ଜୁଏଲର୍ସଙ୍କ ଘରୁ ‌ଅଢ଼େଇ କୋଟିର ଅଳଙ୍କାର ଡକାୟତି, ଭାଙ୍ଗିଲେ ସିସି କ୍ୟାମେରା, ଉପାଡ଼ି ନେଲେ ହାର୍ଡ଼ଡିସ୍କ୍

ସବୁ ବେଡ଼୍‌ରୁମ୍‌କୁ ବନ୍ଦ କରି ନିଶା ଶୁଙ୍ଘାଇ ଲୁଟିନେଲେ

ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ସହରରେ ଲୁଟେରା ଗ୍ୟାଙ୍ଗ୍ ଆତଙ୍କ ଖେଳାଇଛନ୍ତି। ଚାଙ୍ଗୁଡ଼ିପଦର ସାହିବାସିନ୍ଦା ଜଣେ ଗହଣା ବ୍ୟବସାୟୀଙ୍କ ଘରେ ବିଳମ୍ବିତ ରାତି ପ୍ରାୟ ୨ଟାରେ ଦୁର୍ବୃତ୍ତ ମାନେ ପଶି ଅଢ଼େଇ କୋଟି ଟଙ୍କାର ଅଳଙ୍କାର ଓ ଦେଢ଼ ଲକ୍ଷ ଟଙ୍କାର ଦୁଇଟି ମୋବାଇଲ୍ ଲୁଟି ନେବା ଘଟଣା ଆଜି ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁରୁଷୋତ୍ତମପୁର ଥାନାଠୁ ଅତି ନିକଟରେ ଲୁଟେରା ମାନେ ତାଙ୍କ ଯୋଜନାକୁ ରୂପ ଦେବାରେ ସଫଳ ହୋଇଛନ୍ତି। ଏହା ଏକ ଯୋଜନାବଦ୍ଧ ଲୁଟ୍ ହୋଇଥିବା ବେଳେ ସମସ୍ତ ତଥ୍ୟ ଓ ପ୍ରମାଣ ନଷ୍ଟ କରିବା ଲାଗି ଦୁର୍ବୃତ୍ତ ମାନେ ସିସି କ୍ୟାମେରାକୁ ଭାଙ୍ଗିଦେବା ସହ ହାର୍ଡ଼ଡିସ୍କ୍ ମଧ୍ୟ ନେଇ ଯାଇଛନ୍ତି। ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

ଗହଣା ବ୍ୟବସାୟୀ ସୁରେନ୍ଦ୍ର ନାଥ ନାୟକ ଓ ତାଙ୍କ ପୁଅ ସାଇ ଶଙ୍କରଙ୍କ କହିବାନୁସାରେ, ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ଭିତରେ ଲୁଟେରା ମାନେ ଘରର ଛାତକୁ ସଂଯୋଗ ହୋଇଥିବା ଗ୍ରିଲ୍‌କୁ ଭାଙ୍ଗି ପଶିଥିଲେ। ଏହା ମଧ୍ୟରେ ସେମାନେ ସିସି କ୍ୟାମେରାକୁ ଭାଙ୍ଗି ଦେଇଥିଲେ। ଦ୍ବିତୀୟ ମହଲାରେ ସମସ୍ତ ବେଡ୍‌ରୁମ୍‌କୁ ବାହାରପଟୁ ବନ୍ଦ କରିଦେଇ ପ୍ରଥମ ମହଲା ବେଡ଼୍‌ରୁମ୍‌କୁ ଯାଇଥିଲେ। ଯେଉଁଠି ସ‌ୁରେନ୍ଦ୍ରଙ୍କ ପୁଅ ସାଇଶଙ୍କର ଶୋଇଥିଲେ। ସେମାନେ ତାଙ୍କୁ କୌଣସି ଔଷଧ ଶୁଙ୍ଘାଇ ଅଚେତ କରି ଦେବା ପରେ କେବଳ ଗୋଟିଏ ଆଲମିରାକୁ ଭାଙ୍ଗି ବିକ୍ରି ପାଇଁ ରଖା ଯାଇଥିବା ୫ କେଜି ୫୦୦ ଗ୍ରାମ ସୁନା ଗହଣା ଓ ସାଇଶଙ୍କରଙ୍କ ଦୁଇଟି ଦାମୀ ମୋବାଇଲ୍‌ ନେଇ ଯାଇଥିଲେ। ସିନେମା ଷ୍ଟାଇଲ୍‌ରେ ନିଜ ଯୋଜନାକୁ ରୂପ ଦେଇ ସେମାନେ ଚମ୍ପଟ୍ ମାରିଥିଲେ।

ଆଜି ଭୋର୍‌ରେ ଏହି ଘଟଣା ଜଣାପଡ଼ିବା ପରେ ସୁରେନ୍ଦ୍ରନାଥ ସଂଗେ ସଂ‌ଗେ ପୁରୁଷୋତ୍ତମପୁର ଥାନାରେ ଲିଖିତ ଏତଲା ଦେଇଥିଲେ। ଏହାକୁ ଆଧାର କରି ପୁଲିସ ଟିମ୍ ଓ ଛତ୍ରପୁରରୁ ଆସିଥିବା ସାଇଣ୍ଟିଫିକ୍ ଟିମ୍ ଛାନଭିନ୍ କରିଥିଲେ। ଖୁବ୍ ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ ହେବ। ଅଭିଯୁକ୍ତଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଅପରେସନ୍ ଆରମ୍ଭ ହୋଇଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଲୁଟ୍ ହୋଇଥିବା ବେଡ଼୍‌ରୁମ୍‌ରେ ୪ଟି ଆଲମିରା ଥିଲା। ସମସ୍ତ ଆଲମିରାରେ ସୁନା ଓ ରୁପା ଅଳଙ୍କାର ସମେତ ନଗଦ ବି ଥିଲା। ହେଲେ ‌ଲୁଟେରାମାନେ କେବଳ ଗୋଟିଏ ‌ହିଁ ଆଲମିରାକୁ ଟାର୍ଗେଟ୍ କରି ସୁନାଗହଣା ସବୁ ନେଇଯାଇଥିଲେ। ଅନ୍ୟ ୩ଟି ଆଲମିରାରେ ସମସ୍ତ ଗହଣା ଓ ଟଙ୍କା ସୁରକ୍ଷିତ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର