ଚିଲିକା ପାଇଁ ୧୫୮, ଅଂଶୁପାକୁ ୨୧ କୋଟି

୫ ବର୍ଷିଆ କାର୍ଯ୍ୟଖସଡ଼ାକୁ ଅନୁମୋଦନ, ୨ ଲକ୍ଷ ମତ୍ସ୍ୟଜୀବୀ ଉପକୃତ ହେବେ

ଭୁବନେଶ୍ବର : ଚିଲିକା ହ୍ରଦର ସମନ୍ବିତ ପରିଚାଳନା ପାଇଁ ସରକାର ୧୫୮ କୋଟି ଟଙ୍କାର ବ୍ୟୟ ଅଟକଳ କରିଛନ୍ତି। ସେହିପରି ଅଂଶୁପା ହ୍ରଦର ସାମଗ୍ରିକ ବିକାଶ ପାଇଁ ୨୧ କୋଟି ୨୩ ଲକ୍ଷ ଟଙ୍କାର ଯୋଜନା କରାଯାଇଛି। ଆଜି ଲୋକସେବା ଭବନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଦ୍ରଭୂମି ପ୍ରାଧିକରଣ ବୈଠକରେ ଉଭୟ ଚିଲିକା ଓ ଅଂଶୁପା ହ୍ରଦର ବିକାଶ ପାଇଁ ୫ ବର୍ଷିଆ କାର୍ଯ୍ୟଖସଡ଼ାକୁ ମିଳିଛି ଅନୁମୋଦନ।

ବୈଠକର ନିଷ୍ପତ୍ତି ଅନୁଯାୟୀ, ୨୦୧୯ରୁ ୨୦୨୪ ମସିହା ପର୍ଯ୍ୟନ୍ତ ଚିଲିକା ହ୍ରଦର ଚାରି ପାର୍ଶ୍ବରେ ଥିବା ୧୫୧ଟି ଗ୍ରାମର ପ୍ରାୟ ୨ ଲକ୍ଷ ମତ୍ସ୍ୟଜୀବୀମାନଙ୍କ ଜୀବିକା ପାଇଁ ଆର୍ଦ୍ରଭୂମି ଗୁଡ଼ିକର ଚିହ୍ନଟ ଓ ପୁନରୁଦ୍ଧାର, ସଂରକ୍ଷଣ, ପରିଚାଳନା ଓ ଜୈବ ବିବିଧତାର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯିବ। ଏହା ସହିତ ସମନ୍ବିତ ବିକାଶ ସହ ଆର୍ଦ୍ରଭୂମିକୁ ପର୍ଯ୍ୟଟନ ଉପଯୋଗୀ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ଏହା ଦ୍ବାରା ଅଂଶୁପା ଉପରେ ନିର୍ଭର କରୁଥିବା ୨ଟି ଗ୍ରାମର ୨୫୦ ଜଣ ମତ୍ସ୍ୟଜୀବୀ ଉପକୃତ ହେବେ। ଚିଲିକା ଉପରେ ନିର୍ଭର କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବିକାକୁ ସୁନିଶ୍ଚିତ କରିବା ପାଇଁ ଦୀର୍ଘ ମିଆଦି କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ। ମନ୍ତ୍ରୀ ଶ୍ରୀ ଆରୁଖ କହିଥିଲେ, ଆର୍ଦ୍ରଭୂମିଗୁଡ଼ିକ ହେଉଛି ଅଧିକ ଜୈବ ବିବିଧତାରେ ପରିପୂର୍ଣ୍ଣ ପ୍ରାକୃତିକ ସମ୍ପଦ। ଏହା ବହୁ ପ୍ରଜାତିର ଉଦ୍ଭିଦ, ପକ୍ଷୀ, ଉଭୟଚର ଓ ମତ୍ସ୍ୟ ସମ୍ପଦର ବାସସ୍ଥଳୀ। ଏହି ଅବସରରେ ଆର୍ଦ୍ରଭୂମି ପରିଚାଳନା ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଦେଇଥିବା ନିର୍ଦ୍ଦେଶ ଉପରେ ଆଲୋଚନା ହୋଇଥିଲା।

ଚିଲିକା ହ୍ରଦରୁ ଗତ ୨ ବର୍ଷ ମଧ୍ୟରେ ୧୭୨ ବର୍ଗ କିଲୋମିଟର ଜବରଦଖଲ ମୁକ୍ତ କରାଯାଇଥିବାରୁ ଚିଲିକାରୁ ମତ୍ସ୍ୟ ଉତ୍ପାଦନ ୨୦% ବୃଦ୍ଧି ପାଇଛି। ସେହିପରି କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ ଅଂଶୁପା, କାଞ୍ଜିଆ, କୁଆଁରିଆ ଓ ସର୍ବୋପରି ଭିତରକନିକା ଆର୍ଦ୍ରଭୂମିର ସୁରକ୍ଷା, ସଂରକ୍ଷଣ ଏବଂ ପରିଚାଳନା ପାଇଁ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ବୈଠକରେ ଜଳସମ୍ପଦ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ଜେନା, ପରିବେଶ ନିର୍ଦ୍ଦେଶକ କେ. ମୁରୁଗେସାନ୍, ଓରସାକ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର