ମସଲା ମିସନ ପାଇଁ ଖର୍ଚ୍ଚ ହେବ ୧୮୫.୮ କୋଟି

ଭୁବନେଶ୍ବର : ରାଜ୍ୟରେ ଉତ୍ପାଦିତ ହେଉଥିବା ସମସ୍ତ ପ୍ରକାରର ମସଲାର ସମନ୍ବିତ ବିକାଶ ହାସଲ କରିବା ପାଇଁ ମସଲା ମିସନ ଆରମ୍ଭ ହୋଇଛି। ଏହି ଯୋଜନାରେ ଲଙ୍କା, ଧନିଆ, ଅଦା, ହଳଦୀ ଓ ଅନ୍ୟାନ୍ୟ ମସଲା ଇତ୍ୟାଦି ଫସଲର କ୍ଷେତ୍ର ବିସ୍ତାର ଓ କୃଷକଙ୍କ ଆୟ ବୃଦ୍ଧି ହେବ। ଏଥିପାଇଁ ୨୦୨୨-୨୩ ବର୍ଷରେ ଏହି ମିସନ ପାଇଁ ୮୫ କୋଟି ଟଙ୍କା ମିଳିଛି। ୨୦୨୩-୨୪ ବର୍ଷରେ ଏଥିପାଇଁ ୧୮୫.୮୦ କୋଟି ଟଙ୍କାର ବ୍ୟୟ ବରାଦର ଆକଳନ କରାଯାଇଥିବା ସୂଚନା ଦେଇଛନ୍ତି କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ।

ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ସ୍ବାଇଁ କହିଛନ୍ତି, ରାଜ୍ୟ ପଣସ, ମସଲା, ଛତୁ, ଫୁଲ ଓ କ୍ଷୁଦ୍ରଶସ୍ୟ ଫସଲର ଉତ୍ପାଦନ ଓ ବଜାର ଅଭିବୃଦ୍ଧି ଲକ୍ଷ୍ୟରେ ସ୍ବତନ୍ତ୍ର ମିସନ କାର୍ଯ୍ୟକାରୀ କରାଯାଉଛି। ମହିଳା ହିତାଧିକାରୀ/ମହିଳା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି) ଦ୍ବାରା ରାଜ୍ୟରେ ଛତୁ ଚାଷକୁ ଦୁଇଗଣ କରିବା ଓ ବଟମ ଛତୁ ଓ ଝରା ଫୁଲ ଉତ୍ପାଦନରେ ରାଜ୍ୟକୁ ଆତ୍ମନିର୍ଭରଶୀଳ କରିବା ଲକ୍ଷ୍ୟରେ ଛତୁ ମିସନ ଓ ଫୁଲ ମିସନ କାର୍ଯ୍ୟକାରୀ ହୋଇଛି। ରାଜ୍ୟ ସରକାର ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୨୦୨୨-୨୩ରୁ ୨୦୨୬-୨୭ ପାଇଁ ୩୬୬.୧୯ କୋଟି ଟଙ୍କା ବ୍ୟୟ ଅଟକଳର ଅନୁମୋଦନ କରିଛନ୍ତି। ଏହି ଯୋଜନା ମହିଳା ହିତାଧିକାରୀ ଓ ଏସଏଚ୍‌ଜିଙ୍କ ନିରନ୍ତର ଆୟ ସୃଷ୍ଟି ସୁନିଶ୍ଚିତ କରିବା ସହିତ ରାଜ୍ୟକୁ ମିସନ ଅବଧି ଭିତରେ ଛତୁ ଓ ଉଚ୍ଚମୂଲ୍ୟ ଫୁଲର ରପ୍ତାନି ଯୋଗ୍ୟ କରାଇବାରେ ସହଯୋଗ କରିବ। ଏହି ଯୋଜନାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା/ଗୋଷ୍ଠୀଙ୍କ ପାଇଁ ୭୦ ଓ ୮୦ ପ୍ରତିଶତ ରିହାତି ଦେବାର ବ୍ୟବସ୍ଥା ରହିଛି।

ରାଜ୍ୟର ୯ଟି ୫୦ଟି ବ୍ଲକ୍‌ରେ ୫ବର୍ଷ ମଧ୍ୟରେ ପ୍ରମୁଖ କାର୍ଯ୍ୟକ୍ରମ ଭାବେ ଓଡ଼ିଶା ପଣସ ମିସନ ଧାର୍ଯ୍ୟ କରାଯାଇଛି। ଏହି ଯୋଜନାରେ ବିଭିନ୍ନ ବିଭାଗରେ ଯୋଜନାଗୁଡ଼ିକୁ ସଂଯୋଜନା କରି ପଣସର ପ୍ରକ୍ରିୟାକରଣ ଓ ବିଭିନ୍ନ ପଣସ ପ୍ରକ୍ରିୟାକୃତ ଉତ୍ପାଦଗୁଡ଼ିକର ମାର୍କେଟିଂ ପାଇଁ ରାଜ୍ୟରେ ପଣସ ବ୍ରାଣ୍ଡର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ଏହି ଯୋଜନାରେ ୧୫ଶହ ହେକ୍ଟର କ୍ଷେତ୍ର ବିସ୍ତାର, ୩ଟି ଟେକୋ-ଇନକ୍ୟୁବେସନ ସେଣ୍ଟର ପ୍ରତିଷ୍ଠା, ପ୍ରତି ବ୍ଲକରେ ୨ଟି ପ୍ରକ୍ରିୟାକରଣ ୟୁନିଟ୍‌, ରାଜ୍ୟରେ ପଣସ ବ୍ରାଣ୍ଡର ସୃଷ୍ଟି ଓ ସ୍ଥିତି ଜାହିର କରିବା, ଏନ୍‌ଜିଓ ମାନଙ୍କ ସହଭାଗିତାରେ ଅଂଶୀଦରମାନଙ୍କ ତାଲିମ ଓ ଦକ୍ଷତା ବୃଦ୍ଧି ପାଇଁ୯୭.୧୬ କୋଟି ଟଙ୍କାର କାର୍ଯ୍ୟକ୍ରମ ରଖାଯାଇଛି। ରାଜ୍ୟରେ ମିଲେଟ(କ୍ଷୁଦ୍ରଶସ୍ୟ) ମିସନ କାର୍ଯ୍ୟକାରୀ କରିବାରେ ଓଡ଼ିଶା ଦେଶରେ ଅଗ୍ରଣୀ ରାଜ୍ୟ। ରାଜ୍ୟର ୧୯ଟି ଜିଲ୍ଲାର ୧୪୩ଟି ବ୍ଲକ‌ରେ ମିସନ ଭିତ୍ତିରେ କାର୍ଯ୍ୟକାରୀ କରାଯାଉଛି। ଆସନ୍ତା ୨୦୨୩-୨୪ ଆର୍ଥିକ ବର୍ଷରେ ରାଜ୍ୟରେ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକ୍‌ରେ କାର୍ଯ୍ୟକାରୀ କରାଯିବାର ଯୋଜନା କରାଯାଇଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶା ମିଲେଟ ମିସନକୁ ୩୬୬.୧୯ କୋଟି ଟଙ୍କା ବ୍ୟୟ ଅଟକଳ ଅନୁମୋଦନ ସହିତ ଆସନ୍ତା ୫ବର୍ଷରେ ୨୮୦୮.୩୯ କୋଟି ଟଙ୍କାର ଏକ ଦୀର୍ଘମିଆଦୀ ଯୋଜନା ଅନୁମୋଦନ କରାଯାଇଛି।

କଫି ଚାଷର ଉନ୍ନତି ପାଇଁ ରାଜ୍ୟରେ ପ୍ରସ୍ତାବିତ ସ୍ଥାୟୀ ଜୀବିକା ପାଇଁ କଫି ଚାଷ(କଫି ମିସନ) ୨୦୨୨-୨୩ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଛି। ଏହି ଯୋଜନାରେ ଓଡ଼ିଶା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଥିବା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦେଶାଳୟ ଜରିଆରେ ୨୦୨୨-୨୩ ଆର୍ଥିକ ବର୍ଷରେ ୧୨୫୦ ଏକର ଜମିରେ ନୂତନ କଫି ଚାଷର ଧାର୍ଯ୍ୟ ଲକ୍ଷ୍ୟ ପାଇଁ ୮.୯କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ସମ୍ବନ୍ଧିତ ଖବର