନାରେ ୧୦୦ କୋଟି ଆଦିର ବ୍ୟୟବରାଦ କରାଯାଇଥିବା ଶ୍ରୀ ବେହେରା କହିଥିଲେ।

ଗୃହରେ ରାଜ୍ୟର ଋଣଭାର ନେଇ ସଭ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ସେ ନେଇ ମନ୍ତ୍ରୀ କହିଲେ ଯେ ରାଜ୍ୟର ନିଜସ୍ୱ ରାଜସ୍ୱ ସଂଗ୍ରହ ବାବଦରେ ୩୩ ପ୍ରତିଶତ ବୃଦ୍ଧି ଘଟିଛି। ମୁଖ୍ୟତଃ ବାଣିଜ୍ୟକର, ଯାନବାହନ କର, ରାଜ୍ୟ ଅବକାରୀ ଟିକସ, ବିଦ୍ୟୁତ୍‌ ଶୁଳ୍କ ଓ ଖଣି ରାଜସ୍ୱ ଆଦାୟ ବୃଦ୍ଧି ପାଇଥିବା ଯୋଗୁଁ ରାଜସ୍ୱ ଆଦାୟରେ ବୃଦ୍ଧି ଘଟିଛି। ଏହାସହିତ ଅତିରିକ୍ତ ୧୦୦୦ କୋଟିର ରାଜସ୍ୱ ଆଦାୟ ବୃଦ୍ଧି ପାଇବ ବୋଲି ସେ ଆଶାପ୍ରକାଶ କରିଥିଲେ। ତେବେ ଓଡ଼ିଶା ଆର୍ଥିକ ଉତ୍ତରଦାୟୀ ଓ ବଜେଟ୍‌ ପରିଚାଳନା(ଏଫ୍‌ଆରବିଏମ୍‌) ଆଇନ ଅନୁଯାୟୀ ଋଣ ନିର୍ଧାରିତ ସୀମା ମଧ୍ୟରେ ରହିଥିବା ସେ ଦର୍ଶାଇଥିଲେ। ତେବେ ୯ ବର୍ଷ ପରେ ୨୦୧୪-୧୫ ବର୍ଷରୁ କ୍ରମାଗତ ଭାବେ ଚଳିତ ବର୍ଷ ପର୍ଯ୍ୟନ୍ତ ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରୁଛନ୍ତିି। ଚଳିତ ବର୍ଷ ମଧ୍ୟ ଖୋଲା ବଜାରରୁ ଋଣ କରାଯିବ ବୋଲି ସେ ସୂଚନା ଦେଇଥିଲେ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଉଠାଇଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଥିଲେ, ଜଳସଂପଦ ବିଭାଗ ପକ୍ଷରୁ ଗତ ୪ ବର୍ଷରେ ୭ ଲକ୍ଷ ୮ ହଜାର ହେକ୍ଟର ଜମି ଚାଷ ଜମକୁ ଜଳସେଚନ ବ୍ୟବସ୍ଥା କରାଯାଇଛି। ୨୦୧୪-୧୫ଠାରୁ ଅଦ୍ୟାବଧି ରାଜ୍ୟ ସରକାର ୬୪ ହଜାର ପଦବି ପୂରଣ କରିଛନ୍ତି। ୨୦୧୭-୧୮ରେ ୧୪୩୫୯.୭୨ କୋଟିର ରାଜସ୍ୱ ଆକଳନ କରାଯାଇଛି। ୨୦୧୭ ଜୁଲାଇରୁ ୨୦୧୮ ମାର୍ଚ ପର୍ଯ୍ୟନ୍ତ ଜିଏସ୍‌ଟି ଓ ଜିଏସ୍‌ଟିରେ ମିଶ୍ରଣ ଘଟିଥିବା ଟିକସ ବାବଦରେ ୮୪୨୩.୬୫ କୋଟି ଆଦାୟ ହୋଇଛି। କେନ୍ଦ୍ର ସରକାର ଜିଏସ୍‌ଟି ଜନିତ କ୍ଷତି ଭରଣା ବାବଦରେ ୨୦୧୮ ମାର୍ଚ ପର୍ଯ୍ୟନ୍ତ ୨୨୬୪ କୋଟି ଦେଇଛନ୍ତି। ଅବଶିଷ୍ଟ ୮୨.୧୪ କୋଟି ବାକି ରହିଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲ୍‌ରୁ ଜୁଲାଇ ପର୍ଯ୍ୟନ୍ତ ୯୬୮ କୋଟି ଟଙ୍କା କ୍ଷତି ଭରଣା ବାବଦରେ ଅର୍ଥ ରାଜ୍ୟକୁ ମିଳିଛି।

ସମ୍ବନ୍ଧିତ ଖବର