ଭୁବନେଶ୍ବର : ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ ନିଗମ ପାଣ୍ଠି ଅର୍ଥ ବିନିଯୋଗରେ ଖଣି ପ୍ରଭାବିତ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆଜି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଖଣି ପ୍ରଭାବିତ ଅଞ୍ଚଳରେ ୧୭୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଅନୁମୋଦନ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଓମ୍ବାଡସିର ବୋର୍ଡ଼ ଅଫ୍ ଡାଇରେକ୍ଟର୍ସ ବୈଠକରେ ୩ଟି ଜିଲ୍ଲାର ୧୩ଟି ପୌରାଞ୍ଚଳ ପାଇଁ ସ୍ବଚ୍ଛ ପାନୀୟ ଜଳ ଓ ସେଠାକାର ଆଦିବାସୀଙ୍କ ଜୀବିକା ଉପାର୍ଜନ ବାବଦରେ ଏହି ଅର୍ଥ ଖର୍ଚ୍ଚ କରିବାକୁ ନିଷ୍ପତ୍ତି ହୋଇଛି।
ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି ପ୍ରଥମ ପର୍ଯ୍ୟାୟରେ ହାତକୁ ନିଆଯାଇଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଅନୁମୋଦିତ ଅର୍ଥର ୯୩% ଖର୍ଚ୍ଚ ହୋଇସାରିଛି। ଏବେ ନୂତନ ପ୍ରକଳ୍ପ ପାଇଁ ନିଗମ ପାଣ୍ଠିରୁ ଅର୍ଥ ବ୍ୟୟବରାଦ କରିବାକୁ ଜଷ୍ଟିସ୍ ଏ.କେ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଓଭରସାଇଟ୍ କମିଟି ସରକାରଙ୍କୁ ସୁପାରିସ କରିଥିଲା। ପ୍ରସ୍ତାବିତ ପ୍ରକଳ୍ପର ଡିପିଆର ପ୍ରସ୍ତୁତ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଖଣିଜ ଉତ୍ତୋଳନ ଯୋଗୁଁ ପ୍ରଦୂଷିତ ହେଉଥିବା ଅଞ୍ଚଳରେ ଯେପରି ୨୪ ଘଣ୍ଟିଆ ସ୍ବଚ୍ଛ ଓ ନିରାପଦ ପାନୀୟ ଜଳ ଉପଲବ୍ଧ ହେବ ସେଥିପାଇଁ ଆବଶ୍ୟକ ଯତ୍ନ ନେବାକୁ ମଧ୍ୟ ଗୁରୁତ୍ବ ଦେଇଥିଲେ। ପ୍ରଭାବିତ ଅଞ୍ଚଳରେ ନିଗମ ପାଣ୍ଠିରୁ ଜୀବିକା ଉପାର୍ଜନ ପାଇଁ କରାଯାଉଥିବା ଯୋଜନାକୁ ଓଡ଼ିଶା ଜୀବିକା ମିସନ ସହ ଏକୀକରଣ କରିବାକୁ ଅଧିକାରୀମାନଙ୍କୁ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଏବେ ସୁଦ୍ଧା ଓମ୍ବାଡସିରେ ୧୬ ହଜାର କୋଟି ଟଙ୍କା ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କୁ ମିଳିଛି। ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ ପ୍ରକଳ୍ପ ବାବଦରେ ୧୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଓଭରସାଇଟ୍ କମିଟି ସୁପାରିସ କରିଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/Water_Tap_AP-f.jpg)