ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ଘଟଣା: ମୃତକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଞ୍ଚଳରେ ଆଜି ପୂର୍ବହ୍ନରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏନେଇ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି। ଅନୁକମ୍ପାମୂଳକ ରାଶି ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିବ। ପୁଲିସ ବିଭାଗ ପକ୍ଷରୁ ୯ ଲକ୍ଷ ଟଙ୍କା ଓ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ମିଳିବ। ଅନୁକମ୍ପା ରାଶି ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ ମଦନପୁର ରାମପୁରରୁ ମୋହନଗିରି ମୁଖ୍ୟ ରାସ୍ତାର ଡମକର୍ଲାଖୁଣ୍ଟା ମାଣିକେରା ମଧ୍ୟରେ ମାଓବାଦୀମାନେ ଜଙ୍ଗଲରେ ପୋଷ୍ଟର ମାରିଥିଲେ ଏବଂ ବ୍ୟାନର ଲଗାଇଥିଲେ। ମାଓବାଦୀଙ୍କର ଏହି ପୋଷ୍ଟର ବ୍ୟାନର ଲାଗିଥିବା ସୂଚନା ପାଇଁ ରୋହିତ ଖବର ସଂଗ୍ରହ ପାଇଁ ଯାଇଥିଲେ। ଅରଖକୁପା ଛକ ନିକଟ ଦୁଲେନ୍‌ ଗାଁ ଜଙ୍ଗଲକୁ ଯାଇଁ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରୁଥିବା ବେଳେ ପୂର୍ବାହ୍ନ ୧୧ଟା ୩୦ରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ବଡ଼ଧରଣର ହୋଇଥିବାରୁ ଦୁଲେନ୍‌ ଗାଁର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଗାଁ ଲୋକେ ପହଞ୍ଚିବା ପୂର୍ବରୁ ରୋହିତ ଛଟପଟ ହୋଇ ଅଳ୍ପ ସମୟ ମଧ୍ୟରେ ପ୍ରାଣ ହାରିଥିଲେ। ସୂଚନା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ‌ ପୋଷ୍ଟମର୍ଟମ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

ତେବେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ ପରେ ଘଟଣାସ୍ଥଳରେ ସିଆରପିଏଫ ଯବାନ ଓ ପୁଲିସ ପହଞ୍ଚି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି । ପୂରା ଅଞ୍ଚଳକୁ ଘେରାଉ କରି ମାଓବାଦୀଙ୍କ ଗତିବିଧି ଉପରେ ନଜର ରଖିଛନ୍ତି। ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ କୌଣସି ସାମ୍ବାଦିକ ମୃତ୍ୟୁ ହେବା ଘଟଣା ରାଜ୍ୟରେ ପ୍ରଥମ।

ସମ୍ବନ୍ଧିତ ଖବର