ବ୍ୟାସନଗର : ଯାଜପୁର ଜିଲ୍ଲା ବ୍ୟାସନଗର ଦଳାଛକରେ ଥିବା ଏକ ପ୍ରତିଷ୍ଠିତ ଜୁଏଲାରି ସୋ’ରୁମ୍‌ ‘ସେନ୍‌କୋ ଗୋଲ୍ଡ’ରୁ ବଡ଼ଧରଣର ଲୁଟ୍‌ ହୋଇଛି। ଗ୍ରାହକ ବେଶରେ ଆସି ଡକାୟତ ଗ୍ୟାଙ୍ଗ୍‌ ୨୫ ‌କେଜି ସୁନାଗହଣା ସମେତ ବହୁ ପରିମାଣର ରୁପା, ହୀରା ଓ ପ୍ଲାଟିନମ୍‌ ଅଳଙ୍କାର ଲୁଟିନେଇଛନ୍ତି। ଏହିସବୁ ଅଳଙ୍କାରର ମୂଲ୍ୟ ୧୫କୋଟି ହେବ ବୋଲି ଏକ ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। ସେମାନଙ୍କ ଆକ୍ରମଣରେ ଦୁଇଜଣ କର୍ମଚାରୀ ବି ଆହତ ହୋଇଛନ୍ତି। ଆଜି ମଧ୍ୟାହ୍ନ ସମୟରେ ସହର ଭିତରକୁ ପଶି ଏତେବଡ଼ ଡକାୟତି ଘଟଣା ଘଟାଇବା ସମସ୍ତଙ୍କୁ ଚକିତ କରିଦେଇଛି।

Advertisment

publive-image

ସୋମବାର ଦିନ ସାଢ଼େ ଗୋଟାଏ ବେଳର ଘଟଣା। ‌ ଏହିସମୟରେ ସେନ୍‌କୋ ଗୋଲ୍‌ଡ ସୋରୁମ୍‌ ଭିତରେ ପ୍ରବେଶ କରି କର୍ମଚାରୀଙ୍କୁ ସୁନାହାର ଦେଖାଇବାକୁ କହିଥିଲେ ଦୁଇଜଣ ଯୁବକ। ଯାହାର ଦାମ୍‌ ଥିଲା ଲକ୍ଷେ ୪୦ ହଜାର ଟଙ୍କା ଥିଲା। ଦୁହିଁଙ୍କ ଭିତରୁ ଜଣେ ଯୁବକ ପରିସ୍ରାଗାରକୁ ଯାଇଥିଲା। ପରିସ୍ରାଗାରରୁ ସେ ଫେରିବାର ଦୁଇ ମିନିଟ୍‌ ପରେ ଆଉ ତିନିଜଣ ଯୁବକ ସୋ’ରୁମ୍‌ ଭିତରକୁ ପ୍ରବେଶ କରିଥିଲେ। କେହି କିଛି ବୁଝିବା ପୂର୍ବରୁ ସମ୍ପୃକ୍ତ ଯୁବକମାନେ ସୋ’ରୁମ୍‌ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ଲଗାଇବା ସହ ମାଡ଼ ମାରିଥିଲେ। ସମସ୍ତଙ୍କୁ ଗୋଟିଏ ସ୍ଥାନରେ ବସାଇ ଉପରକୁ ହାତଟେକି ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁରକ୍ଷାକର୍ମୀ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ଼ମାରିବା ସହିତ ତାଙ୍କ ବନ୍ଧୁକ ଛଡ଼ାଇ ଭାଙ୍ଗି ଦେଇଥିଲେ। ଘଟଣା ସମୟରେ ଦୁଇଜଣ ଗ୍ରାହକ ମାନସ ନଳିନୀ ସ୍ବାଇଁ ଓ ବିଜୟ ସ୍ବାଇଁ ସୋ’ରୁମ୍‌ ଭିତରେ ଥିଲେ। ଡକାୟତମ‌ାନେ ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇ ଦୁଇଟି ଚୌକିରେ ବସାଇ ଦେଇଥିଲେ। ପାଟି କଲେ ସମସ୍ତଙ୍କୁ ଗୁଳିକରି ମାରିଦେବୁ ବୋଲି ଡକାୟତମାନେ ଧମକ ଦେଇଥିଲେ।

ଡକାୟତମାନେ ସୋ’ରୁମ୍‌ ଥାକ ଓ ଲକର୍‌ରେ ଥିବା ସମସ୍ତ ସୁନା, ରୁପା, ହୀରା ଓ ପ୍ଲାଟିନମ୍‌ ଗହଣା‌କୁ ଦୁଇଟି ବ୍ୟାଗରେ ପୂରାଇଥିଲେ। ଏକ କଳା ଓ ନାଲି ରଙ୍ଗର ପଲ୍‌ସର୍‌ , ଧଳାରଙ୍ଗର ଆପାଚି ବାଇକ୍‌ରେ ୬ଜଣ ଡକାୟତ ଆଖିପିଛୁଳା‌କେ ଫେରାର ହୋଇଯାଇଥିଲେ। ଅନ୍ୟଜଣେ ଲୁଟେରା କେଉଁଥିରେ ଚମ୍ପଟ ମାରିଲା କେହି କିଛି ଜାଣିପାରିନଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦୁଇଟି ବାଇକ୍‌କୁ ଷ୍ଟାର୍ଟରେ ରଖି ଦୁଇଜଣ ଡକାୟତ ଅପେକ୍ଷାରେ ଥିଲେ। ଲୁଟ୍‌ କରି ବାହାରିବା ପରେ ଅନ୍ୟ ଡକାୟତଙ୍କୁ ନେଇ ଶଙ୍ଖଚିଲା ରାସ୍ତାରେ ଫେରାର ହୋଇଯାଇଥିଲେ।

publive-image

ସୋରୁମ୍‌ରେ ଥିବା କମ୍ପ୍ୟୁଟର, ସିସିକ୍ୟାମେରାରୁ ଡକାୟତମାନେ ଭାଙ୍ଗି ଦେଇଛନ୍ତି। ଗୋଟିଏ ହାର୍ଡଡିସ୍କକୁ ଡକାୟମାନେ ଭାଙ୍ଗି ନଷ୍ଟ କରିଥିବା ବେଳେ ବାଥ୍‌‌ରୁମ୍‌ରେ ଥିବା ଅନ୍ୟ ଏକ ହାର୍ଡଡିସ୍କରୁ ପୁଲିସକୁ ଲୁଟ୍‌ ସମ୍ପର୍କ‌ରେ କିଛି ସୁରାକ ମିଳିଛି। ଅନ୍ୟପକ୍ଷରେ , ଭଙ୍ଗା ହାର୍ଡଡିସ୍କରୁ ତଥ୍ୟ ପାଇବା ପାଇଁ ଭୁବନେଶ୍ବରରୁ ସାଇବର ଟିମ୍‌ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। ପୁଲିସ ସନ୍ଦେହରେ ତିନିଜଣ ସୋରୁମ୍‌ କର୍ମଚାରୀଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

ଏହି ଘଟଣା ଏବେ ପୁଲିସ ପାଇଁ ଚାଲେଞ୍ଜ୍‌ ହୋଇଥିବା ବେଳେ ଏସ୍‌ଡିପିଓ ସଂଜୟ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଡକାୟତି ଘଟଣାରେ ସୋ’ରୁମ୍‌ର କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ଖୁବ୍‌ଶୀଘ୍ର ଅଭିଯୁକ୍ତ ଗିରଫ କରାଯିବ।