ଅଧିକ ଲୋଭରେ ୨.୩୫ କୋଟି ଠକିନେଲେ

କେନ୍ଦୁଝର : ଅଧିକ ଲୋଭର ବଶବର୍ତ୍ତୀ ହୋଇ ଯୋଡ଼ା ସହର ହୁଡ଼ି ସାହିର ଖଣି ବ୍ୟବସାୟୀ ପ୍ରମୋଦ ରାଉତ ଓରଫ ବୁନୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏହା ଜାଣିବା ପରେ ସେ ଗତ ମାସ ୨୮ରେ ଭୁବନେଶ୍ବର ଅର୍ଥନୈତିକ ଅପରାଧ ଶାଖାର ଦ୍ବାରସ୍ଥ ହୋଇଛନ୍ତି। ୨୦୧୨ରେ ପ୍ରମୋଦ ମାକ୍ସ ଲାଇଫ୍‌ ଇନସ୍ୟୁରାନ୍ସରେ ଏକ ବୀମା କରିଥିଲେ। ୨୦୧୯ ମସିହା ଅକ୍ଟୋବରରେ ଏହି ବୀମା ସଂପର୍କରେ ତାଙ୍କୁ ଏକ ଅଜଣା କଲ୍‌ ଆସିଥିଲା। ଏହି ଅଜଣା ବ୍ୟକ୍ତି ଜଣକ ନିଜକୁ କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ଫଣ୍ଡ ରିଲିଜ୍‌ ମ୍ୟାନେଜର ପରିଚୟ ଦେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତାଙ୍କୁ ତିନି କୋଟି ଟଙ୍କାର ପୁରସ୍କାର ମିଳିବ ବୋଲି କହିଥିଲେ। ଏହାର କିଛି ଦିନ ପରେ ଆରଡିଏ ଅଧିକାରୀ ଭାବେ ପରିଚୟ ଦେଇ ସୁରେଶ ମାଥୁର ନାମକ ଜଣେ ବ୍ୟକ୍ତି ତାଙ୍କ ସହିତ କଥା ‌ହୋଇଥିଲେ। ୩ କୋଟି ଟଙ୍କାର ପୁରସ୍କାର ପାଇବାକୁ ହେଲେ ଇନସ୍ୟୁରାନ୍ସ ବାବଦରେ ତାଙ୍କର ବାକି ଥିବା ଏକ କୋଟି ୫୬ ଲକ୍ଷ ୩୬ ହଜାର ଟଙ୍କା ଦେବାକୁ ହେବ କହିଥିଲେ। ଏହାକୁ ବିଶ୍ବାସ କରି ପ୍ରମୋଦ ୨୦୧୯ ମସିହାରୁ ୨୦୨୧ ମସିହା ମଧ୍ୟରେ ୨ କୋଟି ୩୫ ଲକ୍ଷ ଟଙ୍କା ଆରଟିଜିଏସ୍‌ ମାଧ୍ୟମରେ ଦିଲ୍ଲୀ ଏବଂ ହାଇଦ୍ରାବାଦରେ ଥିବା ଏକାଧିକ ଆକାଉଣ୍ଟକୁ ପଠାଇଥିଲେ।

ଅଧିକ ସୁଧ ଦେବାକୁ କହି କୋଟିଏରୁ ଅଧିକ ଚଳୁ

ଭୁବନେଶ୍ବର : ଅଧିକ ସୁଧ ଦେବାକୁ ପ୍ରଲୋଭନ ଦେଖାଇ ମୁମ୍ବାଇର ଏକ ଅର୍ଥଲଗାଣକାରୀ ସଂସ୍ଥା ଯାଜପୁରର ଶତାଧିକ ଲୋକଙ୍କ ପାଖରୁ ପ୍ରାୟ କୋଟିଏରୁ ଅଧିକ ଟଙ୍କା ଚଳୁ କରିନେଇଛି। ଏନେଇ ଠକେଇର ଶିକାର ହୋଇଥିବା ଯାଜପୁର ବିଞ୍ଝାରପୁର ଅଞ୍ଚଳର ସ୍ବାଧୀନ କୁମାର ସାହୁ ଆଜି ଇଓଡବ୍ଲୁରେ ଅଭିଯୋଗ କରିଛନ୍ତି। ସ୍ବାଧୀନଙ୍କ ଅଭିଯୋଗ ଅନୁଯାୟୀ, ମୁମ୍ବାଇର ଏକ ଅର୍ଥଲଗାଣକାରୀ ସଂସ୍ଥା ସ୍ଥାନୀୟ ଅଞ୍ଚଳର ଲୋକଙ୍କୁ ଟଙ୍କା ଲଗାଇବାକୁ କହିଥିଲା। ତାଙ୍କ ସଂସ୍ଥାରେ ଟଙ୍କା ଲଗାଇଲେ ୨୦୦ ଦିନରେ ଲଗାଯାଇଥିବା ଟଙ୍କାର ଦ୍ବିଗୁଣ ଅର୍ଥ ଫେରସ୍ତ କରିବେ ବୋଲି ଚୁକ୍ତି ହୋଇଥିଲା। ଚୁକ୍ତି ଅନୁସାରେ, ଯାଜପୁର ବିଞ୍ଝାରପୁର ସମେତ ଏକାଧିକ ଜିଲ୍ଲାର ଲୋକେ ଏହି ସଂସ୍ଥାରେ କୋଟି କୋଟି ଟଙ୍କା ନିବେଶ କରିଥିଲେ। ଟଙ୍କା ନିବେଶ କରିବା ପରେ ପ୍ରତି ମାସରେ ଉକ୍ତ କମ୍ପାନି ମେଲ୍‌ ସହାୟତାରେ ଲୋକଙ୍କୁ ଜାଲ୍ ବୀମା କାଗଜପତ୍ର ପଠାଇଥିଲା। ତେବେ ଧାର୍ଯ୍ୟ ତାରିଖ ପୂରିଯିବା ପରେ ଲୋକେ ଯେତେବେଳେ ସଂପୃକ୍ତ କମ୍ପାନିକୁ ଟଙ୍କା ମାଗିଥିଲେ, ଟଙ୍କା ମିଳିନଥିଲଶ। ତେଣୁ ବାଧ୍ୟ ହୋଇ ଇଓଡବ୍ଲୁରେ ଆଜି ଏକ ଠକେଇ ଅଭିଯୋଗ କରିଥିବା ଜଣାପଡ଼ିଛି। ଇଓଡବ୍ଲୁ ଏନେଇ ଏକ ମାମଲା ରୁଜୁ କରି ଛାନ୍‌ଭିନ୍‌ ଚଳାଇଛି।

ସମ୍ବନ୍ଧିତ ଖବର