ଟାଟା ପାୱାର ଏମିତି କଷୁଛି ଦର: ଗୋଟିଏ ବଲ୍‌ବରେ ୧୩ହଜାର ବିଲ୍

କନିଷ୍ଠ ଯନ୍ତ୍ରୀ କହିଲେ ରିଡିଂରେ ତ୍ରୁଟି

ମେରାମଣ୍ଡଳୀ : ଶିରୋନାମାଟି ଟିକିଏ ଭିନ୍ନ ଲାଗୁଥିଲେ ବି ସତ। ମାତ୍ର ଗୋଟିଏ ବିଦ୍ୟୁତ୍‌ ବଲ୍‌ବ ପାଇଁ ଟାଟା ପାୱାର କଷିଛି ୧୩ହଜାର ୭୦ ଟଙ୍କାର ବିଲ୍। ଚଳିତମାସ ୭ତାରିଖ ଦିନ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ୍‌ ଖଡ୍ଗପ୍ରସାଦ ଗାଁର ଅମରି ମହାରଣା ଟିପିସିଓଏଲ୍‌ଡିଠାରୁ ଏତେ ମୋଟା ଅଙ୍କର ବିଲ୍ ପାଇଲା ପରେ ମୁଣ୍ଡରେ ହାତ ଦେଇଛନ୍ତି। ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ନାଁରେ ଟାଟା ପାୱାର କାହିଁକି ଏତେ ଟଙ୍କାର ବିଲ୍ କଲା ତାହାକୁ ନେଇ ସେ ଆଜି ମେରାମଣ୍ଡଳୀ ସେକ୍ସନରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ, ଖଡ୍ଗପ୍ରସାଦ ପାଟଣା ମଝିସାହିର ସ୍ବର୍ଗତ ଅଲେଖ ମହାରଣାଙ୍କ ସ୍ତ୍ରୀ ଅମରିଙ୍କ ପରିବାର କହିଲେ ସେ ଏକୁଟିଆ। ପୁଅ-ବୋହୂ ବାହାରେ ରହୁଛନ୍ତି। ସେ ମଧ୍ୟ ଅଧିକାଂଶ ଦିନ ଗାଁରେ ନ ରହି ଝିଅ ଘରେ ରୁହନ୍ତି। ତାଙ୍କ ଘରକୁ ସ୍ବାମୀଙ୍କ ନାମରେ ବିଦ୍ୟୁତ୍‌ ସଂଯୋଗ କରାଯାଇଛି। ବିଜୁଳିର ଉପଯୋଗ କହିଲେ, ମାତ୍ର ଗୋଟିଏ ବଲ୍‌ବ ବୋଲି ସେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଗଲା ବର୍ଷକ ମଧ୍ୟରେ ସେ ପ୍ରାୟ ୧୦ମାସ ଝିଅ ଘରେ କଟାଇଛନ୍ତି। ଘରେ ସେହି ଗୋଟିଏ ବଲ୍‌ବ ବି ସେହି ୧୦ମାସ କାଳ ଜଳି ନାହିଁ। କିନ୍ତୁ, ତାଙ୍କ ନାଁରେ ସାରା ବର୍ଷର ବିଲ୍ ଆସିଛି ୧୩ହଜାର ୭୦ଟଙ୍କା। ଚଳିତ ମାସ ୭ତାରିଖରେ ଟାଟା ପାୱାର କର୍ତୃପକ୍ଷ ଏଭଳି ବିଲ୍ ତିଆରି କରି ଅମରିଙ୍କୁ ଧରାଇଛନ୍ତି। ଯାହାକୁ ନେଇ ସେ ଚକିତ ହୋଇଛନ୍ତି। ଗୋଟିଏ ବଲ୍‌ବ ପାଇଁ ଏତେ ଟଙ୍କାର ବିଲ୍ କେମିତି ହେଲା ତାହାକୁ ନେଇ ସେ ଆଜି ଟାଟା ପାୱାର୍‌ ମେରାମଣ୍ଡଳୀ ସେକ୍ସନରେ ଲିଖିତ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ମେରାମଣ୍ଡଳୀ ସେକ୍ସନ୍‌ର କନିଷ୍ଠ ଯନ୍ତ୍ରୀ ମନୋଜ ପ୍ରଧାନ କହିଛନ୍ତି, ଏହି ଅଭିଯୋଗ ଆମର ହସ୍ତଗତ ହୋଇଛି। ମିଟର ରିଡିଂ ନେବାରେ ତ୍ରୁଟି ଯୋଗୁଁ ଏମିତି ଅଧିକ ବିଲ୍ ଆସିଥିବା ଆମେ ଅନୁମାନ କରୁଛୁ। ମିଟର ଭେରିଫିକେସନ୍‌ ପାଇଁ ଗୋଟିଏ ଟିମ୍‌ ଆଜି ଶ୍ରୀମତୀ ମହାରଣାଙ୍କ ଘରକୁ ଯାଇ ମିଟର ଯାଞ୍ଚ କରିଛନ୍ତି। ଏତେ ଟଙ୍କାର ବିଲ୍ ଆସିବାର କାରଣ ସେ ଦର୍ଶାଇଛନ୍ତି, ଶ୍ରୀମତୀ ମହାରଣାଙ୍କର ମଝିରେ ଗୋଟିଏ ମାସର ଅଧିକ ରିଡିଂ ଆସିଥିଲା। ତା ପରେ ପରେ ମିଟର ନ ଥିବାରୁ ନୋ-ମିଟର ରିଡିଂ କରାଯାଇଛି। ଯେଉଁଥିପାଇଁ ଶ୍ରୀମତୀ ମହାରଣାଙ୍କର ଅଧିକ ବିଲ୍ ହୋଇଯାଇଛି। ସମସ୍ୟାର ସମାଧାନ ପାଇଁ ଡିଜିଟାଲ୍ ମିଟର ଲଗାଇବା ପାଇଁ ଆମେ ପରାମର୍ଶ ଦେଇଛୁ। ଡିଜିଟାଲ୍ ମିଟରରେ ଯେତିକି ରିଡିଂ ଆସିବ ସେହି ଅନୁସାରେ ବିଲ୍‌ରେ ସଂଶୋଧନ କରାଯିବ ବୋଲି କନିଷ୍ଠ ଯନ୍ତ୍ରୀ ଶ୍ରୀ ପ୍ରଧାନ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର