ହୋଟେଲ୍‌ରୁ ୨.୭୦ କୋଟିର ବ୍ରାଉନ୍‌ସୁଗାର ଜବତ: ୨ ମହିଳାଙ୍କ ସହ ୩ ଗିରଫ

ଏସ୍‌ପିଙ୍କ ପ୍ରେସ୍ ମିଟ୍‌କୁ ଗଲେନି ସାମ୍ବାଦିକ

ଜଳେଶ୍ବର: ବ୍ରାଉନ୍‌ସୁଗାରର ପେଣ୍ଠ ପାଲଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳ। ଜଳେଶ୍ବର ଷ୍ଟେସନ୍‌ ବଜାରସ୍ଥିତ ଡାଇମଣ୍ଡ୍‌ ହୋଟେଲରୁ ପୁଲିସ ଓ ଅବକାରୀ ବିଭାଗର ୩୫ ଜଣିଆ ଟିମ୍ ଚଢ଼ଉ କରି ଅଢ଼େଇ କେଜିରୁ ଅଧିକ ଧଳାଜହର ଜବତ କରିଛନ୍ତି। ଏହି ଘଟଣାରେ ଦୁଇ ମହିଳାଙ୍କ ସମେତ ୩ ଜଣଙ୍କୁ ଗିରଫ କରାଯାଇଛି। ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି।

ଏହି ହୋଟେଲରେ ଦୀର୍ଘଦିନରୁ ବ୍ରାଉନସୁଗାର କାରବାର ଚାଲୁଥିବା ନେଇ ପୁଲିସ ଓ ଅବକାରୀ ବିଭାଗ ପାଖରେ ସୂଚନା ଥିଲା। ଗତକାଲି ରାତି ପ୍ରାୟ ସାଢେ ୧୧ଟା ସମୟରେ ଜଳେଶ୍ବର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ଥାନା ଆଇଆଇସି ପ୍ରେମପ୍ରଜ୍ଞା ମହାନ୍ତି, ଡିଏସ୍‌ଇ ସୁଶାନ୍ତ କୁମାର ପାଢୀ, ଅବକାରୀ ଥାନା ଅଧିକାରୀ ଦେବେନ୍ଦ୍ର କୁମାର ବେହେରାଙ୍କ ନେତୃତ୍ବରେ ୩୫ ଜଣିଆ ଟିମ୍‌ ହୋଟେଲ ଉପରେ ଅତର୍କିତ ଚଢ଼ଉ କରିଥିଲେ। ଚଢ଼ଉ ସମୟରେ ପୁଲିସ ୧.୧୭୬ କେଜି ବ୍ରାଉନ୍‌ସୁଗାର ଜବତ କରିବା ସହ ରାଜପୁର ଗ୍ରାମର ରୁକ୍‌ସାନା ବିବି (୪୩) ଓ ଜ୍ୟୋତ୍ସ୍ନା ମୁର୍ମୁ (୩୫ )ଙ୍କୁ ଗିରଫ କରିଥିଲା। ଏ ନେଇ ଜଳେଶ୍ବର ଥାନା କେସ୍ ନମ୍ବର ୩୪୧ରେ ଏକ ମାମଲା ରୁଜୁ ହୋଇଛି। ସେହିପରି ଅବକାରୀ ବିଭାଗ ନିଶା ବ୍ୟବସାୟୀ ମୁକତାର ଅଲ୍ଲୀ ଖାନ୍‌ଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧.୫ କେଜି ବ୍ରାଉନ୍‌ସୁଗାର ଜବତ କରିଛି। ଏ ସଂକ୍ରାନ୍ତରେ ଅବକାରୀ ଥାନା କେସ୍ ନମ୍ବର ୧୦୦ରେ ଏକ ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ବ୍ରାଉନ୍‌ସୁଗାର ଜବତ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେବା ପାଇଁ ବାଲେଶ୍ଵର ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ଆଜି ଜଳେଶ୍ବର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ହେଲେ ବରିଷ୍ଠ ସାମ୍ବାଦିକମାନେ ଏସ୍‌ପିଙ୍କ ଏହି ସାମ୍ବାଦିକ ସମ୍ମିଳନୀକୁ ବର୍ଜନ କରିଥିଲେ। ତାଙ୍କ ବିନା ଅନୁମତିରେ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇପାରିବ ନାହିଁ ବୋଲି କିଛି ଦିନ ତଳେ ଜିଲ୍ଲାର ସମସ୍ତ ଥାନା ଅଧିକାରୀମାନଙ୍କୁ ଏସ୍‌ପି ନିର୍ଦ୍ଦେଶନାମା ଜାରି କରି ଚିଠି ଲେଖିଥିଲେ। ଏହାର ପ୍ରତିବାଦରେ ସାମ୍ବାଦିକମାନେ ଏସ୍‌ପିଙ୍କ ସାମ୍ବାଦିକ ସମ୍ମିଳନୀକୁ ଆସିନଥିଲେ।

୧୦ ମାସରେ ରୁଜୁ ହେଲାଣି ୪୮ ଏନ୍‌ଡିପିଏସ୍‌ ମାମଲା
୨୦୨୧ ମସିହା ଜାନୁଆରି ମାସରୁ ଆଜି ପର୍ଯ୍ୟନ୍ତ ବାଲେଶ୍ଵର ଜିଲ୍ଲାରେ ୪୮ଟି ଏନ୍‌ଡିପିଏସ୍‌ ମାମଲା ରୁଜୁ ହୋଇଛି। ଏହି ସବୁ ମାମଲାରେ ୮୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ୭.୦୩୪ କେଜି ବ୍ରାଉନ୍‌ସୁଗାର, ୧୫ଟି ଗାଡ଼ି ଓ ନଗଦ ୩ ଲକ୍ଷ ୪୫୮୯୦ ଟଙ୍କା ଜବତ ହୋଇଛି। ରୁଜୁ ହୋଇଥିବା ମାମଲା ମଧ୍ୟରୁ କେବଳ ଜଳେଶ୍ଵର ଅଞ୍ଚଳର ୨୧ଟି ମାମଲା ରହିଛି। ଏହି ୨୧ ମାମଲାରେ ୩୮ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ୫.୦୨୬ କେଜି ବ୍ରାଉନ୍‌ସୁଗାର, ୮ଟି ଗାଡ଼ି ଓ ୮୬ ହଜାର ୧୪୫ ଟଙ୍କା ଜବତ କରାଯାଇଥିବା ଜଳେଶ୍ଵର ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର