ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ୨ କୋଟିରୁ ଊର୍ଦ୍ଧ୍ୱ  ଟଙ୍କାର ଜାଲିଆତି! ପୂର୍ବତନ ହିସାବରକ୍ଷକଙ୍କ ସମ୍ପୃକ୍ତି ଅଭିଯୋଗ

ଖୋର୍ଦ୍ଧା: ଆର୍ଥିକ ବର୍ଷ ୨୦୧୮-୧୯ ଆୟ-ବ୍ୟୟ ଅଟକଳ ହିସାବରେ ୧୦୪୩ କୋଟି ଟଙ୍କାର କାରବାର କରୁଥିବା ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କରେ ବହୁ କୋଟି ଟଙ୍କାର ଜାଲିଆତି ହୋଇଥିବା ଜଣାଯାଇଛି । ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଘଟଣାକୁ ଚପାଇ ଦେଇ କୌଣସି ମତେ ସମାଧାନ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି ।
ରାଜ୍ୟର ଅନ୍ୟତମ ହସ୍ତତନ୍ତ କେନ୍ଦ୍ର ଭାବେ ପରିଚିତ ବେଗୁନିଆ ରାଉତପଡ଼ାରେ ଥିବା ବ୍ୟାଙ୍କର ପରିବର୍ଦ୍ଧିତ ଶାଖାର ଶତାଧିକ ଜମାକାରୀଙ୍କ ୩କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଜାଲ୍ ସ୍ଥାୟୀ ଜମା ଓ ସଂଚୟ ଜମା ପ୍ରମାଣ ପତ୍ର ଦେଇ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି ।

ଅଭିଯୋଗ ଅନୁସାରେ, ସମ୍ପୃକ୍ତ ଶାଖାର ପୂର୍ବତନ ହିସାବରକ୍ଷକ ବୁଦ୍ଧିରାମ ଦାସ ୨୦୨୦ରେ ଅବସର ଗ୍ରହଣ କରିଥିଲେ । ଅବସରପୂର୍ବରୁ ସେ ସେହି ଶାଖାରେ ପ୍ରାୟ ୧୦-୧୫ ବର୍ଷ ଧରି କାମ କରିଛନ୍ତି । ଫଳରେ ସ୍ଥାନୀୟ ଲୋକଙ୍କ ବିଶ୍ୱାସଭାଜନ ହୋଇଥିଲେ । ଅବସରଗ୍ରହଣ କରିବା ପରେ ସମ୍ପୃକ୍ତ ଶାଖାକୁ ନିୟମିତ ପ୍ରାୟ ୧ ବର୍ଷ ଧରି ଯାଉଥିଲେ । ଅଂଚଳର ଅଧିକାଂଶ ଲୋକ କୁଟୀର ଶିଳ୍ପୀ ଓ ଶ୍ରମଜୀବୀ ହୋଇଥିବା ଓ ବ୍ୟାଙ୍କ କାରବାର ନେଇ ଅଶିକ୍ଷିତ ଓ ଅନଭିଜ୍ଞ ହୋଇଥିବାରୁ ଲୋକମାନଙ୍କ ବ୍ୟାଙ୍କ ସମ୍ପର୍କିତ ବିଭିନ୍ନ କାର୍ଯ୍ୟରେ ସହାୟତା ଦେଉଥିଲେ । ଏହାମଧ୍ୟରେ ଶତାଧିକ ହିତାଧିକାରୀଙ୍କ ସ୍ଥାୟୀ ଜମା ଓ ସଂଚୟ ଜମା ପ୍ରମାଣପତ୍ର ଆଦି ନବୀକରଣ କରିବା ଆଳରେ ବ୍ୟାଙ୍କର ଜାଲ ପ୍ରମାଣପତ୍ର ଓ ସ୍ୱାକ୍ଷର କରି କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ୧୫ ଦିନ ପୂର୍ବେ କେତେକ ହିତାଧିକାରୀ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇ ବ୍ୟାଙ୍କରେ ସେମାନଙ୍କ ଜମା ପୁଂଜିର କୌଣସି ବିବରଣୀ ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏନେଇ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ବ୍ୟାଙ୍କ କର୍ତୃପକ୍ଷ ଆଖିଦୃଶିଆ ଭାବେ ତଦନ୍ତର ନିର୍ଦ୍ଦେଶ ଦେଇ ମାମଲା ସମାଧାନ କରିବାକୁ ଚେଷ୍ଟା କରିଥିଲେ । ବର୍ତ୍ତମାନ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାନୁସାରେ, ଏଭଳି ଜାଲିଆତିର ଶିକାର ହୋଇଥିବା ହିତାଧିକାରୀଙ୍କ ସଂଖ୍ୟା ୩ଶହରୁ ୪ଶହ ହେବ । ପ୍ରତ୍ୟେକ ହିତାଧିକାରୀ ହାରାହାରି ୫୦ରୁ ୬୦ ହଜାର ଟଙ୍କା କ୍ଷତି ସହିଥିବାକୁ ଯଦି ଆକଳନ କରାଯାଏ ତେବେ ଏହାର ପରିମାଣ ୨ରୁ ୩ କୋଟି ଟଙ୍କା ହେବ ।

ଏନେଇ ବ୍ୟାଙ୍କର ସିଇଓ ଅନନ୍ତ ସାମଲଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଯେଉଁ ଦିନ ଅଭିଯୋଗ ଆସିଲା ସେହି ଦିନ ୩ଜଣିଆ ସଦସ୍ୟ ବିଶିଷ୍ଟ ଟିମ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଜଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥିବାରୁ ତଦନ୍ତ ହୋଇପାରିନଥିଲା । ଦୁଇ ଦିନ ପୂର୍ବେ ସେ ତଦନ୍ତରେ ଯୋଗ ଦେଇଛନ୍ତି ଓ ଆଉ ଦିନେ କିମ୍ବା ଦୁଇଦିନ ମଧ୍ୟରେ ତଦନ୍ତ ରିପୋର୍ଟ ଆସିବ ।

ସମ୍ବନ୍ଧିତ ଖବର