ବର୍ଷା ଓ ବନ୍ୟାରେ ୧୭୮୬ କୋଟିର ସଂପତ୍ତି ବରବାଦ : ତତ୍କାଳ ମୁକାବିଲାରେ ଖର୍ଚ୍ଚ ହୋଇଥିବା ୧୧୦୦ କୋଟି ମାଗିଲା ଓଡ଼ିଶା

ବର୍ଷା ଓ ବନ୍ୟା ମୁକାବିଲା ଦେଖି କେନ୍ଦ୍ରୀୟ ପ୍ରତିନିଧି ଦଳ ସନ୍ତୁଷ୍ଟ

ଭୁବନେଶ୍ୱର : ବର୍ଷା ଓ ବନ୍ୟାର ବିତ୍ପାତ ଏତେ ଗମ୍ଭୀର ଥିଲା ଯେ ରାଜ୍ୟର ୩୦ଟି ଜିଲ୍ଲାରୁ ୨୬ଟି ଜିଲ୍ଲାରେ ଭୀଷଣ ପ୍ରଭାବ ପଡିଛି। ପ୍ରାୟ ୨ଲକ୍ଷ ୨୫ ହଜାର ହେକ୍ଟର ଚାଷ ଜମିରେ ୩୩ ପ୍ରତିଶତରୁ ଅଧିକ କ୍ଷତି ହୋଇଛି। ୧ଲକ୍ଷ ୨୦ ହଜାର ଘର ଭାଙ୍ଗିଯାଇଛି ବା ଅଧା ଭଙ୍ଗା ହୋଇ ରହିଛି। ଏସବୁ ମିଶାଇଲେ ରାଜ୍ୟର ପ୍ରାୟ ୧୭୮୬ କୋଟି ଟଙ୍କାର ସଂପତ୍ତି ନଷ୍ଟଭ୍ରଷ୍ଟ କରିଦେଇଛି। ଯେଉଁଥିରୁ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ନିୟମ ଅନୁସାରେ ୧୧୦୦ କୋଟି ଟଙ୍କା ପାଇବାକୁ ଓଡ଼ିଶା ହକ୍‌ଦାର। ରାଜ୍ୟରେ ଗତମାସ ଦେଖାଦେଇଥିବା ବର୍ଷା ଓ ବନ୍ୟା କ୍ଷତି ଆକଳନ ପାଇଁ ଆସିଥିବା କେନ୍ଦ୍ରୀୟ ପ୍ରତିନିଧି ଦଳ ସାମ୍ନାରେ ରାଜ୍ୟ ସରକାର ଏଭଳି ଦାବି ଉପସ୍ଥାପନ କରିଛନ୍ତି। ବନ୍ଧ ବାଡ଼ ମରାମତି ବ୍ୟତୀତ, ସଡ଼କ ଆଦି କ୍ଷତିଗ୍ରସ୍ତ ଭିତ୍ତିଭୂମି ସଂପର୍କରେ ସରକାର କେନ୍ଦ୍ରୀୟ ଟିମ୍‌ ସାମ୍ନାରେ ତଥ୍ୟ ରଖିଥିଲେ ହେଁ ଚୂଡାନ୍ତ ସ୍ମାରକପତ୍ର କିନ୍ତୁ ଦେଇନାହାନ୍ତି।

ଉଭୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ କୁମାର ଜେନା କହିଛନ୍ତି ଯେ ଚୂଡାନ୍ତ କ୍ଷୟକ୍ଷତି ଆକଳନ ଜାରି ରହିଛି। ତେବେ ବନ୍ୟା ଦ୍ବାରା ଯେତିକି କ୍ଷୟକ୍ଷତି ହୋଇଛି, ତାହା ଯେତିକି ଗୁରୁତ୍ବପୂର୍ଣ୍ଣ ଏହାର ସ୍ଥାୟୀ ମୁକାବିଲା ତା ଠାରୁ ଅଧିକ ଅପରିହାର୍ଯ୍ୟ। ପ୍ରତିବର୍ଷ ବନ୍ୟା ଓ ବର୍ଷା କାରଣରୁ ରାଜ୍ୟ ଗୁରୁତର ଆର୍ଥିକ ଦୁର୍ଗତି ଭିତରେ ହନ୍ତସନ୍ତ ହେଉଥିବା କାଣରୁ କେନ୍ଦ୍ର ସରକାର ନଦୀ ବନ୍ଧ ମଜବୁତ କରିବା, ନୂତନ ବନ୍ଧ ନିର୍ମାଣ କରିବା, କ୍ଷତିଗ୍ରସ୍ତ ଘରକୁ ସ୍ଥାୟୀ ଘରରେ ଅର୍ଥାତ୍ ବିପର୍ଯ୍ୟୟ ମୁକାବିଲା କଲାଭଳି ଗୃହରେ ରୂପାନ୍ତରିତ କରିବା ଏବଂ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ ଆର୍ଥିକ ସହାୟତା ଦେବାର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଖୁବଶୀଘ୍ର ଏସବୁ ହିସାବକୁ ନେଇ କେନ୍ଦ୍ର ସରକାରଙ୍କୁ ଚୂଡାନ୍ତ ସ୍ମାରକପତ୍ର ଦେବେ। ଅନ୍ୟପକ୍ଷରେ ସରକାରଙ୍କ ଏଭଳି ଆଭିମୁଖ୍ୟକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ପ୍ରଶଂସା କରିବା ସହିତ ବନ୍ୟା ଓ ବାତ୍ୟା ମୁକାବିଲା ଲାଗି ସାବାସୀ ଦେଇଥିଲେ।

