ଜୟପୁର: କୋରାପୁଟ ଜିଲ୍ଲାର ସୁନାବେଡ଼ାରେ ଥିବା ହାଲ୍ (ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ )ରେ ଗତ ୨୦୧୩ ମସିହାରୁ ୨୦୧୮ମସିହା ମଧ୍ୟରେ ‌୧୮କୋଟି ୭୫ଲକ୍ଷ ଟଙ୍କାର ଅର୍ଥ ତୋଷାରପାତ ହୋଇଥିବା ସିବିଆଇ ତଦନ୍ତ ବେଳେ ଏହି ଟଙ୍କାକୁ ହାଲ୍‌ରେ କାମ କରୁଥିବା ପୂର୍ବତନ ବରିଷ୍ଠ ପରିଚାଳକ(ଅର୍ଥ) ଭବେନ ମୈତ୍ରଙ୍କ ସହ ଠିକାଦାର ବିପ୍ରଚରଣ ମହାରାଣା, ସଦାନନ୍ଦ ନାୟକ, ଯୀଶୁଦାନ ଖୋସ୍ଲା, ଜୟରାମ ଗରଡ଼ା, ଜଗନ୍ନାଥ ଆପଟ ଓ ସ୍ବର୍ଗତ ଉର୍ଦ୍ଧବ ଖୋସ୍ଲା ସଂପୃକ୍ତ ଥିବା  ଜଣା ପଡ଼ିଥିଲା। ଭିଜିଲାନସ୍ ପକ୍ଷରୁ  ମାମଲା ରୁଜୁ କରିଥିଲା। ଏହା ସହ  ଅର୍ଥ ନୈତିକ ଅପରାଧ ଶାଖା (ଇଡି) ପକ୍ଷରୁ ବି ମାମଲା ରୁଜୁ କରିବା ସହ  ତଦନ୍ତ ଜାରି ରହିଛି। ଏବେ ଇଡି ଏହି ମାମଲାରେ ଅଭିଯୁକ୍ତ ଥିବା ବରିଷ୍ଠ ପରିଚାଳକ ଶ୍ରୀ ମୈତ୍ରଙ୍କ ସହ ଅନ୍ୟ ୬ଜଣଙ୍କର ଥିବା ୨କୋଟି ୩୯ଲକ୍ଷ ୩୮ହଜାର ୬୮୧ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତିକୁ ଜବତ କରିଥିବା ପ୍ରେସ ବିଞପ୍ତି ମାଧ୍ୟମରେ ଇଡି ପକ୍ଷରୁ ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ,  ୦୧୩ ମସିହାରୁ ୨୦୧୮ମସିହା ପର୍ଯ୍ୟନ୍ତ ହାଲ୍ ପରିସରରେ ହୋଇଥିବା ବିଭିନ୍ନ ନିର୍ମାଣ ଓଉନ୍ନୟନ କାମ ବାବଦରେ ବ୍ୟାପକ ଅର୍ଥ ତୋଷାରପାତ ହୋଇଥିବା ୨୦୧୮ମସିହାରେ ହାଲ୍ ପକ୍ଷରୁ ଅନ୍ତଃ ଅଡିଟ୍‌ କରିବା ସମୟରେ ୪୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଅର୍ଥ ତୋଷାରପାତ ହୋଇଥିବା ଜାଣିବାକୁ ପାଇଥିଲେ। ଏ ନେଇ ସ୍ଥାନୀୟ ସୁନାବେଡ଼ା ଥାନାରେ ବି ଅଭିଯୁକ୍ତ ବରିଷ୍ଠ ପରିଚାଳକଙ୍କ ନାଁରେ ହାଲ୍ ପକ୍ଷରୁ ଏତଲା ଦିଆଯାଇଥିଲା।

୨୦୧୮ମସିହା ଅକ୍ଟୋବର ୬ତାରିଖ ଦିନ ହାଲ୍ ର ଅନ୍ତଃ-ଭିଜିଲାନସ୍ ପକ୍ଷରୁ ଏହି ମାମଲାର ମୁଖ୍ୟଅଭିଯୁକ୍ତ ଶ୍ରୀ ମୈତ୍ର ରହୁଥିବା  ସୁନାବେଡ଼ା ହାଲ୍ କ୍ବାଟର ଉପରେ ଚଢ଼ାଉ କରି ତାଙ୍କୁ ପଚାରାଉଚାରା ପାଇ୍ଁ ଆଣିବାକୁ  ଯିବା ସମୟରେ ସେ କ୍ବାର୍ଟରରେ ରଖିଥିବା ଲକ୍ଷାଧିକ ଟଙ୍କା, ବିଭିନ୍ନ କାଗଜପତ୍ରରେ ନିଆଁ ଲଗାଇ ଦେଇଥିଲେ। ସେଠାରୁ ପୁଲିସ ଓ ହାଲ୍ ଅନ୍ତଃଭିଜିଲାନସ୍ ଟିମ୍ ଆଖିରେ ଧୁଳି ଦେଇ  ଚମ୍ପଟ ମାରିଥିଲେ। ଦର ପୋଡା ଟଙ୍କା ଓ କାଗଜପତ୍ର ସବୁ ଜବତ କରି  ପୁଲିସ ଆଣିଥିଲା। ଏବଂ ୪୫ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ତୋଷାରପାତ ହୋଇଥିବାରୁ ସିବିଆଇକୁ ଏହି ମାମଲା ହସ୍ତାନ୍ତର କରାଯାଇଥିଲା।

ସିବିଆଇ ଏହି ମାମଲାର ତଦନ୍ତ କରି ୧୮କୋଟି ୭୫ ଲକ୍ଷର ତୋଷାରପାତ ହୋଇଥିବା ତଦନ୍ତ ବେଳେ ଜଣା ପଡ଼ିବା ସହ ପୃଥକ ମାମଲା ରୁଜୁ କରିଥିଲା। ପ୍ରଥମେ ହାଲର ଅନ୍ତଃ ଭିଜିଲାନସ୍, ପୁଲିସ, ସିବିଆଇ ଓ  ଇଡି ପକ୍ଷରୁ ମଧ୍ୟ ଏହି ମାମଲାର ତଦନ୍ତ ପୃଥକ ପୃଥକ ଭାବେ କରାଯାଇଥିଲା।  ଗତ ୨୦୨୦ମସିହାରେ ତଦନ୍ତ ସରିଥିଲା। ସଂପ୍ରତି ଅଭିଯୁକ୍ତଙ୍କ ନାଁରେ ଭୁବନେଶ୍ବର ସିବିଆଇ କୋର୍ଟ ସହ ‌ସେମିଳିଗୁଡା କୋର୍ଟରେ ବି ମାମଲାର ବିଚାରଚାଳିଥିବା କହିଛନ୍ତି ହାଲର ଆଇନ ଅଧିକାରୀ ଶ୍ରୀ ପାତ୍ର। ଏହାରି ମଧ୍ୟରେ ହାଲ୍ ପକ୍ଷରୁ ତାଙ୍କ ନାଁରେ ୩ଟି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏଥିରୁ ଗୋଟିଏ ବିଭାଗୀୟ  କାର୍ଯ୍ୟାନୁଷ୍ଠାନ କ୍ରମରେ ତାଙ୍କୁ  କାର୍ଯ୍ୟରୁ ବହିଷ୍କାର କରାଯାଇଛି ବୋଲି ହାଲର ଆଇନ୍ ଅଧିକାରୀ ଅକ୍ଷୟ ପାତ୍ର କହିଛନ୍ତି।