୧୭୧୭.୯୧ କୋଟି ଜାଲ୍‌ ବିଲ୍‌ ରାକେଟର ପର୍ଦ୍ଦାଫାସ, ୩୧୧.୦୩‌ କୋଟି ଜିଏସ୍‌ଟି ଠକେଇ

ମାଷ୍ଟର ମାଇଣ୍ଡ ଦୁଇଭାଇଙ୍କ ସହ ବନ୍ଧାହେଲେ ୫ ବ୍ୟବସାୟୀ,  ଖୋଲିଥିଲେ ୨୪ ଜାଲ୍‌ ସଂସ୍ଥା

ରାଉରକେଲା: ରାଜ୍ୟରେ ଜିଏସ୍‌ଟି ଠକେଇରେ ଆଗରେ ରହିଛି ଇସ୍ପାତ ସହର ରାଉରକେଲା। ଆଜି ଏହି ସହରରେ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗକୁ ଏକ ବଡ଼ ସଫଳତା ମିଳିଛି। ୨୪ଟି ଜାଲ୍‌ ସଂସ୍ଥା ଜରିଆରେ ଜାଲ୍‌ ଇନ୍‌ଭଏସ ଓ ଜାଲ୍‌ ଇନ୍‌ପୁଟ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) କାରବାର କରୁଥିବା ଏକ ବଡ଼ ରାକେଟର ପର୍ଦ୍ଦାଫାସ କରାଯାଇପାରିଛି। ମୋଟ୍‌ ୧୭୧୭ କୋଟି ୯୧ କୋଟି ଟଙ୍କାର ଜାଲ ବିଲ୍‌ ବଳରେ  ୩୧୧ କୋଟି ୩ ଲକ୍ଷ ଟଙ୍କା ଜିଏସ୍‌ଟି ଠକେଇ ଘଟଣାରେ ଦୁଇ ଭାଇଙ୍କ ସମେତ ୫ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି। ସେମାନେ ହେଲେ ଧନୱାନ୍‌ ସା, ତାଙ୍କ ଭାଇ ରାମ ଭରୋସେ ସା, ମନୋଜ କୁମାର ପାଣ୍ଡ, ସୁବାସ କାଣ୍ଡୁଲାନା ଓ ନିକୁ ସିଂହ ଓରଫ ଛତର ସିଂ। ଉଭୟ ଧନୱାନ ଓ ତାଙ୍କ ଭାଇ ରାମ ଉରୋସେ ସ୍ବସ୍ତିକ ଇନ୍‌ଗଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌, ସୁନୟନା ମେଟାଲ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ସାଇ ରାମ୍‌ ଇନ୍‌ଗଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ତିନିଟି ସଂସ୍ଥାର ବର୍ତ୍ତମାନ ଓ ପୂର୍ବତନ ନିର୍ଦ୍ଦେଶକ।

ଅନ୍ୟପକ୍ଷରେ ସୁନ୍ଦରଗଡ଼ ଜିଲ୍ଲା ବଡଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମସ୍ଥ ସୁବାସ ଟ୍ରେଡର୍ସର ହେଉଛନ୍ତି ସୁବାସ। ରାଉରକେଲା ବାସନ୍ତୀ କଲୋନିର ନିକୁ ସିଂହ ତାଙ୍କର ସହଯୋଗୀ। ଏମାନେ  ନିଜ କମ୍ପାନୀ ବ୍ୟତୀତ ୨୩ଟି ଅନ୍ୟ ଜାଲ୍‌ ସଂସ୍ଥା ସୃଷ୍ଟି କରି ଗତ ୨୦୧୮ରୁ  ଜାଲ୍‌ କାରବାର କରି ଆସୁଥିଲେ। ଜାଲ୍‌ ଆଇଟିସି ଅନ୍ୟମାନଙ୍କୁ ହସ୍ତାନ୍ତର କରି ଟିକସ ଫାଙ୍କୁ ଥିଲେ ବୋଲି ଜିଏସ୍‌ଟି ଡେପୁଟି କମିସନର ରମେଶ କୁମାର ମଣ୍ଡଳ ସୂଚନା ଦେଇଛନ୍ତି। ‌ସେ କହିଛନ୍ତି, ଜବତ ଆବଶ୍ୟକୀୟ କାଗଜପତ୍ର ଯାଞ୍ଚରୁ ଠକାମୀ ସାମ୍ନାକୁ ଆସିଛି। ଉଲ୍ଲେଖନୀୟ ଯେ ୨୦୧୯-୨୦ରେ ରାଉରକେଲାର ୪୯ଟି ସନ୍ଦିଗ୍ଧ ଭୂତ ବ୍ୟବସାୟିକ ସଂସ୍ଥା ଉପରେ ଏକକାଳୀନ ଚଢ଼ଉ କରି ଅନୁସନ୍ଧାନ କରାଯାଇଥିଲା।

