ହାଲରେ ୧୩ କୋଟି ଠକେଇ : ସାନି ମାମଲା ରୁଜୁ କଲା ସିବିଆଇ

ପୁରୁଣା ମାମଲା ସହ ସିବିଆଇରେ ନୂଆ ୫ ମାମଲା, ଦୁର୍ନୀତିରେ ବିଜେପି ନେତାଙ୍କ ସହ ୧୧ଜଣଙ୍କ ସଂପୃକ୍ତି

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମଟେଡ (ହାଲ) ମହାଦୁର୍ନୀତି ଘଟଣାରେ ସିବିଆଇ ନିକଟରେ ସାନି ଅଭିଯୋଗ କରିଛନ୍ତି ହାଲ କର୍ତ୍ତୃପକ୍ଷ। ଗତକାଲି ହାଲର ଭିଜିଲାନ୍ସ ମ୍ୟାନେଜର ଉଦୟ କୁମାର ରାଉତ ସିବିଆଇରେ ଲିଖିତ ଅଭିଯୋଗ କରିବା ପରେ ପୁଣି ୫ଟି ନୂଆ ମାମଲା ରୁଜୁ ହୋଇଛି। ପୂର୍ବରୁ ଗତବର୍ଷ ଏହି ଦୁର୍ନୀତି ଘଟଣାରେ କେବଳ ଅର୍ଥ ବିଭାଗର ବରିଷ୍ଠ ମ୍ୟାନେଜର ଭବେନ ମୈତ୍ରାଙ୍କ ସମେତ ୧୧ଜଣଙ୍କ ନାଁରେ ଅଭିଯୋଗ ଆସିଥିଲା। ତେବେ ଗତକାଲି ଦିଆଯାଇଥିବା ଅଭିଯୋଗରେ ହାଲର ଆଉ କେତେକ ଅଧିକାରୀ ଓ ଠିକାଦାରଙ୍କ ନାମ ରହିଛି। ଯେଉଁଥିରେ ବିଜେପି ନେତା ଜୟରାମ ଗରଡାଙ୍କ ନାଁ ରହିଥିବା ବିି ଜଣାପଡ଼ିଛି। ପର୍ଯ୍ୟାୟକ୍ରମେ ୨୦୧୩ରୁ ୨୦୧୭ ମସିହା ମଧ୍ୟରେ ଏହି ଦୁର୍ନୀତି ହୋଇଛି ଏବଂ ପାଖାପାଖି ୧୩କୋଟି ଟଙ୍କା ଆତ୍ମସାତ୍ କରାଯାଇଥିବା ହାଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଅଭିଯୋଗ ମିଳିବା ପରେ ସିବିଆଇ ଘଟଣା ସଂପର୍କିତ ସମସ୍ତ କାଗଜପତ୍ର ମଗାଇ ଛାନଭିନ୍ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଜାଲ ଭାଉଚର ଦେଇ ସୁନାବେଡା ସ୍ଥିତ ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ (ହାଲ୍)ରେ କୋଟି କୋଟି ଟଙ୍କା ହଡପ କରାଯାଇଥିବା ଗତବର୍ଷ ଅକ୍ଟୋବର ମାସରେ ସାମ୍ନାକୁ ଆସିଥିଲା। ଏହାପରେ ହାଲ କର୍ତୃପକ୍ଷ ଅଧିକ ଖୋଳତାଡ଼ କରିବାରୁ ଫାଇନାନ୍ସ ବିଭାଗରେ କାମ କରୁଥିବା ବରିଷ୍ଠ ମ୍ୟାନେଜର ଭବେନ ମୈତ୍ରାଙ୍କ ସଂପୃକ୍ତି ରହିଥିବା ପ୍ରମାଣ ମିଳିଥିଲେ। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ ପୈଠ କରିବାର କ୍ଷମତା ଭବେନଙ୍କୁ ମିଳିଥିବା ସେ ଏହାର ସୁଯୋଗ ନେଇ ଚଞ୍ଚକତା କରି ଚାଲିଥିଲେ। ଗତ କିଛି ବର୍ଷ ହେବ ସେ ବିଭିନ୍ନ ସମୟରେ ଫଲସ୍ ବିଲ୍ କରି ଟଙ୍କା ହଡପ କରି ଆସୁଥିଲେ। ଅଡିଟ୍ ସମୟରେ ଏହା ଜଣାପଡିବାରୁ ତନାଘନା ଆରମ୍ଭ କରିଥିଲେ ହାଲ କର୍ତ୍ତୃପକ୍ଷ। ଯେଉଁ ବିଲ ବାବଦରେ ଭବେନ ଟଙ୍କା ପୈଠ କରିଥିଲେ ତାହାର ଭାଉଚର ଓ ଅନ୍ୟାନ୍ୟ କାଗଜପତ୍ର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ନିର୍ଧାରିତ ସମୟ ସୁଦ୍ଧା ସେ କୌଣସି କାଗଜପତ୍ର ଦେଇ ପାରିନଥିଲେ। ତେଣୁ ହାଲ୍ ନିର୍ବାହୀ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମେ ଅଡିଟ୍ ଟିମ୍ ଓ ଇଣ୍ଟରନାଲ ଭିଜିଲାନ୍ସ ଦୁର୍ନୀତିର ତଦନ୍ତ ଭାର ନେଇଥିଲା। ଭବେନଙ୍କୁ ପଚରା ଉଚୁରା ପରେ ସମସ୍ତ ଭାଉଚର ନେଇ ଅଫିସକୁ ଆସିବାକୁ କୁହାଯାଇଥିଲା। କିନ୍ତୁ ଭବେନ ଚକମା ଦେଇ ଫେରାର୍ ହୋଇ ଯାଇଥିଲେ। ତେଣୁ ଏଥିନେଇ ହାଲ କର୍ତୃପକ୍ଷ ସୁନାବେଡା ଥାନାରେ ଏତଲା ଦେଇଥିଲେ। ପୁଲିସ ୧୫୨/୧୮ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପଟେ ହାଲ କର୍ତୃପକ୍ଷ ଅଧିକ ଖୋଳତାଡ଼ କରିବାରୁ ଦୁର୍ନୀତିର ପରିମାଣ ବଢ଼ିବଢ଼ି ଚାଲିଥିଲା। ଏହାପରେ ପୂରା ଘଟଣାର ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ବ ଦିଆଗଲା। ସିବିଆଇ ଏଥିନେଇ ୧୦/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା। ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ଯାଞ୍ଚ କରିବାରୁ ସିବିଆଇକୁ ବ୍ୟାପକ ଦୁର୍ନୀତିର ଆଭାସ ପାଇଥିଲା। ସେହିପରି ହାଲ କର୍ତ୍ତୃପକ୍ଷ ମଧ୍ୟ ଦୁର୍ନୀତିର ସଠିକ୍ ପରିମାଣ ଜାଣିବା ପାଇଁ ଆଭ୍ୟନ୍ତରୀଣ ତଦନ୍ତ କରିଥିଲେ। ଏଥିରୁ ମିଳିଥିବା ତଥ୍ୟ ଅନୁସାରେ ହାଲ ଭିଜିଲାନ୍ସ ମ୍ୟାନେଜର ଉଦୟ କୁମାର ରାଉତ ପୁଣି ଗତକାଲି