ସିବିଆଇ ଭୟ ଦେଖାଇ ୧୬ ଲକ୍ଷ ଲୁଟ୍‌ ଘଟଣା: ମାଳିନୀ ବିଶ୍ବାଳଙ୍କୁ କୋର୍ଟଚାଲାଣ

ମ.ରାମପୁର : ସିବିଆଇ ଭୟ ଦେଖାଇ ମ.ରାମପୁର ଏଏସ୍‌ଆଇ ବିନିତା ଟପ୍ପୋଙ୍କ ନାମରେ ଏକ ସଙ୍ଗିନ ମାମଲା ଦାଏର ହୋଇଥିଲା। ଏହି ଘଟଣାଟି ଆଜି ଭିନ୍ନ ମୋଡ଼ ନେଇଛି। ଘଟଣାରେ ସମ୍ପୃକ୍ତ ଡଙ୍ଗାବହାଲ ଗ୍ରାମର ମାଳିନୀ ବିଶ୍ବାଳଙ୍କୁ କୋର୍ଟଚାଲାଣ କରାଯାଇଛି।

ଅଭିଯୋଗକାରୀଙ୍କ ଠାରୁ ମାଳିନୀ ଟଙ୍କା ନେଇ ଜଣେ ମହିଳାଙ୍କୁ ଦେଉଥିଲେ। ଉକ୍ତ ମହିଳା ଜଣକ ନିଜକୁ ଏଏସ୍‌ଆଇ ବିନିତା ଟପ୍ପୋ ବୋଲି ପରିଚୟ ଦେଉଥିଲେ। ହେଲେ ଉକ୍ତ ମହିଳାଙ୍କ ବିଷୟରେ ମାଳିନୀ କୌଣସି ସୂଚନା ଦେଇନାହିଁ। କଳାହାଣ୍ଡି ଅତିରିକ୍ତ ଏସ୍‌ପି ଏବଂ କେସିଙ୍ଗା ଏସ୍‌ଡିପିଓ ଏସ. ସୁଶ୍ରୀ ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଆଗକୁ ଆହୁରି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିପାରେ। ଏନେଇ ମ.ରାମପୁର ଆଇଆଇସି ସୂଚନା ଦେଇଛନ୍ତି।

ସୂଚନାଥାଉକି ମ.ରାମପୁର ଥାନାରେ ପୁଲିସ୍‌ ନାମରେ ରିଷିଡ଼ା ଗ୍ରାମର ରୀନା ରଣା ଓ ସ୍ବାମୀ ଗଣେଶ୍ବର ରଣା ଲିଖିତ ଅଭିଯୋଗ କରିଥିଲେ। ଗତ କିଛି ମାସ ତଳେ ଗଣେଶ୍ବର ରଣାର ଭଉଣୀମାନଙ୍କୁ ସିଲେଇ କାମ କରାଇବା ନାମରେ ଏକ ଦଲାଲ ତାମିଲନାଡୁ ନେଇ ଯାଇଥିଲା। ସେଠାରେ ସେମାନଙ୍କୁ ନିର୍ଯାତନା ଦେଉଥିଲା। ଏହି ସୂଚନା ପାଇବା ପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରୀନା ଓ ତାଙ୍କ ସ୍ବାମୀ ମ.ରାମପୁର ଥାନାରେ ଜଣାଇଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ ତାମିଲନାଡୁରୁ ଆଣିଥିଲା। ହେଲେ ପୁଲିସ୍‌ ଏଏସ୍‌ଆଇ ବିନିତା ଟପ୍ପୋ ସେମାନଙ୍କୁ ଫୋନ୍‌ କରି କହିଥିଲେ ଯେ ତାମିଲନାଡୁରେ ତୁମେମାନେ ଅନେକ ଠକେଇ କାମ କରିଛ। ତେଣୁ ସିଲେଇ କମ୍ପାନିର ମାଲିକ ସେଠାରେ କେସ୍‌ ଦେଇଥିବାରୁ ସିବିଆଇ କର୍ମଚାରୀ ଆସି ବୁଲୁଛନ୍ତି। ତୁମେ ସବୁ ଜେଲ୍‌ ଯିବ, ଏମିତି ଅନେକ କଥା କହି ସେମାନଙ୍କୁ ଡରାଇଲେ। ଏହାସହ କେସ୍‌ ରଫାଦଫା କରିବାକୁ ଟଙ୍କା ମାଗିଥିଲେ। ମାଳିନୀ ବିଶ୍ବାଳଙ୍କ ଜରିଆରେ ୧୬ ଲକ୍ଷ ଟଙ୍କା ହଡ଼ପ ହୋଇଛି ବୋଲି ରୀନା ଓ ତାଙ୍କ ସ୍ବାମୀ ଅଭିଯୋଗ କରିଥିଲେ। ଘଟଣାର ଗୁରୁତ୍ବକୁ ଦେଖି କଳାହାଣ୍ତି ଅତିରିକ୍ତ ଏସ୍‌ପି ଏବଂ କେସିଙ୍ଗା ଏସ୍‌ଡିପିଓ ଏସ୍‌. ସୁଶ୍ରୀ ମିଳିତ ଭାବେ ତଦନ୍ତ କରିଥିଲେ। ଆଜି ଏହି ଘଟଣାରେ ସମ୍ପୃକ୍ତ ମାଳିନୀ ବିଶ୍ବାଳଙ୍କୁ କୋର୍ଟଚାଲାଣ କରାଯାଇଛି। ସମ୍ପୂର୍ଣ୍ଣ ତଦନ୍ତ ପରେ ପ୍ରକୃତ ଘଟଣା ସାମ୍‌ନାକୁ ଆସିବ।

ସମ୍ବନ୍ଧିତ ଖବର