୧୯ କୋଟିର ଜିଏସ୍‌ଟି ଠକେଇ, ସ୍କ୍ରାପ୍ ସଂସ୍ଥାର ମାଲିକ ଗିରଫ

କଟକ : ୫୩ କୋଟି ଟଙ୍କାର ସ୍କ୍ରାପ୍ କିଣାଯାଇଛି। ୫୩ କୋଟି ଟଙ୍କାର ବିକ୍ରି ବି ହୋଇଛି। ଏଥିପାଇଁ କେବଳ କାଗଜପତ୍ରରେ ମୋଟ ୧୦୬ କୋଟି ଟଙ୍କାର ଜାଲ୍ ବିଲ୍ ହୋଇଛି। କିନ୍ତୁ ଜାଲି ବିଲ୍ ଯୋଗୁଁ ରାଜ୍ୟ ସରକାର ୧୯ କୋଟି ୪ ଲକ୍ଷ ଟଙ୍କାର ଜିଏସ୍‌ଟି କ୍ଷତି ସହିଥିବା ଭଳି ଏକ ଠକେଇର ପର୍ଦ୍ଦାଫାସ ହୋଇଛି। ଏହି କାରବାର ପଛରେ ମୁଖ୍ୟ କାର୍ପଟଦାର୍ ଭୁବନେଶ୍ବରର ସ୍ମୃତି ରଞ୍ଜନ ସାହୁଙ୍କୁ ରାଜ୍ୟ ଜିଏସ୍‌ଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଗିରଫ କରିଛି। ଅଭିଯୁକ୍ତକୁ ଗିରଫ ପରେ ଭୁବନେଶ୍ବର ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ଜାମିନ୍ ନାମଞ୍ଜୁର ହେବାରୁ ସନ୍ଧ୍ୟାରେ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, ସ୍ମୃତି ରଞ୍ଜନ ଭୁବନେଶ୍ବରରେ ଏସ.ଆର.ଏଣ୍ଟରପ୍ରାଇଜର୍ସ ନାମକ ଏକ ସଂସ୍ଥା ମାଧ୍ୟମରେ ସ୍କ୍ରାପ୍ ବ୍ୟବସାୟ କରୁଥିବା ରାଜ୍ୟ ଜିଏସଟି ଏନଫୋର୍ସମେଣ୍ଟ ୱିଙ୍ଗ୍ ଖବର ପାଇଥିଲା। ଖବର ଆଧାରରେ ତଦନ୍ତ ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ୱିଙ୍ଗ୍ ହାତରେ ଲାଗିଥିଲା। ଏହି ସଂସ୍ଥା ନାଁ ସେଭଳି କୌଣସି ପଞ୍ଜିକୃତ ହୋଇନାହିଁ। ଯେଉଁ ଠିକଣା ସଂସ୍ଥାର ବୋଲି ଦର୍ଶାଯାଇଛି, ସେହି ଠିକଣାରେ ଜଣେ ବ୍ୟକ୍ତି ପରିବାର ସହିତ ରହୁଛନ୍ତି। ସଂସ୍ଥା ଯେଉଁ ଘରେ ଥିବାନେଇ ଚୁକ୍ତି ହୋଇଛି, ଚୁକ୍ତି ବି ଜାଲି। ଘର ମାଲିକଙ୍କୁ ୱିଙ୍ଗ୍‌ର କର୍ମଚାରୀ ପଚରାଉଚରା କରିବା ପରେ ପ୍ରକୃତ ସତ୍ୟ ସାମନାକୁ ଆସିଥିଲା। ଭୁବନେଶ୍ବରରେ ଏସ.ଆର.ଏଣ୍ଟରପ୍ରାଇଜର୍ସ ନାଁରେ କୌଣସି ସଂସ୍ଥା ନଥିବା ସ୍ପଷ୍ଟ ହୋଇଥିଲା। କିନ୍ତୁ ଏହି ସଂସ୍ଥା ୧୪ଟି ବ୍ୟବସାୟୀକ ପ୍ରତିଷ୍ଠାନ ଅନୁଗୁଳ, ଯାଜପୁର, ରାଉରକେଲା, ଜଗତସିଂହପୁର, ଭୁବନେଶ୍ବର ଓ ପାରାଦୀପରୁ ସ୍କ୍ରାପ୍ କିଣିଥିବା ବେଳେ ସେମାନଙ୍କୁ ଜିଏସଟି ବି ଦେଇଥିବା କାଗଜକଲମରେ ଦର୍ଶାଯାଇଥିଲା। ସେ ଦିଗକୁ ତଦନ୍ତ କରିବା ପରେ ଉକ୍ତ ୧୪ଟି ସଂସ୍ଥାକୁ ତଦନ୍ତ ପରିସରକୁ ଅଣାଯାଇଥିଲା। ସମ୍ପୃକ୍ତ ସଂସ୍ଥା ବି ଜାଲି ହୋଇଥିବା ବେଳେ ଯେଉଁମାନଙ୍କୁ ସଂସ୍ଥାର ମାଲିକ ବୋଲି ଦର୍ଶାଯାଇଛି, ସେମାନଙ୍କୁ ପଚରାଉଚରା ପରେ ସେମାନଙ୍କ ଭିତରେ ବେକାର ଯୁବକ, ଗୃହିଣୀ, କୃଷକ, ବରିଷ୍ଠ ନାଗରିକ ଏବଂ ଦିନ ମଜୁରିଆ ଥିବା ଜଣାପଡ଼ିଥିଲା। ସ୍ମୃତି ଏହି ବ୍ୟକ୍ତିଙ୍କ ପରିଚୟପତ୍ର ଜାଲିଆତି କରି ଜାଲ୍ ସଂସ୍ଥା ତିଆରି କରି ଉକ୍ତ ସଂସ୍ଥାରୁ ଜିଏସଟି ଦେଇ ସ୍କ୍ରାପ କିଣିଥିବା କାଗଜପତ୍ରରେ ଦର୍ଶାଇଥିଲେ। ଏହି ମାଲ୍ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼, ମହାରାଷ୍ଟ୍ର, ପଞ୍ଜାବକୁ ବିନା ଜିଏସଟିରେ ବିକ୍ରି କରାଯାଇଛି। କିନ୍ତୁ କାଗଜପତ୍ରରେ ଜିଏସଟି ଦାଖଲ ହୋଇଥିବା ଦର୍ଶାଯାଇଥିଲା। ମୋଟ ଉପରେ ୧୯ କୋଟି ୪ ଲକ୍ଷ ଟଙ୍କାର ଜିଏସଟି ଫାଙ୍କି କରିଥିଲା ସ୍ମୁତି। ଏଭଳି ଗୋଟିଏ ଜାଲି ସଂସ୍ଥା ସମ୍ପର୍କରେ ରାଜ୍ୟ ଏନଫୋର୍ସମେଣ୍ଟ ୱିଙ୍ଗ୍‌ ସମ୍ପୂର୍ଣ୍ଣ ତଥ୍ୟ ପାଇବା ପରେ ୨୦୨୦ ନଭେମ୍ବର ଓ ଡିସେମ୍ବର ମାସରେ ଉପରୋକ୍ତ ୧୪ଟି ଜାଲି ସଂସ୍ଥାରେ ଚଢ଼ଉ ହୋଇଥିଲା। ଆଜି ସ୍ମୁତିଙ୍କୁ ଗିରଫ କରାଯାଇଛି। ଓଡ଼ିଶା ଜିଏସଟି ଆଇନର ୨୦୧୭ ଧାରା ୧୩୨(୧)(ସି), ୧୩୨(୧)(ବି), ୧୩୨(୧)(ଆଇ) ଓ ୧୩୨(୫) ଅନୁଯାୟୀ ଏକ ଅପରାଧିକ ମାମଲା ରୁଜୁ ହୋଇଛି।

ଏଠାରେ ସୂଚନାଯୋଗ୍ୟ ଯେ ରାଜ୍ୟ ଏନଫୋର୍ସମେଣ୍ଟ ଓ୍ବିଙ୍ଗ ବର୍ତ୍ତମାନ ସୁଦ୍ଧା ୧୮ ଜଣ ଠକ ବ୍ୟବସାୟୀଙ୍କୁ ଜାଲ୍ ବିଲ୍ କାରବାର ଏବଂ ଜାଲ୍ ଇନପୁଟ ଟ୍ୟାକ୍ସ କ୍ରେଡିଟ୍ ହସ୍ତାନ୍ତର କରିଥିବା ଅଭିଯୋଗରେ ଗିରଫ କରିସାରିଲାଣି। ରାଜ୍ୟ ଜିଏସଟି ବିଭାଗ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ୧୯ ହଜାର ୫୩୯ ଜଣ ବ୍ୟବସାୟୀଙ୍କ ପଞ୍ଜିକରଣକୁ ରଦ୍ଦ କରାଯାଇଛି। ରିଟର୍ଣ୍ଣ ଦାଖଲ କରିନଥିବା ହେଉ କିମ୍ବା କ୍ଷେତ୍ରୀୟ ଅନୁସନ୍ଧାନରେ ଏଗୁଡ଼ିକ ଭୂତ ବ୍ୟବସାୟୀଙ୍କ ପ୍ରତିଷ୍ଠାନ ଜଣା ପଡ଼ିବା ପରେ ଏ ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଅନ୍ୟପଟେ ରାଜ୍ୟ ଜିଏସଟି କମିସନରଙ୍କ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ସତର୍କ କରାଯାଇଛି ଯେ କୌଣସି ବ୍ୟକ୍ତି ନିଜର ପରିଚୟପତ୍ର ସମ୍ପର୍କିତ କାଗଜପତ୍ର, ବ୍ୟାଙ୍କ୍ ଆକାଉଣ୍ଟ ଇତ୍ୟାଦି କୌଣସି ଅଜଣା ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ। ଯଦି ଏଭଳି କେହି କରିଛନ୍ତି, ତେବେ ଅପବ୍ୟବହାର ରୋକିବା ଉଦ୍ଦେଶ୍ୟରେ ନିକଟସ୍ଥ ଜିଏସଟି କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ଜିଏସଟି କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର