ବାରିପଦା : ବୁଢ଼ାବଳଙ୍ଗ ନଦୀଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ମାମଲାରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଜାତୀୟ ସବୁଜ ପ୍ରାଧିକରଣ (ଏନ୍ଜିଟି)ଙ୍କ ପାଖରେ ସତ୍ୟପାଠ ଦାଖଲ କରିଛନ୍ତି।
ଜିଲ୍ଲାପାଳ ଦାଖଲ କରିଥିବା ୧୧୦ ପୃଷ୍ଠାର ସତ୍ୟପାଠରେ ଦର୍ଶାଇଛନ୍ତି; ଏନ୍ଜିଟି ଦ୍ବାରା ଗଠିତ ୪ ଜଣିଆ ଟିମ୍ର ତଦନ୍ତ ରିପୋର୍ଟ ଆଧାରରେ ବଡ଼ସାହି ତହସିଲ ଅନ୍ତର୍ଗତ ଡିଙ୍ଗିରା ଓ ଆରପଟା ବାଲିଘାଟର ଲିଜ୍ଧାରୀ ପ୍ରଦୀପ ବିନ୍ଧାଣୀଙ୍କୁ ଗିରଫ କରାଯାଇଥିବା ବେଳେ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ଉକ୍ତ ଦୁଇ ବାଲିଘାଟରେ ୧୪୪ ଧାରା ଜାରି ହୋଇଛି। ବାଲି ଉତ୍ତୋଳନ ପାଇଁ ବୁଢ଼ାବଳଙ୍ଗ ନଦୀଶଯ୍ୟାରେ ନିର୍ମିତ ଅସ୍ଥାୟୀ ପୋଲ ଓ ରାସ୍ତାକୁ ଭାଙ୍ଗି ଦିଆଯାଇଛି। ଚୋରା ବାଲି ଚାଲାଣ ରୋକିବାକୁ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରାଯାଇଥିବାବେଳେ ଉକ୍ତ ୨ ଘାଟରୁ ସରକାର ହରାଇଥିବା ରାଜସ୍ବ ପୈଠ କରିବାକୁ ଲିଜ୍ଧାରୀଙ୍କୁ ନୋଟିସ୍ କରାଯାଇଛି। କେସ୍ ନଂ ୩୦ ଓ ୩୧ ଦୁଇଟି ମାମଲାରେ ଜିଲ୍ଲାପାଳ ଅନ୍ଲାଇନ୍ରେ ଏହି ସତ୍ୟପାଠ ଦାଖଲ କରିଛନ୍ତି। ଜିଲ୍ଲାପାଳଙ୍କ ଉତ୍ତର ତର୍ଜମା କରିବା ପରେ ଏନ୍ଜିଟି ଜୁଲାଇ ୧୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଜଣାପଡ଼ିଛି।