ବିଅର ଫ୍ୟାକ୍ଟ୍ରି ଖୋଲିବା ନାଁରେ ଦୁଇ ବ୍ୟାଙ୍କକୁ ୧୪୦ କୋଟି ଚୂନ ଲଗାଇଲେ ଓଡ଼ିଆ ଶିଳ୍ପପତି

ଜାଲ୍‌ କାଗଜପତ୍ର ବଳରେ ଆଣିଥିଲେ ୭୩ କୋଟି ଟଙ୍କାର ଋଣ
ଗ୍ୟାରେଣ୍ଟର ପଡ଼ିଥିଲେ କୋଲକାତାର କମ୍ପାନି
ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ସାଂଘାତିକ ଷଡ୍‌ଯନ୍ତ୍ର
ସଂସ୍ଥା ଏମ୍‌ଡି, ଠିକାଦାର, ବ୍ୟାଙ୍କ ଅଧିକାରୀଙ୍କ ଘର ସମେତ ୮ ଜାଗାରେ ଚଢ଼ଉ

ଭୁବନେଶ୍ୱର : ଓଡ଼ିଶାରେ ଆଉ ଏକ ବଡ଼ଧରଣର ଠକେଇ ସାମ୍ନାକୁ ଆସିଛି। ଜଣେ ଓଡ଼ିଆ ଶିଳ୍ପପତି ଜଗତପୁର ଶିଳ୍ପାଞ୍ଚଳରେ ବିଅର୍ ଫ୍ୟାକ୍ଟ୍ରି ତିଆରି କରିବା ନାଁରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କକୁ ୧୪୦ କୋଟି ଟଙ୍କାର ଚୂନ ଲଗାଇଛନ୍ତି। ଏହା ପଛରେ ସାଂଘାତିକ ଷଡ୍‌ଯନ୍ତ୍ର ଥିବା ପଦାକୁ ଆସିଛି। ଏ ନେଇ ସିବିଆଇରେ ମାମଲା ରୁଜୁ ପରେ ଆଜି ଓଡ଼ିଆ ଶିଳ୍ପପତି ତଥା ଏମ୍/ଏସ୍ ଏସ୍. ଆର୍. ଆଲକୋବେଭ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ(ଏମଡି) ରଞ୍ଜନ କୁମାର ପାଢ଼ୀଙ୍କ ଜଗତପୁରରେ ଥିବା ଫ୍ୟାକ୍ଟ୍ରି କ୍ୟାମ୍ପସ୍, କଟକ ବିଜୁ ପଟ୍ଟନାୟକ ଛକ ସ୍ଥିତ ନରସିଂହପୁର ପ୍ଲାଜାରେ ଥିବା ଅଫିସ, କନିକାରୋଡରେ ଥିବା ଅଫିସ, ବିହାର ନାଳନ୍ଦା ଅରଵାନ ଏବଂ ମାହାଙ୍ଗାସ୍ଥିତ ଘର, ଗ୍ୟାରେଣ୍ଟର ପଡ଼ିଥିବା କୋଲକାତାର ଦୁଇ କମ୍ପାନିର କାର୍ଯ୍ୟାଳୟ ଓ ମାଲିକଙ୍କ ଘର, ହିମାଚଳପ୍ରଦେଶରେ ଥିବା ସପ୍ଲାୟର୍ସ କାର୍ଯ୍ୟାଳୟ, ସମେତ ଅନ୍ୟ ଅଭିଯୁକ୍ତଙ୍କ ଘର, ଅଫିସ୍, ବ୍ୟାଙ୍କ ଓ ଅଧିକାରୀଙ୍କ ଘର ସମେତ ୮ଟି ସ୍ଥାନରେ ଏକାଧିକ ଟିମ୍ ଚଢ଼ଉ କରିଛନ୍ତି। ଚଢ଼ଉ ସମୟରେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ୍, ଅର୍ଥ କାରବାର ଲେଜର ବୁକ୍, କମ୍ପ୍ୟୁଟର ହାର୍ଡଡିସ୍କ ସମେତ ବହୁ କାଗଜପତ୍ର ଜବତ କରାଯାଇଥିବା ଜଣାପଡ଼ିଛି। ଏହା ସହ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଦୁଇ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।

ପିଏନବି କଟକ ମଣ୍ଡଳ ମୁଖ୍ୟ ତଥା ଏଜିଏମ୍ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ଅଭିଯୋଗକୁ ଆଧାର କରି ସିବିଆଇ ଭୁବନେଶ୍ବର ଶାଖାରେ ଆଇପିସି ଧାରା- ୧୨୦(ବି), ୪୨୦ ଏବଂ ଦୁର୍ନୀତି ନିବାରଣ ଆଇନ ୧୩(୧), ୧୩(୧)(ଡି)ରେ ମାମଲା ରୁଜୁ ହୋଇଛି। ଏହି ମାମଲାରେ ଜଗତପୁର ନୂଆ ଶିଳ୍ପାଞ୍ଚଳସ୍ଥିତ ଏସ୍.ଆର ଆଲକୋବେଭ୍ ପ୍ରାଇଭେଟ୍ ଲିମିଟେଡ୍, ଏମଡି ରଞ୍ଜନ କୁମାର ପାଢ଼ୀ, ନିର୍ଦ୍ଦେଶକ ସାଇନା କର, କର୍ପୋରେଟ୍ ଗ୍ୟାରେଣ୍ଟର ପଡ଼ିଥିବା କୋଲକାତାସ୍ଥିତ ନୈନା ଦେବୀ ସପ୍ଲାୟର୍ସ, କୋଲକାତା ଶ୍ୟାମ ବାଜାର ଷ୍ଟ୍ରିଟରେ ଥିବା ଚନ୍ଦ୍ରଘଣ୍ଟ ଆଇରନ୍ ଏବଂ ଷ୍ଟିଲ୍ ଟ୍ରେଡର୍ସ ପ୍ରାଇଭେଟ୍ ଲିମିଟେଡ୍, ଡେରାଡୁନ୍ ସ୍ଥିତ ସପ୍ଲାୟର୍ସ ବ୍ରିୟୁଫୋର୍ସ ଟେକ୍ନୋଲୋଜିସ୍, କଟକ ଗଣ୍ଡରପୁରସ୍ଥିତ ଠିକାଦାର ସୁକାନ୍ତ କୁମାର ଲେଙ୍କା, ବ୍ୟାଙ୍କ ଅଧିକାରୀ ଅଭିଯୁକ୍ତ ରହିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଆଲକୋବେଭ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଏମଡି ରଞ୍ଜନ କୁମାର ପାଢ଼ୀ ଓ ନିର୍ଦ୍ଦେଶିକା ସାଇନା କର ଜଗତପୁର ଶିଳ୍ପାଞ୍ଚଳରେ ଏକ ବିଅର ପ୍ଲାଣ୍ଟ୍ କରିବା ପାଇଁ କଟକ ବକ୍ସିବଜାରସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କରେ ଋଣ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ଆଧାର କରି ପିଏନବିରୁ ୪୦ କୋଟି ଏବଂ ଆହ୍ଲାବାଦ ବ୍ୟାଙ୍କରୁ ୩୩ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଋଣ ପାଇଁ କମ୍ପାନି ପକ୍ଷରୁ ଜମି କାଗଜପତ୍ର, ସମ୍ପତ୍ତି ବନ୍ଧକ ରଖା ଯାଇଥିଲା। ଋଣ ସର୍ତ୍ତ ମୁତାବକ କମ୍ପାନି ପକ୍ଷରୁ ମାସିକ କିସ୍ତିରେ ଖିଲାପ କରା ଯାଇଥିଲା। ଏହି ସମୟ ମଧ୍ୟରେ ଯେଉଁ ଆକାଉଣ୍ଟକୁ ଋଣ ଟଙ୍କା ଯାଇଥିଲା ତାହା ସମସ୍ତ ଗାଇଡଲାଇନକୁ ଉଲ୍ଲଂଘନ କରି ୨୦୧୬ ଫେବ୍ରୁଆରି ୨ ତାରିଖରେ ଏନପିଏ(ନନ୍ ପର୍ଫମିଙ୍ଗ୍ ଆସେଟ) ହୋଇ ଯାଇଥିଲା। ଏହା ପରେ ୨୦୧୯ ଡିସେମ୍ବରରୁ ୨୦୨୦ ଫେବ୍ରୁଆରି ଭିତରେ କମ୍ପାନି ପକ୍ଷରୁ ବନ୍ଧକ ରଖା ଯାଇଥିବା କେତେକ ସମ୍ପତ୍ତିକୁ ବ୍ୟାଙ୍କ ପକ୍ଷରୁ ନିଲାମ କରାଯାଇଥିଲା। ୨୦୨୧ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଋଣ ପରିମାଣ ବଢ଼ି ବଢ଼ି ୧୪୦.୪୮ କୋଟିରେ ପହଞ୍ଚି ଯାଇଥିଲା। ଯାହା ରାଜ୍ୟରେ ଏବେ ସୁଦ୍ଧା ସବୁଠୁ ବଡ଼ଧରଣର ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି।

ଏହି ଠକେଇ ପଛରେ ସାଂଘାତିକ ଷଡ୍‌ଯନ୍ତ୍ରର ଗନ୍ଧ ବାରିଛି ସିବିଆଇ। ବ୍ୟାଙ୍କର ଭିଜିଲାନ୍ସ ଅନୁସନ୍ଧାନ ସମୟରେ ପିଏନବିର ଅବସରପ୍ରାପ୍ତ ମୁଖ୍ୟ ମ୍ୟାନେଜର ଲକ୍ଷ୍ମୀଧର ମହାପାତ୍ର ଓ ପିଏନବିର କୋଲକାତାସ୍ଥିତ ପୂର୍ବ ଶାଖାରେ କାର୍ଯ୍ୟରତ ବରିଷ୍ଠ ମ୍ୟାନେଜର ଦେବୀ ପ୍ରସାଦ ଦାଶଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଉଲ୍ଲେଖଯୋଗ୍ୟ ଯେ ୨୦୨୦ ଜୁନରେ ଭୁବନେଶ୍ବର ଷ୍ଟେସନ ସ୍କୋୟାରରେ ଥିବା ପିଏନବି ଶାଖାର ୩୧.୯୨ କୋଟି ଟଙ୍କା ଋଣ ଠକେଇ ସାମ୍ନାକୁ ଆସିଥିଲା। ଗ୍ଲୋବାଲ୍ ଟ୍ରେଡିଂ ଏମଡି ଅବିନାଶ ମହାନ୍ତି, କମ୍ପାନିର ଅନ୍ୟ ନିର୍ଦ୍ଦେଶକ, ପିଏନବିର ୪ ଜଣ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ସିବିଆଇ।

ସମ୍ବନ୍ଧିତ ଖବର