ସିବିଆଇ ନିକଟରେ ସାନି ଅଭିଯୋଗ କରିଥିଲେ। ସେ ୨୦୧୩ରୁ ୨୦୧୭ ମସିହା ପର୍ଯ୍ୟନ୍ତ ହୋଇଥିବା ଦୁର୍ନୀତିର ଅଲଗା ଅଲଗା ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ସିବିଆଇ ପ୍ରତ୍ୟେକ ବର୍ଷର ଦୁର୍ନୀତି ପାଇଁ ପୃଥକ ପୃଥକ ଭାବେ ମୋଟ ୫ଟି ମାମଲା ରୁଜୁ କରିଛି।

ଅଭିଯୋଗପତ୍ରରେ ହାଲ କର୍ତ୍ତୃପକ୍ଷ ଦେଇଥିବା ସୂଚନା ଅନୁସାରେ ୨୦୧୩ ମସିହରେ ୧୩.୧୧ ଲକ୍ଷ ଟଙ୍କା, ୨୦୧୪ରେ ୧୮୬.୧୯ ଲକ୍ଷ ଟଙ୍କା, ୨୦୧୫ରେ ୧୭୧.୪୫ ଲକ୍ଷ ଟଙ୍କା, ୨୦୧୬ରେ ୧୭୯.୩୯ ଲକ୍ଷ ଟଙ୍କା ଓ ୨୦୧୭ରେ ୭୭୮.୫୦ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି। ଏହି ୫ ବର୍ଷରେ ମୋଟ ୧୩ କୋଟି ୨୮ ଲକ୍ଷ ଟଙ୍କା ଦୁର୍ନୀତି ହୋଇଥିବା ଦର୍ଶାଇଛନ୍ତି। ଜାଲ କାଗଜପତ୍ର ଦେଇ ଟଙ୍କା ଆତ୍ମସାତ କରାଯାଇଥିବା ଅଭିଯୋଗ ପତ୍ରରେ ଉ‌େଲ୍ଲଖ ହୋଇଛି। ସମସ୍ତ ଠକେଇରେ ସିନିଅର୍ ମ୍ୟାନେଜର ଭବେନ ମୈତ୍ରାଙ୍କ ସଂପୃକ୍ତି ରହିଛି। ଏହା ସହିତ ଫାଇନାନ୍ସ ବିଭାଗର ଆସିଷ୍ଟାଣ୍ଡ ଅବିନାଶ କୁମାର ସରକାର, ଠିକା କର୍ମଚାରୀ ଶୁଭଶ୍ରୀ ଦାଶ, ମଂଜୁଳା ପାଢୀ, ପୂର୍ବତନ ଠିକା କର୍ମଚାରୀ ଜ୍ୟୋତି ପାଢୀ ମଧ୍ୟ ଏହି ଠକେଇରେ ସାମିଲ ଥିଲେ। ସେହିପରି ଠିକାଦାର ବିପ୍ର ଚରଣ ମହାରଣା, ଉଦ୍ଧବ ଖୋସଲା, ସଦାନନ୍ଦ ନାୟକ, ଯୀଶୁଦାନ ଖୋସଲା, ଜୟରାମ ଗରଡା ଓ ଜଗନ୍ନାଥ ଆପଟଙ୍କ ସଂପୃକ୍ତି ଥିବା ପ୍ରମାଣ ମିଳିଥିବା ହାଲ କର୍ତ୍ତୃପକ୍ଷ ଅଭିଯୋଗ କରିଛନ୍ତି। ଏହାସହିତ ହାଲର ଆଉ କିଛି ଅଧିକାରୀ, କର୍ମଚାରୀ ଓ ଅନ୍ୟାନ୍ୟ ଲୋକଙ୍କ ସଂପୃକ୍ତି ଥାଇପାରେ ବୋଲି ହାଲ କର୍ତୃପକ୍ଷ ଅନୁମାନ କରୁଛନ୍ତି। ଏହି ଅଭିଯୋଗ ଆଧାରରେ ସେମାନଙ୍କ ବିରୋଧରେ ଆଇପିସିର ୧୨୦ (ବି), ୪୦୯, ୪୨୦, ୪୬୭, ୪୬୮ ଓ ୪୭୧ ଧାରାରେ ମାମଲା ରୁଜୁ ହୋଇଛି। ଏହା ସହିତ ଦୁର୍ନୀତି ନିରୋଧକ ଆଇନର ବିଭିନ୍ନ ଦଫା ଲଗାଯାଇଛି।

ସମ୍ବନ୍ଧିତ ଖବର