କଟକ : ଜଣେ ବରିଷ୍ଠ ପୁଲିସ ଅଫିସରଙ୍କ ଝିଅ ଡିଭର୍ସ ମାଟ୍ରିମୋନି ୱେବ୍ସାଇଟ୍ରେ ଜଣେ ଯୁବକଙ୍କୁ ଠକିଥିବା ଭଳି ଅଭିଯୋଗ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ରୁଜୁ ହୋଇଛି। ବାଲେଶ୍ବରର ଜଣେ ଯୁବକଙ୍କ ୨ ଲକ୍ଷ ୮୦ ହଜାର ଟଙ୍କା ଏହି ମହିଳା ଠକି ନେଇଛନ୍ତି। ମହିଳା ଜଣକ ଏବେ ବିବାହ କରିବାକୁ ମନା କରୁଥିବାବେଳେ ଟଙ୍କା ବି ଫେରସ୍ତ କରୁନାହାନ୍ତି। ତାଙ୍କ ପୁଲିସ ବାପାଙ୍କ ଭୟ ଦେଖାଉ ଥିବା ପୀଡ଼ିତ ଯୁବକ ଜଣକ କ୍ରାଇମବ୍ରାଞ୍ଚ ସାଇବର୍ ଥାନାରେ ଏତଲା ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ମେଡିସିନ୍ ରିପ୍ରେଜେଣ୍ଟେଟିଭ୍ ଥିବା ବାଲେଶ୍ବର ଜିଲ୍ଲା ସୋର ଅନ୍ତପୁର ଅଞ୍ଚଳର ସୂର୍ଯ୍ୟକାନ୍ତ ପାକଳଙ୍କ ବିବାହ ବିଚ୍ଛେଦ ପରେ ଡିଭର୍ସ ମାଟ୍ରିମନି ୱେବ୍ସାଇଟ୍ରେ ବିବାହ ପାଇଁ ୨୦୨୧ ଅକ୍ଟୋବରରେ ନାଁ ପଞ୍ଜୀକରଣ କରିଥିଲେ। ସେଠି ଅନନ୍ୟା ପ୍ରିୟଦର୍ଶନୀ ମହାନ୍ତି ନାଁରେ ଜଣେ ମହିଳାଙ୍କ ସହିତ ଯୋଗାଯୋଗ ହୋଇଥିଲା। ପରସ୍ପର ଯୋଗାଯୋଗ ନମ୍ବର ଦେବାନେବା କରିବା ପରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ମହିଳା ଜଣକ ନିଜକୁ ପ୍ରଥମେ କଟକ ମହାନଦୀ ବିହାର ଓ ପରେ କଲ୍ୟାଣୀନଗର ବାସିନ୍ଦା ବୋଲି କହିଥିଲେ। ମହିଳା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ପୁଅ ଥିବା ବି କହିଥିଲେ। କିନ୍ତୁ ତାଙ୍କର ଛାଡ଼ପତ୍ର ହୋଇଥିବା ସୂର୍ଯ୍ୟକାନ୍ତଙ୍କୁ ଜଣାଇ ଥିଲେ। ସୂର୍ଯ୍ୟକାନ୍ତ ପ୍ରସ୍ତାବରେ ରାଜି ହୋଇଥିଲେ। ଚଳିତ ବର୍ଷ ଜାନୁଆରିରେ କଟକ ଶିଖରପୁର ଛକରେ ସେମାନେ ପରସ୍ପରକୁ ଭେଟିଥିଲେ। ଜୁନ୍ ମାସରେ କୋର୍ଟ ମ୍ୟାରେଜ କରିବାକୁ ଅନନ୍ୟା ପ୍ରତିଶ୍ରୁତି ଦେଇଥିଲେ। ପରେ ପୁଣି ଡିସେମ୍ବରରେ ବିବାହ କରିବାକୁ କହି ଦିନ ଗଡ଼ାଇ ଚାଲିଲେ।
ଜାନୁଆରି ୮ ତାରିଖରୁ ଜୁଲାଇ ୬ ତାରିଖ ଭିତରେ ମହିଳା ଜଣକ ସୂର୍ଯ୍ୟକାନ୍ତଙ୍କ ନିକଟରୁ ପୁରୀ ବୁଲିବାକୁ ଯିବା, କମ୍ପ୍ୟୁଟର କ୍ଲାସ୍ କରିବା, ପୁଅର ସ୍କୁଲ୍ରେ ଆଡିମିସନ, ଡ୍ରେସ, ମୁଦି କିଣିବା ବାବଦରେ ୨ ଲକ୍ଷ ୮୦ ହଜାର ଟଙ୍କା ଫୋନ୍ ପେ ଓ ଗୁଗୁଲ ପେ’ରେ ନେଇଛନ୍ତି। ନିକଟରେ ସେ ଏକ ଲାପ୍ଟପ୍ ବି ମାଗିଥିଲେ। ସୂର୍ଯ୍ୟକାନ୍ତଙ୍କ ସନ୍ଦେହ ହେବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। ଏବେ ସମ୍ପୃକ୍ତ ମହିଳା ଜଣକ ତାଙ୍କୁ ଆଉ ଧରା ଦେଉନାହାନ୍ତି କି ଟଙ୍କା ବି ଫେରସ୍ତ କରୁନାହାନ୍ତି। ପୁଲିସ ଭୟ ଦେଖାଇ ଧମକାଉ ଥିବାରୁ ବାଧ୍ୟ ହୋଇ ସୂର୍ଯ୍ୟକାନ୍ତ କ୍ରାଇମବ୍ରାଞ୍ଚରେ ହାଜର ହୋଇଛନ୍ତି। ଏଭଳି ଠକେଇ ଘଟଣାରେ ତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ କ୍ରାଇମବ୍ରାଞ୍ଚରେ ଲିଖିତ ଏତଲା ଦେଇଥିବା ସୂଚନା ଦେଇଛନ୍ତି।