ପେଟ୍ରୋଲ ପମ୍ପ ପରିଚାଳକଙ୍କୁ ମାଡ଼ମାରି ୧୫ ହଜାର ଲୁଟ୍‌

ଚମ୍ପୁଆ : ଚମ୍ପୁଆ ବ୍ଲକ୍‌ ଭଣ୍ଡା ଗ୍ରାମରେ ଥିବା ଏକ ପେଟ୍ରୋଲ ପମ୍ପର ପରିଚାଳକଙ୍କୁ ମାଡ଼ମାରି ଦୁର୍ବୃତ୍ତମାନେ ୧୫ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ବାରିଆ ଥାନାରେ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ସା‌‌ଢ଼େ ୧୧ଟାବେଳେ ଏକ ବୋଲେରୋରେ ୭ରୁ ୮ଜଣ ଯୁବକ ଭଣ୍ଡା ଗ୍ରାମରେ ଥିବା ମାତାଶ୍ରୀ ଫିଲିଂ ସେଣ୍ଟରରେ ପହଞ୍ଚିଥିଲେ। ପେଟ୍ରୋଲ ପମ୍ପ ପରିଚାଳକଙ୍କ ଚ୍ୟାମ୍ବର ପାଖକୁ ଯାଇ ଗାଳିଗୁଲଜ କରି ତେଲ ମାଗିଥିଲେ। ମ୍ୟାନେଜର ଲଳିତ କୁମାର ପାଲ ଚ୍ୟାମ୍ବରରୁ ନ ବାହାରିବାରୁ ସମ୍ପୃକ୍ତ ଯୁୁବକମାନେ କବାଟକୁ ଗୋଇଠା ମାରି ଖୋଲିଥିଲେ। ଲଳିତଙ୍କୁ ପ୍ରବଳ ମାଡ଼ ମାରିବା ସହ ୧୫ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଆକ୍ରମଣରେ ଲଳିତଙ୍କ ମୁଣ୍ଡ ଫାଟିଯିବା ସହ ସେ ଲହୁଲୁହାଣ ହୋଇଥିଲେ। ଆମେ ଗଗନ ବାବୁଙ୍କ ଭାଇ ତୁ ଆମକୁ ଜାଣିନୁ ବୋଲି ସମ୍ପୃକ୍ତ ଯୁବକମାନେ ଧମକ ଦେଇଥିଲେ। ଏପରିକି ଲଳିତଙ୍କୁ ଏକ ବୋଲେରୋରେ ବସାଇ ଅପହରଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଏହି ସମୟରେ ଅନ୍ୟ ଏକ ବୋଲେରୋ ତେଲ ପକାଇବାକୁ ପେଟ୍ରୋଲ ପମ୍ପକୁ ଆସିିଥିଲା। ସମ୍ପୃକ୍ତ ବୋଲେରୋ ଡ୍ରାଇଭର ଲଳିତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଣ୍ଡା ଡାକ୍ତରଖାନା ଆଣିଥିଲେ। ଖବର ପାଇ ପେଟ୍ରୋଲ ପମ୍ପ ମାଲିକ ମୁନା ମହାନ୍ତି ଘଟଣାସ୍ଥଳରେ ପହଞ୍ଚିଥିଲେ। ଆଜି ଆହତ ଲଳିତଙ୍କ ସହ ବାରିଆ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବାରିଆ ଥାନା ଅଧିକାରୀ ଗଗନ ନାୟକଙ୍କୁ ପଚାରିବାରୁ ସେ ଟଙ୍କା ଛଡ଼ାଇନେବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର