ଦଶରଥପୁର : ଯାଜପୁର ଜିଲ୍ଲା ମଂଗଳପୁର ଥାନା ଅଧୀନସ୍ଥ ଆହ୍ଲାବାଦ ବ୍ୟାଙ୍କ କେଳେଙ୍କାରୀ ଘଟଣାରେ ମ୍ୟାନେଜରଙ୍କ ନାମରେ ଚାର୍ଜଫ୍ରେମ କରାଯାଇଛି। ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିବା ପରେ ଟଙ୍କା ହେରଫେରର ବଡ଼ ଗୁମର ଖୋଲିଛି।
‘ସମ୍ବାଦ’ ଅନୁସନ୍ଧାନରୁ ମିଳିଥିବା ସୂଚନାନୁଯାୟୀ ଘଟଣାରେ ତଦନ୍ତ ଦାୟିତ୍ବରେ ଥିବା ହରିଶ ସିଂ ମାମଲାର ସାକ୍ଷ୍ୟମାନଙ୍କ ବୟାନ ରେକର୍ଡ କରି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି। ଶୁଶୁଆ ଗ୍ରାମର ଜଣେ ମୃତକଙ୍କ ନାମରେ ଥିବା ଏହି ବ୍ୟାଙ୍କର ୧୪/୧୫ ଲକ୍ଷ ଟଙ୍କା ଅନ୍ୟ ଜଣଙ୍କ ନାମରେ ଟ୍ରାନସଫର କରିନେଇଥିଲେ ଆହ୍ଲାବାଦ ବ୍ୟାଙ୍କର ତତ୍କାଳ ମ୍ୟାନେଜର ନାରାୟଣଚନ୍ଦ୍ର ବେହେରା। ଜଣେ ତଳସ୍ତରର କର୍ମଚାରୀ ମନୋଜ ରାୟଙ୍କ ନାମରେ ମ୍ୟାନେଜର ଗତ ୧୬/୩/୨୦୧୮ରେ ଖାତା ଖୋଲିଥିବାବେଳେ ସମସ୍ତ ଟଙ୍କା ହେରଫେରରେ ସଫଳ ହୋଇଥିଲେ। ଏହି ଖାତାକୁ ହିତାଧିକାରୀଙ୍କ ଅଜ୍ଞତାରେ ଗତ ୮/୧୧/୨୦୧୮ରେ ବନ୍ଦ କରିଦିଆଯାଇଥିଲା।
ବ୍ୟାଙ୍କ ଖାତା ଖୋଲାଯିବାର ମାତ୍ର ୧୨ ଦିନ ପରେ ଅର୍ଥାତ ୨୦୧୮ ମାର୍ଚ ୨୮ ତାରିଖରେ ମନୋଜ ରାୟଙ୍କ ବ୍ୟାଙ୍କ ଖାତାକୁ ଦେବଦତ୍ତ ରାୟଙ୍କ ଖାତାରୁ ପ୍ରଥମେ ୧ଲକ୍ଷ ୯୯ ହଜାର ୫୦ ଟଙ୍କା ଟ୍ରାନସଫର ହୋଇ ଆସିଥିଲା। ସେହିପରି ସେହି ମାର୍ଚ ୨୮ ତାରିଖରେ ପୁନଶ୍ଚ ୨ ଲକ୍ଷ ୨୨୮ ଟଙ୍କା ଆସିଛି। ଏହି ଟଙ୍କାକୁ ମାର୍ଚ ୩୧ ତାରିଖରେ ପ୍ରଥମେ ୨ ଲକ୍ଷ ଟଙ୍କା ମନୋଜ ରାୟଙ୍କ ଖାତାରୁ ଅନ୍ୟ ଖାତାକୁ ଟ୍ରାନସଫର କରାଯାଇଛି। ସେହିଦିନ ପୁନଶ୍ଚ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଣ କରାଯାଇଥିଲା। ଏପ୍ରିଲ ୫ ତାରିଖରେ ମନୋଜ ରାୟଙ୍କ ଖାତାକୁ ୧ଲକ୍ଷ ୯୪ ହଜାର ୩୫୮ ଏବଂ ସେହିଦିନ ୨ ଲକ୍ଷ ୬୮ ଟଙ୍କା ଆସିଛି। ଏପ୍ରିଲ ୧୨ ତାରିଖରେ ୧ଲକ୍ଷ ୪୦ ହଜାର ଟଙ୍କା ଉଠାଣ କରାଯାଇଥିବା ବେଳେ ୧୩ ତାରିଖରେ ୧ ଲକ୍ଷ ୫୦ ହଜାର ଟଙ୍କା ଟ୍ରାନସଫର ହୋଇଛି। ୧୩ ତାରିଖରେ ୧ଲକ୍ଷ ୯୯ ହଜାର ୧୧୯ ଟଙ୍କା ଜମା କରାଯାଇଥିବାବେଳେ ୧ଲକ୍ଷ ୭୦ ହଜାର ୭୦୨ ଉଠାଣ କରାଯାଇଛି। ମେ ୨୨ ତାରିଖରେ ୫ଥର ଏଟିଏମରେ ୪୦ ହଜାର ଟଙ୍କା ଉଠାଣ କରାଯାଇଛି।
ପ୍ରକାଶଥାଉକି ବିଭାଗୀୟ ତଦନ୍ତ ସମୟରେ ମନୋଜ ରାୟ ଏହି ଘଟଣା ସମ୍ପର୍କରେ କିଛି ଜାଣିନଥିବା ଲିଖିତ ଭାବେ ଜଣାଇଥିଲେ। ଏହାଛଡା ଏହି ଘଟଣାରେ ମ୍ୟାନେଜ ନାରାୟଣ ଚନ୍ଦ୍ର ବେହେରାଙ୍କୁ ବଦଳି କରାଯାଇଥିବା ବେଳେ ୩ ଅସ୍ଥାୟୀ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/bank-final.jpg)