୪୯ଟି ବ୍ୟବସାୟ ପ୍ରତିଷ୍ଠାନ ମଧ୍ୟରୁ ୪୭ ଗୋଟି ଜାଲ୍‌ ସଂସ୍ଥା ବୋଲି ଜଣା ପଡ଼ିଥିଲା। କେନ୍ଦ୍ରୀୟ ଜିଏସ୍‌ଟି କର୍ତ୍ତୃପକ୍ଷଙ୍କ ଦ୍ବାରା ତଦନ୍ତ କରାଯାଇ ୨୩ଟି ସଂସ୍ଥାକୁ ବାଦ୍‌ ଦେଇ ଅବଶିଷ୍ଟ ୨୬ଟି ସଂସ୍ଥା ସଂକ୍ରାନ୍ତରେ ରାଜ୍ୟ ଏନ୍‌ଫୋର୍ସ‌ମେଣ୍ଟ ୱିଙ୍ଗ୍‌ ଅନୁସନ୍ଧାନ ଚଳାଇଥିଲା। ଅନୁସନ୍ଧାନରୁ  ଗିରଫ ଅଭିଯୁକ୍ତମାନେ ୨୪ଟି ଭୂତ ସଂସ୍ଥା ସୃଷ୍ଟିର ମାଷ୍ଟରମାଇଣ୍ଡ ଥିବା ଜଣା ପଡ଼ିଛି। ଏହି ଭୂତ ସଂସ୍ଥାଗୁଡ଼ିକୁ ସ୍ଥାପନ କରିବାଲାଗି ଓ ଚଳାଇବାଲାଗି ସେମାନେ ନିରୀହ ଲୋକଙ୍କୁ ଟାର୍ଗେଟ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଥିଲେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଏଲ୍ଆଇସି ଏଜେଣ୍ଟ, କ୍ରେନ୍‌ ଚାଳକ, ଦିନ ମଜୁରିଆ, କୃଷକ, ରାସ୍ତାକଡ ବିକ୍ରେତା, ଗାଡି ପଞ୍ଜିକରଣ ଏଜେଣ୍ଟ ଓ ଗୃହିଣୀ ଆଦି।

ମାସିକ ୫,୦୦୦ରୁ ୪୦,୦୦୦ ଟଙ୍କା ପର୍ଯ୍ୟନ୍ତ ନିୟମିତ ମାସିକ ଆୟ ଯୋଗାଇ ଦେବା ଲୋଭ ଦେଖାଇ ସେମାନଙ୍କ ଠାରୁ ପାନ୍‌, ଆଧାର ଓ ବ୍ୟାଙ୍କ ପାସ୍‌ବୁକ୍‌ ଇତ୍ୟାଦି ହାସଲ କରିଥିଲେ। ଏସବୁ କାଗଜପତ୍ରକୁ ଜିଏସ୍‌ଟି ପଞ୍ଜିକରଣ ପାଇଁ ଅପବ୍ୟବହାର କରିଥିଲେ। ଅଭିଯୁକ୍ତମାନେ ଆଇସିଆଇସିଆଇ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ, ଅର୍ବାନ କୋ ଅପରେଟିଭ ବ୍ୟାଙ୍କ, ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ବନ୍ଧନ ବ୍ୟାଙ୍କ ଓ ଆକ୍ସିସ୍‌ ବ୍ୟାଙ୍କ ପରି ବିଭିନ୍ନ ବ୍ୟାଙ୍କରେ ସେହି ସାଧାରଣ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ। ସେମାନେ ମ‌ୋଟ୍‌ ୪୯ଟି ବ୍ୟାଙ୍କ ଆକାଉଣ୍ଟକୁ ସଂଚାଳନ କରୁଥିଲେ।

କୌଣସି ଜିନିଷର ପରିବହନ ନହୋଇ ଏମାନେ ଦୁଇ ଚକିଆ ଯାନ, କାର୍‌, ତିନି ଚକିଆ ଯାନ, ସ୍କୁଟର ମାଧ୍ୟମରେ ଟନ୍‌ଟନ୍‌ ଓଜନର ଜିନିଷ ପରିବହନ କରାଯାଇଥିବା ଜାଗଜପତ୍ରରେ ଦର୍ଶାଇଥିଲେ। ତଦନ୍ତରୁ ଆହୁରି ଜଣାପଡିଛି ଯେ, ସ୍ବସ୍ତିକ ଇନ୍‌ଗଟ୍‌ ପ୍ରାଇଭେଟ ଲିମିଟେଡ୍‌ ଓ ସୁନୟନା ମେଟାଲ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ଦ୍ବାରା ହିସାବ ବର୍ହିଭୁତ ଉତ୍ପାଦନ କରାଯାଇଥିଲା ଓ ବିନା ଟିକସ ପଇଠ ନକରି ଜିନିଷ କ୍ରୟ କରାଯାଇଥିଲା। ଏହି କାରବାରକୁ ନିଜ କମ୍ପାନି ନାଁରେ ନ ଦର୍ଶାଇ ଜାଲ୍‌ ସଂସ୍ଥା ନାଁରେ କିଣା ବିକା କରା ଯାଇଥିବା ଦେଖାଇ ଟିକସ ଫାଙ୍କିଥିଲେ। ଯାଞ୍ଚରୁ  ଆହୁରି ଜଣାପଡିଛି ଯେ ସ୍ବସ୍ତିକ ଇନ୍‌‌ଗଟ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କେତୋଟି ଜାଲ୍‌ ସଂସ୍ଥାକୁ କ୍ରୟ ମୂଲ୍ୟ ତୁଳନାରେ ୧୧ କୋଟି୮୮ ଲକ୍ଷ କୋଟି ଟଙ୍କା ଅଧିକ ଦେୟ ଦର୍ଶାଇଛି। କୌଣସି କିଣାକିଣି କରି ନଥିବା ସଂସ୍ଥା କୋଟି କୋଟିର କାରବାର କରୁଥିବା ଦର୍ଶା ଯାଇଛି।

ଏହି ବ୍ୟାପକ ଠକେଇ ସାମ୍‌ନାକୁ ଆସିବା ପରେ ଆଇନ ହାତରୁ ରକ୍ଷା ପାଇବା ପାଇଁ ଅଭିଯୁକ୍ତମାନେ ହାଇକୋର୍ଟରେ ଲିଖିତ ଆବେଦନ କରିଥିଲେ। କିନ୍ତୁ ହାଇକୋର୍ଟ ଆବେଦନକୁ ପ୍ରତ୍ୟାଖାନ କରି ତଦନ୍ତରେ ସହଯୋଗ କରିବାଲାଗି ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେମାନେ ସହଯୋଗ କରିବା ପରିବର୍ତ୍ତେ ଅଭିଯୁକ୍ତମାନେ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ ଏବଂ ୨୦୨୦ ମେ’ ୮ରୁ ୨୦୨୨ ଏପ୍ରିଲ ୨୧ ତାରିଖ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାରେ ଥିଲେ। ୨୦୨୨ ଏପିଲ ୨୨ରେ ହାଇକୋର୍ଟ ସେମାନଙ୍କୁ ଦିଆଯାଇଥିବା ମଧ୍ୟବର୍ତ୍ତୀକାଳୀନ ସୁରକ୍ଷାକୁ ରଦ୍ଦ କରିବାପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାଟ ଫିଟି ଯାଇଥିଲା।

ଜିଏସ୍‌ଟି ଡେପୁଟି କମିସନର ଆହୁରି ସୂଚନା ଦେଇଛନ୍ତି ଯେ ମାଷ୍ଟରମାଇଣ୍ଡ ଧନୱାନ୍‌ ସାହା ‘ସାଇ ଭ୍ୟାଲି ୱାର୍ଲ୍ଡ ସ୍କୁଲ’ ନାମରେ ଏକ ବିଦ୍ୟାଳୟ ଓ କ୍ରସର ୟୁନିଟ୍‌ ଚଳାଉଛନ୍ତି। ଉଲ୍ଲେଖଯୋଗ୍ୟ, ଆଜି ପର୍ଯ୍ୟନ୍ତ ରାଜ୍ୟ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ ୯୧୯୬ କୋଟି ୨୬ ଲକ୍ଷ ଟଙ୍କା ମୂଲ୍ୟର ନକଲି ବିଲ୍‌ ରାକେଟ୍‌ର ଜଡିତ ଥିବା ତଥା ୧୭୩୯ କୋଟି ୮୪ ଲକ୍ଷ ଟଙ୍କାର ଜାଲ୍‌ ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ ଠକେଇ କରିଥିବା ୨୮ ଜଣଙ୍କୁ ଗିରଫ କରି ସାରିଛନ୍ତି।

ସମ୍ବନ୍ଧିତ ଖବର