ଗୃହ ବିଭାଗର ଯୁଗ୍ମ ସଚିବ ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ବରେ ଡ. ବୀରେନ୍ଦ୍ର ସିଂ, ଅମ୍ରିପାଲ ସିଂ, ଶାଶ୍ବତ ମହାପାତ୍ର, ଏସ୍ଏସ୍ ମୋଦୀ ପ୍ରମୁଖ ଦୁଇ ଦିନିଆ ଗସ୍ତରେ ଆସି ବନ୍ୟା ପ୍ରଭାବିତ ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଓ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ଆଜି ଅପରାହ୍ନରେ ସଚିବାଳୟରେ ମୁଖ୍ୟଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ସରକାରଙ୍କ ପକ୍ଷରୁ ବନ୍ୟା ଓ ବାତ୍ୟା ଜନିତ କ୍ଷୟକ୍ଷତି ସଂପର୍କରେ ବିଶଦ ଭାବେ ତଥ୍ୟ ରଖାଯାଇଥିଲା। ପ୍ରତିନିଧି ଦଳ ସରଜମିନ୍ ତଦନ୍ତ ବେଳେ ରାଜ୍ୟ ସରକାରଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ପ୍ରଥମେ ଭୀଷଣ ବର୍ଷା ଓ ପରେ ସୁବର୍ଣ୍ଣରେଖା, ବ୍ରାହ୍ମଣୀ, ବୈତରଣୀ, ମହାନଦୀ ସମେତ ଅନେକ ଛୋଟ ନଦୀରେ ବନ୍ୟା ଆସିବା କାରଣରୁ ରାଜ୍ୟର ୨୬ଟି ଜିଲ୍ଲା ଗଭୀର ପ୍ରଭାବିତ ହୋଇଥିଲା। ବିଶେଷକରି ଯାଜପୁର ଜିଲ୍ଲାରେ ବ୍ରାହ୍ମଣୀ ଭୀଷଣ କ୍ଷତି ପହଞ୍ଚାଇଥିଲା। ଜିଲ୍ଲାର ବରି ଅଞ୍ଚଳ ଦୀର୍ଘ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲା। ବନ୍ୟାରେ ୧୮ଟି ଜିଲ୍ଲାର ୧୩୫ଟି ବ୍ଲକ ଏବଂ ୨୧ଟି ପୌରାଞ୍ଚଳର ପାଖାପାଖି ୨୫ଲକ୍ଷ ୮୦ ହଜାର ଲୋକ ପ୍ରଭାବିତ ହୋଇଥିଲେ। ୮.୫୯ଲକ୍ଷ ପଶୁ ସଂପଦ ଓ ୧୩.୮୭ ଲକ୍ଷଲୋକ ଜଳବନ୍ଦୀ ହୋଇ ରହିଥିଲେ। ୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ହଜାର ୬୫୪ ପଶୁସଂପଦ ନଷ୍ଟ ହୋଇଥିଲେ। ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ମହାପାତ୍ର, ଏପିସି ରାଜ କୁମାର ଶର୍ମା, ଜଳସଂପଦ ସଚିବ ଅନୁ ଗର୍ଗ, କୃଷି ସଚିବ ସୌରଭ ଗର୍ଗ, ପଞ୍ଚାୟତିରାଜ ସଚିବ ଦେଓରଂଜନ ସିଂ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର