କୋଭିଡରେ ମୃତ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାରକୁ ମିଳିଲା ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି

ଭୁବନେଶ୍ୱର: ମାସକ ତଳେ କରୋନାରେ ପ୍ରାଣ ହରାଇଥିବା ଯୁବ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କ ପରିବାର ପାଇଁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀରଙ୍କ ଶୋକସନ୍ତପ୍ତ ପରିବାର ପାଇଁ ଏହି ଆର୍ଥିକ ସହାୟତା ଦିଆଯାଇଥିବା ନେଇ ଘୋଷଣା କରିଛନ୍ତି | ସୂଚନା ଥାଉ କି ଗତ ନଭେମ୍ବର ୫ ତାରିଖରେ ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କର ଦେହାନ୍ତ ହୋଇଥିଲା |

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଘରେ ତାଙ୍କର ବିଧବା ପତ୍ନୀ ଓ ୨ବର୍ଷର ଏକ ଝିଅ ଅଛି। ଅତୀତରେ ତାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଅକ୍ଟୋବର ୩୧ ତାରିଖରେ ପ୍ରବୀର ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲେ।

ରିପୋର୍ଟ ପଜିଟିଭ ଆସିବାରୁ ସେ ଗୃହ ସଙ୍ଗରୋଧରେ ରହିଥିଲେ। କିନ୍ତୁ ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ହେବାରୁ ତାଙ୍କୁ ଏକ ଘରୋଇ କୋଭିଡ୍‌ ହସପିଟାଲରେ ଭର୍ତି କରାଯାଇଥିଲା। ନଭେମ୍ବର ୪ ତାରିଖରେ ନିଶ୍ବାସ ନେବାରେ ତାଙ୍କର ସମସ୍ୟା ହୋଇଥିଲା। ଏଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଆଉ ନଭେମ୍ବର ୫ ସକାଳେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।


ତେବେ ଘରୋଇ ଚ୍ୟାନେଲ ନ୍ୟୁଜ-୧୮ ଓଡିଆରେ ଦୀର୍ଘଦିନ ଧରି କାମ କରୁଥିଲେ ପ୍ରବୀର । ନିଜର କର୍ତବ୍ୟ ସମ୍ପାଦନ, ବ୍ୟବହାର ଓ ମେଳାପୀ ସ୍ୱଭାବ ପାଇଁ ପ୍ରବୀର ସମସ୍ତଙ୍କ ନିକଟରେ ପ୍ରିୟଭାଜନ ହୋଇପାରିଥିଲେ । ପ୍ରବୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ବିଭିନ୍ନ ଆଡୁ ସହାୟତାର ହାତ ବଢିଥିବା ବେଳେ ସେଂଟ ଜାଭିୟର ଇଂଟରନ୍ୟାସନାଲ ସ୍କୁଲର ଅଧ୍ୟକ୍ଷ ସହାୟତାର ହାତ ବଢାଇଥିଲେ । ମୃତ ପ୍ରବୀରଙ୍କ ପରିବାରକୁ ସମବେଦନ ଜଣାଇବା ସହ ପ୍ରବୀରଙ୍କ ଝିଅଙ୍କୁ ପାଠପଢ଼ାଇବାର ପ୍ରତିଶ୍ରୃତି ଦେଇଥିଲେ । ଝିଅକୁ ଯୁକ୍ତ ଦୁଇ ଯାଏଁ ମାଗଣା ପାଠପଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ । ତେବେ ପରପାରିରେ ଥିବା ପ୍ରତିଭାବାନ ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ସହାୟତା କରିଥିବାରୁ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି |

ସମ୍ବନ୍ଧିତ ଖବର