ଦୁର୍ବିପାକ ନିରୋଧୀ ବିଦ୍ୟୁତ ଭିତ୍ତିଭୂମି ନିର୍ମାଣ ପାଇଁ ୧୯ ହଜାର କୋଟିର ଯୋଜନା ପ୍ରସ୍ତୁତ

ପ୍ରଥମ ପର୍ଯ୍ୟାୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର
ଦ୍ବିତୀୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି

ଭୁବନେଶ୍ବର : ରାଜ୍ୟର ଉପକୂଳ ଜିଲ୍ଲାମାନଙ୍କରେ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାକୁ ପ୍ରାକୃତିକ ବିପର୍ଯ୍ୟୟ ନିରୋଧୀ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲା ପାଇଁ ୧୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ୮ ହଜାର କୋଟି ଖର୍ଚ୍ଚ ହେବ। ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନା ଉପରେ ଆଲୋଚନା କରାଯାଇଛି। ଦୁର୍ବିପାକ ମୁକାବିଲା କରିପାରୁଥିବା ବିଦ୍ୟୁତ୍‌ ଭିତ୍ତିଭୂମି ନିର୍ମାଣ ପାଇଁ ସଠିକ୍‌ ଗୁଣାତ୍ମକ ବୈଷୟିକ ଜ୍ଞାନ କୌଶଳ ଉପଯୋଗ ଉପରେ ଗୁରୁତ୍ବ ଦିଆଯାଇଛି। ଏଥିପାଇଁ ‘ଥିଙ୍କ୍‌ ଟ୍ୟାଙ୍କ୍’ ଗଠନ କରିବାକୁ ଗ୍ରିଡ୍‌କୋ ଓ ଓପିଟିସିଏଲ୍‌କୁ ଶ୍ରୀ ତ୍ରିପାଠୀ ନିର୍ଦ୍ଦେଶ ଦେଇଛନ୍ତି।

ବୈଠକରେ ସ୍ବତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ ଜେନା ପ୍ରସ୍ତାବ ଦେଇ କହିଥିଲେ, ଘଣ୍ଟାପ୍ରତି ୩୦୦ କିଲୋମିଟର ପବନ ସମ୍ଭାଳିପାରୁଥିବା କେବୁଲ୍‌ ଓ ବିଦ୍ୟୁତ୍‌ ଖୁଣ୍ଟ ଦୁର୍ବିପାକ ପ୍ରବଣ ଅଞ୍ଚଳରେ ଲଗାଯିବ। ସହରାଞ୍ଚଳରେ ଭୂତଳ ବିଦ୍ୟୁତ୍‌ କେବୁଲ ବିଛାଯିବା ସହ ଗ୍ରାମାଞ୍ଚଳରେ ବାତ୍ୟା ନିରୋଧୀ କେବୁଲ୍‌ ଟାଣିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଖୋଲା ବିଦ୍ୟୁତ୍‌ ତାର ବଦଳରେ ଇନ୍‌ସୁଲେଟେଡ୍‌ ତାର ବିଦ୍ୟୁତ ଖୁଣ୍ଟମାନଙ୍କରେ ଟଣାଯିବ। ସମସ୍ତ ୨୨୦ ଏଲ୍‌ଟି ଲାଇନ୍‌, ୧୩୨ କେ.ଭି, ୩୩ କେ.ଭି ଓ ୧୧ କେ.ଭି ଲାଇନ୍‌ଗୁଡ଼ିକ ପାଇଁ ଦୁର୍ବିପାକ ନିରୋଧୀ ବ୍ୟବସ୍ଥା କରାଯିବ। ବିଶେଷକରି ୧୧ ଓ ୩୩ କେ.ଭି ଲାଇନ୍‌ ପାଇଁ ଗ୍ୟାସ୍‌ ଇନ୍‌ସୁଲେଟେଡ୍‌ ଏଚ୍‌ ଟାଇପ୍‌ ନିର୍ମାଣ କରାଯିବ। ଭାରତ ସରକାରଙ୍କଠାରୁ ଆବଶ୍ୟକ ମଞ୍ଜୁରି ମିଳିବା ପରେ ୩ ବର୍ଷ ଭିତରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। ଏପରି ବ୍ୟବସ୍ଥା ଫଳରେ ଦୁର୍ବିପାକ ଘଟିବାର ଅଳ୍ପ ସମୟ ଭିତରେ ବିଦ୍ୟୁତ୍‌ ସରବରାହକୁ ପୁନଃଅବସ୍ଥାପିତ କରାଯାଇପାରିବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର, ଗ୍ରିଡକୋ ସିଏମ୍‌ଡି ତଥା କୃଷି ବିଭାଗ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ୍‌, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଟାଟା ପାୱାର୍‌ ସିଇଓଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର