ରାଉରକେଲା: ଆଜି ଦିନ ଦ୍ବିପ୍ରହରରେ ଜଣେ ଯୁବତୀ ଲୁଟ୍‌ର ଶିକାର ହୋଇଛନ୍ତି। ବ୍ୟାଗ୍‌ରେ ଧରିଥିବା ୨ ଲକ୍ଷ ୧୩ ହଜାର ଟଙ୍କାକୁ ଦୁଇ ଲୁଟେରା ଲୁଟି ନେଇଛନ୍ତି। ଏନେଇ ସେକ୍ଟର-୩ ପୁଲିସ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଛାନ୍‌ଭିନ୍‌ କରିଥିଲେ ମଧ୍ୟ ଲୁଟେରାଙ୍କୁ କୌଣସି ଟେର୍‌ ପାଇପାରିନି।
Advertisment
ଆଜି ମଧ୍ୟାହ୍ନ ପ୍ରାୟ ୨.୩୦। ସେକ୍ଟର-୬, ଏଚ୍‌/୩୭୭ରେ ରହୁଥିବା ରଶ୍ମୀବାଳା ପାତ୍ର ନିଜ ମା’ଙ୍କ ସହ ଆମ୍ବାଗାନ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌କୁ ଆସିଥିଲେ। ଡାକ ବିଭାଗରେ ଥିବା ଆକାଉଣ୍ଟ୍‌ରେ ଟଙ୍କା ଡିପୋଜିଟ୍‌ କରିବାକୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୨ ଲକ୍ଷ ୧୩ ହଜାର ଟଙ୍କା କାଢ଼ିଥିଲେ। ମା’-ଝିଅ ଏକ ଅଟୋରେ ଘର ଅଭିମୁଖେ ବାହାରିବା ପୂର୍ବରୁ ସେକ୍ଟର-୪ ମଧୁବନ ଛକ ନିକଟରେ ଛତୁ କିଣିବାକୁ ଅଟକିଥିଲେ। ଉଭୟେ ଉକ୍ତ ଅଟୋରେ ହିଁ ନିଜ ଘରକୁ ଯାଇଥାନ୍ତେ। ଉକ୍ତ ଅଟୋରେ ଆଉ କିଛି ଯାତ୍ରୀ ଥିବାରୁ ପ୍ରଥମେ ସେମାନଙ୍କୁ ଗନ୍ତବ୍ୟ ପଥରେ ପହଞ୍ଚାଇବାପରେ ସେକ୍ଟର-୪ ମଧୁବନ ଛକକୁ ଆସିବାକୁ କହିଥିଲେ। କିଛି ସମୟପରେ ଉକ୍ତ ଅଟୋ ସେଠାରେ ପହଞ୍ଚିଥିବାବେଳେ ମା’-ଝିଅ ଛତୁ କିଣି ସାରିଥିଲେ। ସେମାନେ ଅଟୋରେ ଚଢ଼ୁଥିବାବେଳେ ଦୁଇ ଜଣ ଲୁଟେରା କଳା ପଲସର୍‌ରେ ଆସି ରଶ୍ମୀବାଳା ଧରିଥିବା ଟଙ୍କା ବ୍ୟାଗ୍‌କୁ ଲୁଟି ଫେରାର୍‌ ହୋଇଯାଇଥିଲେ। ଦୁଇ ଲୁଟେରା ଟ୍ରାଫିକ୍‌ ଗେଟ୍‌ ଆଡ଼କୁ ପଳାଇଥିବା ଅଭିଯୋଗ ହୋଇଛି।