ରାଉରକେଲାରେ ୨.୭ ଲକ୍ଷିଆ ମିୟାଜାକି ଆମ୍ବ !

ଶୋଭାଯାଉଛି ୩୦ ପ୍ରଜାତିର ଦେଶ ବିଦେଶର ଫୁଲ

ରାଉରକେଲା : ପେସାରେ ରେଳବାଇ କର୍ମଚାରୀ। ନିଶାରେ ଫଳ ଫୁଲ ଚାଷ ଓ ପଶୁ ପକ୍ଷୀ ପ୍ରେମୀ। ଏମିତି ଜଣେ ନିଆରା ମଣିଷ ‌ହେଲେ ସେକ୍ଟର-୨ ସି ବ୍ଲକର ବିକାଶ ରଞ୍ଜନ ପଣ୍ଡା। ସଫଳ ଉଦ୍ୟମରେ ସେ ତାଙ୍କ କ୍ବାର୍ଟର୍ସରେ ସୃଷ୍ଟି କରିପାରିଛନ୍ତି ଏକ ସୁନ୍ଦର ବଗିଚା। ସେଥିରେ ଶୋଭା ପାଉଛି ଦେଶ ବିଦେଶର ୪୦ ପ୍ରକାର ବିଭିନ୍ନ ଫୁଲ ଓ ଫଳ। ଅଛନ୍ତି ଅନେକ ପ୍ରଜାତିର ମାଛ ଓ ପକ୍ଷୀ। ମାଛ ମଧ୍ୟରେ ରହିଛି ଏଲିଗେଟ୍‌ର ଗ୍ରାପ୍‌ ଓ ଫ୍ଲାଉଆର୍‌ ହର୍ଣ୍ଣ। ତାଙ୍କ ବଗିଚାର ଅନ୍ୟତମ ଆକର୍ଷଣ ହେଉଛି ଜାପାନୀ ମିଆଜାକି ଆମ୍ବ। ମଧ୍ୟପ୍ରଦେଶ ଜବଲପୁରର ଜଣେ ଲୋକ ତାଙ୍କ ବାଡ଼ିରେ ଥିବା ଏହି ପ୍ରଜାତିର ଦୁଇଟି ଆମ୍ବଗଛକୁ ଜଗିବାଲାଗି ବନ୍ଧୁକଧାରୀ ସୁରକ୍ଷାକର୍ମଚାରୀ ଓ ଜଗୁଆଳି କୁକୁର ନିୟୋଜିତ କରିଥିବାର ଖବର ନିକଟରେ ଗଣମାଧ୍ୟମରେ ଚର୍ଚ୍ଚିତ ହୋଇଥିଲା। କାରଣ ଅନ୍ତର୍ଜାତୀୟ ବଜାରରେ ସେ ଆମ୍ବର ମୂଲ୍ୟ କେଜି ପ୍ରତି ଥିଲା ୨.୭ ଲକ୍ଷ ଟଙ୍କା।

ବିକାଶଙ୍କ ବଗିଚରେ ସେହି ସମାନ ଆମ୍ବ ଫଳିଛି। ଏହି ଜାପାନୀ ଆମ୍ବର ୩ଟି ଚାରାକୁ ସେ ୪ ବର୍ଷ ତଳେ କଲିକତାର ଏକ ନର୍ସରୀରୁ ଆଣିଥିଲେ। ଗୋଟାକୁ ଦେଇଥିଲେ ୫୦୦ ଟଙ୍କା। ଏଥିରୁ ଏବେ ଗୋଟିଏରେ ୨ଟି ଓ ଆଉ ଗୋଟିଏରେ ୧ଟି ଆମ୍ବ ଫଳିଛି। ଓଜନ୍‌ ପ୍ରାୟ ଅଧ କେଜିରୁ ଅଧିକ। ଉଦ୍ୟାନ କୃଷି ବିଭାଗ ଅଧିକାରୀ ଟି. ପାଣି କହିଛନ୍ତି, ବିକାଶଙ୍କ ବଗିଚାରେ ଯେଉଁ ଆମ୍ବ ଫଳିଛି ତାହା ମିୟାଜାକି ଆମ୍ବ ପରି ଦେଖାଯାଉଛି। ତେବେ ଯାଞ୍ଚ କରିବା ପରେ ସତ୍ୟତା ଜାଣିହେବ।

ବିକାଶଙ୍କ ବଗିଚାରେ ଆହୁରି ଅଛି ପ୍ରସିଦ୍ଧ ‘ରାଜା’ ଆମ୍ବ, ଯାହା ବର୍ଷକୁ ୩ ଥର ଫଳୁଛି। କମ୍‌ ଫଳୁଥିଲେ ହେଁ ଏହି ପ୍ରକାର ଆମ୍ବର ସ୍ବାଦ ଓ ବାସ୍ନା ନିଆରା। ଅଛି ମଧ୍ୟ ଥାଇଲାଣ୍ଡର ବ୍ଲାକ୍‌ଷ୍ଟୋନ୍‌ ଆମ୍ବ ଗଛ। ଚାରି ବର୍ଷ ତଳେ ଲଗାଇଥିଲେ। କିନ୍ତୁ ଆଜି ଯାଏ ଫଳି ନାହିଁ। ବୋନ୍‌ସାଇ ଗଛ ମଧ୍ୟ ତାଙ୍କ ବଗିଚାରେ ଆଉ ଏକ ଆକର୍ଷଣ। ରାସ୍ତାରେ ଫିଙ୍ଗି ଦିଆଯାଉଥିବା ଗଛର ଡାଳ ଓ ଗଣ୍ଡିରୁ ସୃଷ୍ଟି କରି ପାରିଛନ୍ତି ବୋନ୍‌ସାଇ ଗଛ। ବିକାଶ ନିଜ ପରିବାର ସହ ରାଉରକେଲା ସେକ୍ଟର-୪ ସିରେ ଆର୍‌ଏସ୍‌ପି କ୍ବାର୍ଟର୍ସରେ ରହନ୍ତି। ସେ କଲୁଙ୍ଗା ଷ୍ଟେସନର ଅପେରଟିଂ ବିଭାଗରେ କାର୍ଯ୍ୟ କରନ୍ତି। ପ୍ରତ୍ୟେକ ଦିନ ବଗିଚାରେ ୨ରୁ ୩ ଘଣ୍ଟା ସମୟ ଦିଅନ୍ତି। ପିଲାଛୁଆଙ୍କ ପରି ଫଳ, ଫୁଲ ଗଛର ଯତ୍ନ ନିଅନ୍ତି। ତାଙ୍କୁ ଏହି କାମରେ ସାହାଯ୍ୟ କରିନ୍ତି ତାଙ୍କ ମା’ ଓ ପତ୍ନୀ।

ସମ୍ବନ୍ଧିତ ଖବର