ରାୟଗଡ଼ା: ରାୟଗଡ ଜିଲାରେ ପୁଲିସ ତରଫରୁ ଗାଡ଼ି ଯାଞ୍ଚ ଜୋରସୋରରେ ଚାଲିଛି। ଜିଲ୍ଲାରେ ରହିଥିବା ୧୭ଟି ପୁଲିସ ଥାନା ପକ୍ଷରୁ ଏହି ଚଢଉ କରାଯାଉଛି। ଗତକାଲି ଜିଲ୍ଲାରେ ଗାଡ଼ି ଯାଞ୍ଚରୁ ୧୪ ଲକ୍ଷ ୭୫ ହଜାର ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି। ସେହିପରି ଜଣେ ନାବାଳକ ଗାଡ଼ି ଚଲାଉଥିବାରୁ ପୁଲିସ କାବୁ କରିଥିଲା। ଦ୍ରୁତଗତିରେ ୭ ଜଣ ଗାଡି ଚଲାଉଥିବାରୁ ଜରିମାନା ଆଦାୟ କରାଯାଇଛି।
ଅଭର ଲୋଡିଂ ନେଇ ଗାଡ଼ିରେ ଯାଉଥିବା ୩ ଜଣଙ୍କୁ ଜରିମାନା ପକାଯାଇଛି। ଗାଡି ଚଲାଇ ଫୋନରେ କଥା ହୋଇ ଯାଉଥିବା ୨୪ ଜଣଙ୍କୁ ମଧ୍ୟ ଜୋରିମାନା ଦେବାକୁ ପଡିଛି। ୮୫ ଜଣ ଗାଡି ଚାଳକଙ୍କର ଡ୍ରାଇଭିଂ ଲାଇସେନସକୁ ରଦ୍ଦ କରାଯାଇଛି।ଡ୍ରାଇଭିଂ ଲାଇସେନସ ନଥାଇ ୧୨୮ ଜଣ ଗାଡି ଚାଳକଙ୍କୁ ମଧ୍ୟ ପୁଲିସ ଧରି ଜୋରିମାନା ପକାଇଛି। ୧୦ ଜଣ ମଦ ପିଇ ଗାଡି ଚଲାଉଥିବାରୁ ସେମାନଙ୍କୁ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦିଆଯାଇଛି। ୫୨୭ ଜଣ ହେଲମେଟ ନପିନ୍ଧି ଗାଡି ଚଲାଉଥିବାରୁ ସେମାନଙ୍କୁ ମଧ୍ୟ ଜୋରିମାନା ପକାଯାଇଛି।
ସେହିପରି ୨୫୨ ଜଣ ଚାରିଚକିଆ ଯାନରେ ସିଟ ବେଲ୍ଟ ନବାନ୍ଧି ଗାଡି ଚଲାଉଥିବାରୁ ଜରିମାନା ପକାଯାଇଛି। ମଟର ସାଇକେଲରେ ତିନି ଜଣ ଲେଖାଏଁ ଯାଉଥିବା ୫୩ ଜଣଙ୍କୁ ମଧ୍ୟ ପୁଲିସ ଛାଡି ନାହିଁ। ଟ୍ରାଫିକ ସିଗନାଲକୁ ନମାନି ଜବରଦସ୍ତ ୨୭୫ ଜଣ ଯାଉଥିବା ଗାଡି ଚାଳକକୁ ମଧ୍ୟ ଜରିମାନା ପକାଯାଇଛି। ଏ ସମସ୍ତଙ୍କ ଠାରୁ ୧୪ ଲକ୍ଷ ୭୫ ହଜାର ଟଂକା ଆଦାୟ କରାଯାଇଥିବା ପୁଲିସ କହିଛି। ଜିଲ୍ଲାର ସମସ୍ତ ଥାନା ପକ୍ଷରୁ ସକାଳ ୭ଟାରୁ ହିଁ ଗାଡି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯାଉଛି, ଯାହାଫଳରେ ଲୋକେ ନିୟମଗୁଡିକକୁ ମାନି ଘରୁ ପଦାକୁ ବାହାରୁଥିବା ଲକ୍ଷ୍ୟ କରାଯାଇଛି।