ଘରୋଇ ଫାଇନାନ୍ସ କଂପାନିରେ ୨.୩୦କୋଟି ଆତ୍ମସାତ

କୋରାପୁଟ : ସୁନା ବନ୍ଧକ ରଖି ଋଣ ଯୋଗାଇ ଆସିଥିଲେ। ଋଣ ନେଇ ଗ୍ରାହକ ଠିକ୍‌ ସମୟରେ କିସ୍ତି ପରିଶୋଧ କରୁଥିଲେ। କିନ୍ତୁ ଟଙ୍କା କଂପାନିର ଆକାଉଣ୍ଟରେ ଜମା ହେଉ ନଥିଲା। ସିଧାସଳଖ କଂପାନିର କିଛି କର୍ମଚାରୀଙ୍କ ଆକାଉଣ୍ଟକୁ ଯାଇଥିଲା। ପ୍ରାୟ ୨କୋଟି ୩୦ଲକ୍ଷ ଟଙ୍କା ଆତ୍ମାସାତ୍ ହେବାପରେ ଖୋଳତାଡ଼ରୁ ଏମିତି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି।

ସୂଚନା ଅନୁଯାୟୀ, କୋରାପୁଟ ଠାରେ ବଜାଜ ଫାଇନାନ୍ସ ସର୍ଭିସର ଗୋଟିଏ ଶାଖା କାର୍ଯ୍ୟାଳୟ ରହିଛି। ଏହି କାର୍ଯ୍ୟାଳୟ ପକ୍ଷରୁ ଲୋକଙ୍କୁ ସୁନା ବନ୍ଧକ ରଖି ଋଣ ଦିଆଯାଉଛି। ତେବେ ଏହି ସଂସ୍ଥାରେ କାର୍ଯ୍ୟରତ କିଛି କର୍ମଚାରୀ ଗ୍ରାହକଙ୍କ କିସ୍ତି ଟଙ୍କା କଂପାନି ଆକାଉଣ୍ଟରେ ଜମା ନ କରି ପକେଟରେ ଭର୍ତ୍ତି କରି ଚାଲିଥିଲେ। ଏ ନେଇ କଂପାନିର ଉଚ୍ଚ ଅଧିକାରୀଙ୍କୁ ସନ୍ଦେହ ହେବାରୁ ଗୋଟିଏ ଟିମ୍‌ ଏହାର ତଦନ୍ତ କରିବାକୁ କୋରାପୁଟ ଆସିଥିଲା। ଗତ ୧୧ରୁ ୧୩ତାରିଖ ପର୍ଯ୍ୟନ୍ତ ପୁନେରୁ ଆସିଥିବା ଅଡିଟ୍‌ ଟିମ୍‌ ତନାଘନା କରିବା ପରେ ଚକିତ କଲା ଭଲି ତଥ୍ୟ ଜାଣିବାକୁ ପାଇଥିଲା। ମାସ ମାସ ଧରି କିସ୍ତି ଟଙ୍କା ନ ଦେଇ ୨କୋଟି ୩୦ଲକ୍ଷ ଟଙ୍କା ହଡ଼ପ କରି ନେଇଥିଲେ ୪ଜଣ କର୍ମଚାରୀ। ଏହାପରେ କଂପାନି ପକ୍ଷରୁ ଥାନାରେ ଏତଲା ଦିଆଯିବାରୁ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଶେଷରେ ଶାଖା ପରିଚାଳକ ତଥା ବ୍ରହ୍ମପୁର ନିବାସୀ ବାସୁଦେବ ନାୟକ (୩୧), ଜୟପୁରର ଅଭିଷେକ ମହାନ୍ତି (୩୨), ଗୁପ୍ତେଶ୍ବର ଗୁଣ୍ଠା(୨୪) ଓ କିଷନ ଖରା (୨୫)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗ୍ରାହାକଙ୍କ କିସ୍ତି ଟଙ୍କାକୁ ପାଖରେ ରଖିଥିଲେ ସଂପୃକ୍ତ କର୍ମଚାରୀ। ୨କୋଟି ୩୦ଲକ୍ଷ ଟଙ୍କା ଆତ୍ମସାତ ନେଇ ଅଭିଯୋଗ ହେବାପରେ ଗିରଫ କରାଯାଇଥିବା ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକ ସୂଚନା ଦେଇଛନ୍ତି। କେଶ ନମ୍ବର ୧୯୬/୨୧ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଜଣାଇଛନ୍ତି।

ସମ୍ବନ୍ଧିତ ଖବର