ସୁନ୍ଦରଗଡ଼: ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ପରିସରରେ ଆଜି ୪ ଜଣ ଦୁର୍ବୃତ୍ତ ଆତଙ୍କରାଜ କରିଛନ୍ତି । ଦିନ ଦିପହରରେ ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରାଇ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି । ସୁନ୍ଦରଗଡ଼ ସଦରଥାନା ଅନ୍ତର୍ଗତ ବିଜୁ ଏକ୍ସପ୍ରେସ୍ ରୋଡ଼ରେ ଥିବା କିରେଇ ଶାଖାରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାଯାଇଛି ।
ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର କିରେଇ ଶାଖା ପରିଚାଳକ ନୀଳକାନ୍ତ କୁମାରଙ୍କ ଅଭିଯୋଗ ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ଟା ୪୫ରେ ୪ଜଣ ଦୁର୍ବୃତ୍ତ ୨ଟି ବାଇକରେ ଆସିଥିଲେ । ସେମାନେ ମୁହଁରେ ମୁଖା ପିନ୍ଧି ଓ ହାତରେ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ । ବ୍ୟାଙ୍କରେ ସୁରକ୍ଷାକର୍ମୀ ନଥିବାରୁ ଦୁର୍ବୃତ୍ତମାନେ ନିର୍ଭୟରେ ପ୍ରବେଶ କରିଥିଲେ ଏବଂ କିଛି ସମୟ ପର୍ଯ୍ୟନ୍ତ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଭୟଭୀତ କରାଇ ୨ ଲକ୍ଷ ୮୭ ହଜାର ଟଙ୍କା ଓ ମହିଳା କ୍ୟାସିୟର ରାଖୀ କୁଜୁରଙ୍କ ଠାରୁ ସୁନା ଚେନ୍ ଲୁଟ କରି ସେଠାରୁ ଫେରାର ହୋଇଥିଲେ ।
/sambad/media/post_attachments/wp-content/uploads/2021/07/b05c4de7-e3fd-4d4f-ab97-45f99ec1f520-1024x473.jpg)
ବ୍ୟାଙ୍କ ମ୍ୟାନେଜରଙ୍କ ଠାରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚିଛି । ପୁଲିସ କହିଛି ଯେ, ଦୁର୍ବୃତ୍ତମାନେ ସୁନ୍ଦରଗଡ଼ ଆଡୁ ୨ଟି ବାଇକ୍ରେ ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କରୁ ୨ ଲକ୍ଷ ୮୭ ହଜାର ଟଙ୍କା ଓ କ୍ୟାସିୟରଙ୍କ ଠାରୁ ଏକ ସୁନାଚେନ୍ ଲୁଟି ନେବା ପରେ ଝାରସୁଗୁଡ଼ା ଅଭିମୁଖେ ଫେରାର ହୋଇଯାଇଥିଲେ । ଏସ୍ପି ସାଗରିକା ନାଥଙ୍କ ନେତୃତ୍ୱରେ ପୁଲିସ ସିସିଟିଭ ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ କରୁଛି । ରିପୋର୍ଟ ଲେଖାଯିବା ବେଳକୁ ଲୁଟେରାମାନେ ଧରାପଡ଼ି ନାହାନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/a70737e9-1b3d-4797-af9e-81611de8a7dd.jpg)
