୩୪ ମାସରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ୧୭.୮୯କୋଟି

ଭୁବନେଶ୍ବର : ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଗସ୍ତ ପାଇଁ ଏୟାରକ୍ରାଫ୍ଟ ଓ ହେଲିକପ୍ଟର ଭଡ଼ାରେ ଆଣି ରଖିଛନ୍ତି। କେବଳ ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀ ନୁହେଁ, ବରିଷ୍ଠ ଅଧିକାରୀ ଓ ଭିଆଇପିମାନେ ବି ରାଜ୍ୟ ଭିତରେ ଯାତାୟତ ପାଇଁ ଏହାକୁ ବ୍ୟବହାର କରୁଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ କେବଳ ରାଜ୍ୟ ବାହାରକୁ ଗଲେ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ବ୍ୟବହାର କରୁଛନ୍ତି। ମୁଖ୍ୟମନ୍ତ୍ରୀ ପୁରୀ, କଟକକୁ ବି ହେଲିକପ୍ଟରରେ ଯାତ୍ରା କରିଥିବା ନଜରକୁ ଆସିଛି । ଏପରିକି ହେଲିକପ୍ଟର ଭଡ଼ାରେ ଆସି ଭୁବନେଶ୍ବରରେ ରହୁଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଭୁବନେଶ୍ବରରୁ କଟକ ଗସ୍ତ ବାବଦକୁ ରାଜ୍ୟ ସରକାରଙ୍କୁ ୮୫ଲକ୍ଷ ୯୧ହଜାର ଟଙ୍କା ବି ଗଣିବାକୁ ପଡ଼ିଛି।

ଓଡ଼ିଶା ଭିତରେ ଯାତ୍ରା ପାଇଁ ଏୟାରକ୍ରାଫ୍ଟ ଭଡ଼ା ୭.୯୩କୋଟି
ବାହାର ରାଜ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିମାନ ଭଡ଼ା ୪.୪୯ କୋଟି
ମୁଖ୍ୟମନ୍ତ୍ରୀଙ୍କ ରୋମ୍‌ ଗସ୍ତରେ ୮୨.୯୨ ଲକ୍ଷ ଖର୍ଚ୍ଚ

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଦୀର୍ଘ ବର୍ଷ ପରେ ବିଦେଶ ଗସ୍ତରେ (ରୋମ୍, ଇଟାଲି ଓ ଦୁବାଇ) ଯାଇଥିବାବେଳେ ଏଥିପାଇଁ ରାଜକୋଷରୁ ୮୨ଲକ୍ଷ ୯୨ହଜାର ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଗତ ୩୪ମାସ ଭିତରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ୭୬ଥର ହେଲିକପ୍ଟର ବ୍ୟବହାର କରିଥିବାବେଳେ ଏଥିରେ ମୁଖ୍ୟମନ୍ତ୍ରୀ କେବଳ ୩୬ଥର ହେଲିକପ୍ଟରରେ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ହେଲିକପ୍ଟର ଭଡ଼ା ବାବଦକୁ ରାଜ୍ୟ ସରକାର ୧୭କୋଟି ୮୯ଲକ୍ଷ ୧୩ହଜାର ୭୧୩ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାବାଦ୍ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ରାଜ୍ୟ ଭିତରେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି।

ଗତ ୩୪ମାସରେ ୨୨ଥର ଏୟାରକ୍ରାଫ୍ଟ ବ୍ୟବହାର ହୋଇଥିବାବେଳେ ଏହା ବାବଦକୁ ୭କୋଟି ୯୩ଲକ୍ଷ ୬ହଜାର ୪୫୧ଟଙ୍କା ଖର୍ଚ୍ଚ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ୧୨ଥର ଏୟାରକ୍ରାଫ୍ଟ ବ୍ୟବହାର କରିଛନ୍ତି। ଏହାଭିତରେ ଥରଟିଏ ଭୁବନେଶ୍ବରରୁ ଦିଲ୍ଲୀ ଗସ୍ତ ସାମିଲ୍‌ ଅଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁର, ହାଇଦ୍ରାବାଦ ଗସ୍ତରେ ୧୬ଥର ଯାଇଥିବାବେଳେ ଏଥିପାଇଁ ସ୍ବତନ୍ତ୍ର ଏୟାରକ୍ରାଫ୍ଟ ଭଡ଼ା ବାବଦକୁ ୪କୋଟି ୪୮ଲକ୍ଷ ୯୦ହଜାର ଟଙ୍କା ଖର୍ଚ୍ଚ ହୋଇଛି।

ଅପରପକ୍ଷେ ଯାତ୍ରୀବାହୀ ବିମାନରେ ମୁଖ୍ୟମନ୍ତ୍ରୀ ରୋମ୍‌, ଇଟାଲି ଓ ଦୁବାଇ ଗସ୍ତରେ ଯାଇଥିବାବେଳେ ଏହା ବାବଦକୁ ୮୨ଲକ୍ଷ ୯୨ହଜାର ୪୪୯ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ୧୭ଥର ବାହାର ରାଜ୍ୟ ଏବଂ ରାଜ୍ୟ ଭିତରେ ଯାତାୟତ କରିଥିବାବେଳେ ଏ ବାବଦକୁ ରାଜ୍ୟ ରାଜକୋଷରୁ ଅର୍ଥ ଖର୍ଚ୍ଚ ହୋଇଛି।

ସମ୍ବନ୍ଧିତ ଖବର