ଚମ୍ପୁଆ : ଗୁଳି ଫୁଟାଇ ୧୫ ଲକ୍ଷ ଲୁଟ୍‌

ଚମ୍ପୁଆ : ଝାଡ଼ଖଣ୍ଡ ଜୟନ୍ତୀଗଡ଼ରେ ଶୁକ୍ରବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଗୁଳି ଫୁଟାଇ ଚମ୍ପୁଆ ଆଇସିଆଇସିଆଇ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟି‌ ନେଇଛନ୍ତି ଦୁର୍ବୃତ୍ତ।

ପ୍ରାପ୍ତ ସୂଚନା ଅନୁସାରେ, ଜୟନ୍ତୀଗଡ଼ର ବିଶ୍ବରୂପା କରଙ୍କ ଏକ ଇଲେକ୍ଟ୍ରୋନିକ୍ସ ଦୋକାନ ଅଛି। ଚମ୍ପୁଆ ଆଇସିଆଇସିଆଇ ବ୍ୟାଙ୍କରେ ତାଙ୍କର ଏକ ଆକାଉଣ୍ଟ ରହିଛି। ଦୁଇଦିନ ଧରି ବ୍ୟାଙ୍କ ବନ୍ଦ ରହିଥିବାରୁ ବିଶ୍ବରୂପା ବ୍ୟାଙ୍କ ଆସି ପାରିନଥିଲେ। ଆଜି ସେ ବ୍ୟାଙ୍କ ପରିଚାଳକଙ୍କୁ ଫୋନ୍‌ କରି କର୍ମଚାରୀ ପଠାଇ ଟଙ୍କା ନେଇ ତାଙ୍କ ଆକାଉଣ୍ଟରେ ଜମା କରିବାକୁ ଅନୁରୋଧ କରିଥିଲେ। ବ୍ୟାଙ୍କର ଜଣେ ଭଲ ଗ୍ରାହକ ହୋଇଥିବାରୁ ପରିଚାଳକ ଦୁଇଜଣ କର୍ମଚାରୀ ଶିବ ସାହୁ ଓ ଜଗମୋହନ ପ୍ରଧାନଙ୍କୁ ଟଙ୍କା ଆଣିବାପାଇଁ ତାଙ୍କ ଘରକୁ ପଠାଇଥିଲେ।

ଉଭୟ ବାଇକ୍‌ରେ ଜୟନ୍ତୀଗଡ଼ସ୍ଥିତ ବିଶ୍ବରୂପାଙ୍କ ବାସଭବନରୁ ଏକ ବ୍ୟାଗରେ ୧୫ ଲକ୍ଷ ଟଙ୍କା ନେଇ ବ୍ୟାଙ୍କକୁ ଫେରୁଥିଲେ। ଘରଠାରୁ ମାତ୍ର ୨୦୦ ମିଟର ଦୂରରେ ଦୁଇଜଣ ଦୁର୍ବୃତ୍ତ ଏକ ପଲସର ବାଇକ୍‌ରେ ଆସି ଗୁଳି ଫୁଟାଇ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ଲୁଟେରା ଦ୍ବୟ ନୂଆମୁଣ୍ଡି ରାସ୍ତାରେ ଫେରାର ହୋଇଯାଇଥିଲେ। ଗୁଳି ଫୁଟିବା ଶବ୍ଦ ଶୁଣି ଘଟଣାସ୍ଥଳରେ ଲୋକଙ୍କ ଗହଳି ଜମିଥିଲା। ଖବରପାଇ ଝାଡ଼ଖଣ୍ଡ ଜଗନ୍ନାଥପୁର ଥାନା ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଦୁଇ ବ୍ୟାଙ୍କ କର୍ମଚାରୀ ଶିବ ଓ ଜଗମୋହନଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର